ବାଲିଘାଟରୁ ଦାଦାବଟି ଆଦାୟ, ଏସଟିଏଫ୍ ହାତରେ ୨ ଅପରାଧୀ

ପରିତ୍ୟକ୍ତ ଘରୁ ୮ ବନ୍ଧୁକ, ୨୦ ଗୁଳି ଜବତ
କବଜାରେ ତିନି ଜିଲ୍ଲାର ସୀମାରେ ଥିବା ବାଲିଘାଟ
ପୁଲିସ ପାଇଁ ଅପହଞ୍ଚ ଗ୍ୟାଙ୍ଗ ଲିଡର

ଭୁବନେଶ୍ବର : ବାଲିଘାଟକୁ କବ୍‌ଜା କରି ଦାଦାବଟି ଆଦାୟ କରୁଥିବା ଜଗତ୍‌ସିଂହପୁରର ଏକ ଗ୍ୟାଙ୍ଗର ଦୁଇ ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ସେମାନଙ୍କଠାରୁ ୮ବନ୍ଧୁକ, ୨୦ଟି ଗୁଳି ଜବତ ହୋଇଛି। ଅଭିଯୁକ୍ତଦ୍ବୟ ହେଲେ, ଜଗତ୍‌ସିଂହପୁର ଅଞ୍ଚଳର ସୁରେଶ କୁମାର ଦାସ ଓରଫ୍ କାଳିଆ ଓ ସୌମ୍ୟରଞ୍ଜନ ଦଳେଇ। ଗ୍ୟାଙ୍ଗ ସଂପର୍କରେ ଏମାନଙ୍କୁ ଏସ୍‌ଟିଏଫ୍‌ ଅଧିକ ପଚରାଉଚରା ଚଳାଇଛି। ଗ୍ୟାଙ୍ଗରେ ପ୍ରାୟ ୧୫ଜଣ ସଦସ୍ୟ ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ତନାଘନା ଆରମ୍ଭ କରିଛି।

ଏସ୍‌ଟିଏଫ ସୂଚନା ଅନୁସାରେ, ଜଗତସିଂହପୁର, ବାଲିକୁଦା, ନାଉଗାଁ ସମେତ ଏକାଧିକ ଅଞ୍ଚଳ, କଟକ ଜିଲ୍ଲାର ନିଆଳି, କସର୍ଦ୍ଦା, ସିଠାଳୋ, ଏରଞ୍ଚ, ଅଡ଼ଶପୁର ଏବଂ ପୁରୀ ଜିଲ୍ଲାର ନିମାପଡ଼ା, ନୟାହାଟ ଆଦି ଅଞ୍ଚଳରେ ଥିବା ବାଲିଘାଟକୁ ଏହି ଗ୍ୟାଙ୍ଗର ସଦସ୍ୟମାନେ କବ୍‌ଜା କରି ରଖିଛନ୍ତି। ସବୁ ସଦସ୍ୟ ଓ ସହଯୋଗୀମାନେ ବନ୍ଧୁକ ଧରି ବୁଲନ୍ତି। ବାଲିଘାଟ ଲିଜ୍‌ଧାରୀ ଓ ଚୋରାରେ ବାଲି ଉଠାଉଥିବା ମାଫିଆଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରନ୍ତି। ଏପରିକି ଭୟଭୀତ କରିବା ପାଇଁ ନଦୀପଠାରେ ଫାଙ୍କା ଗୁଳି ଚଳାନ୍ତି। ଏମାନେ ବିପୁଳ ପରିମାଣର ଦାଦାବଟି ଆଦାୟ କରୁଥିବା ଜଣାପଡ଼ିଛି। ଖାଲି ବାଲିଘାଟ ନୁହେଁ, ଜଗତସିଂହପୁର ଓ ଏହାର ଆଖପାଖ ଅଞ୍ଚଳରେ ବଢ଼ି ଚାଲିଥିବା ବ୍ରାଉନସୁଗାର କାରବାର, ଲୁଟ୍, ଛିନ୍‌ତାଇରେ ମଧ୍ୟ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି।


ଏମାନଙ୍କ ନାଁରେ ତିନୋଟି ଜିଲ୍ଲାରେ ଏକାଧିକ ଅପରାଧ ମାମଲା ରହିଛି। ବିପୁଳ ପରିମାଣର ବନ୍ଧୁକ ରହିଥିବା ଖବର ଏସ୍‌ଟିଏଫ୍‌କୁ ମିଳିଥିଲା। ଜଣେ ଅପରାଧୀ ସହ ବନ୍ଧୁକ ଡିଲ୍‌ର ଖବର ମଧ୍ୟ ମିଳିଥିଲା। ଏକ ଟିମ୍ ଆଜି ଭୋର୍‌ ସମୟରେ ନାଉଗାଁ-ନିଆଳି ରାସ୍ତାର ଶିଖରଘାଟ ବ୍ରିଜ୍ ନିକଟରେ ଚଢ଼ଉ କରିଥିଲା। ନଦୀପଠାରେ ଥିବା ଏକ ପରିତ୍ୟକ୍ତ ଘରୁ କାଳିଆ ଓ ସୌମ୍ୟରଞ୍ଜନଙ୍କୁ ଗିରଫ କରାଯାଇଥିଲା। ଦୁହିଁଙ୍କ ପାଖରୁ ଦୁଇଟି ବନ୍ଧୁକ ମିଳିଥିଲା। ବନ୍ଧୁକ କେଉଁଠି ଅଛି ବୋଲି ଯେତେବେଳେ ଏସଟିଏଫ୍ ଖୋଳତାଡ଼ ଆରମ୍ଭ କରିଥିଲା, ଦୁଇଜଣଯାକ ମୁହଁ ଖୋଲି ନଥିଲେ। ଅଧିକ ଜେରା ପରେ ପରିତ୍ୟକ୍ତ ଘରର ବାଲି ତଳେ ଲୁଚାଇ ରଖିଥିବା ମାନିଥିଲେ। ବାଲି ଖୋଳାଯିବା ପରେ ଆଉ ୬ଟି ବନ୍ଧୁକ ଓ ଗୁଳି ମିଳିଥିଲା। ଦୁଇ ଜଣଙ୍କୁ ଧରି ଭୁବନେଶ୍ବର ଚାଲି ଆସିଥିଲା ଟିମ୍।

ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପାଖରେ କିନ୍ତୁ ଏସଟିଏଫ୍ ପହଞ୍ଚି ପାରିନାହିଁ। ଜଗତସିଂହପୁର ଅଞ୍ଚଳର ଜଣେ ବାଲି ମାଫିଆ ଏହି ଗ୍ୟାଙ୍ଗର ଲିଡର୍‌ ବୋଲି କୁହାଯାଉଛି। ଗ୍ୟାଙ୍ଗ ତିଆରି କରି ବାଲିଘାଟକୁ କବ୍‌ଜା କରିବା ସହ ଦାଦାବଟି ଆଦାୟ କରୁଥିବା କୁହାଯାଉଛି।

ଅନ୍ୟପକ୍ଷରେ ଧଳସାମନ୍ତ ବ୍ରଦର୍ସ ଜେଲ ଭିତରେ ଥିଲେ ମଧ୍ୟ ସେମାନଙ୍କ ବନ୍ଧୁକ ବ୍ୟବସାୟୀ ଓ କଳା କାରବାର ଏବେ ବି ଚାଲିଛି। ଦୁଇଟି ପର୍ଯ୍ୟାୟରେ ବିପୁଳ ବନ୍ଧୁକ ଜବତ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାର ଏକାଧିକ ବାଲିଘାଟରେ ସେମାନଙ୍କ ପ୍ରାଦୁର୍ଭାବ ରହିଛି। ସିଧାସଳଖ ସେମାନେ ଗ୍ୟାଙ୍ଗ ତିଆରି ନ କରି ଜଗତସିଂହପୁର ଜିଲ୍ଲାରେ ଥିବା ବିଶ୍ବସ୍ତ ସହଯୋଗୀଙ୍କ ଦ୍ବାରା ଗ୍ୟାଙ୍ଗ ତିଆରି କରିଥିବା ମଧ୍ୟ ଏସଟିଏଫ୍ ସନ୍ଦେହ କରୁଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ। ରିମାଣ୍ଡରେ ଆସିବା ପରେ ସେମାନଙ୍କୁ ଗ୍ୟାଙ୍ଗ ଓ ଅପରାଧ ସାମ୍ରାଜ୍ୟ ସଂପର୍କରେ ଅଧିକ ପଚରାଉଚରା କରାଯିବ ବୋଲି ଏସଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।

ଚାରିଆଡ଼େ ଦେଶୀ ବନ୍ଧୁକ କାରଖାନା
ଧରାପଡ଼ିଥିବା ଦୁଇଜଣଙ୍କଠାରୁ ଦୁଇଟି ଅତ୍ୟାଧୁନିକ ମାଉଜର୍‌ ଜବତ ହୋଇଥିବା ବେଳେ ୬ଟି ଦେଶୀ ପିସ୍ତଲ ମିଳିଛି। ଏହି ପିସ୍ତଲଗୁଡ଼ିକ ଦେଖିଲେ ଏଠାରେ ହିଁ ତିଆରି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ପୂର୍ବରୁ ଚୌଦ୍ବାର, ଆଠଗଡ଼, ଭୁବନେଶ୍ବର, ଚନ୍ଦକା, ନୟାଗଡ଼ରେ ବନ୍ଧୁକ କାରଖାନା ଠାବ ହୋଇଛି। ବିପୁଳ ପରିମାଣର ଦେଶୀ ବନ୍ଧୁକ ଓ ଗୁଳି ମଧ୍ୟ ଜବତ ହୋଇଛି। ଦେଶୀ ବନ୍ଧୁକ କାରବାର ଏବେ ଚାରିଆଡ଼େ ମାଡ଼ି ଗଲାଣି। ଗିରଫ ଅଭିଯୁକ୍ତମାନେ ଦେଶୀ ବନ୍ଧୁକକୁ କେଉଁଠୁ ଆଣୁଛନ୍ତି, ସେ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ଲାଗି ଦୁଇଜଣଙ୍କୁ ରିମାଣ୍ଡରେ ନେଇ ଏସଟିଏଫ୍ ଜେରା କରିବ। ଦେଶୀ ବନ୍ଧୁକ ଆଖପାଖ ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ସେହିପରି ଜବତ ଦୁଇଟି ମାଉଜର୍‌ ବିହାରରୁ ଆଣିଥିବା ଏସଟିଏଫ୍ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର