୨ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ବେଲିଆକୁ ରିମାଣ୍ଡରେ ନେବ ଖୋର୍ଧା ପୁଲିସ, ସୁପାରି, ବନ୍ଧୁକ ବେପାର ଓ ଡକାୟତିରେ ସମ୍ପୃକ୍ତ

ଖଣ୍ଡଗିରି/ଖୋର୍ଧା : ବୁଧବାର ବିଳମ୍ବିତ ରାତିରେ ଖଣ୍ଡଗିରି ଓ ଖୋର୍ଧା ପୁଲିସର ପୃଥକ୍‌ ପୃଥକ୍‌ ଏନ୍‌କାଉଣ୍ଟର୍‌‌ରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ଗୁଳିରେ ଆହତ ଅଭିଯୁକ୍ତ ହେଲା, ସୁଶାନ୍ତ ମାଝି ଓରଫ ବେଲିଆ (୩୨)। ସେହିପରି ଖୋର୍ଧା ଟାଙ୍ଗୀ ପୁଲିସ ଗୁଳିରେ ଆହତ ଅଭିଯୁକ୍ତ ହେଲା, ଜାମସେଦ୍‌ ସାହା ଓରଫ ଜାମା (୨୨)। ଉଭୟ ସୁଶାନ୍ତ ଓ ଜାମସେଦ୍‌ ଗୋଟିଏ ଗ୍ୟାଙ୍ଗର ଏବଂ ସେମାନେ ଖୋର୍ଧା ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକା‌ରେ ଥିଲେ ବୋଲି ଜଣାଯାଇଛି।

‌‌ବେଲିଆର ବାମଗୋଡ଼ ଆଣ୍ଠୁତଳେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖୋର୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ବ୍ୟାଙ୍କ ଗାଡ଼ିରୁ ୬୦ ଲକ୍ଷ ଟଙ୍କା ଲୁଟ୍ କରିବା, ଖୋର୍ଧା ପଲା ଅଞ୍ଚଳରେ ବବଲୁକୁ ଗୁଳିମାଡ଼ କରିବା ଆଦି ସଂଗିନ୍ ମାମଲାରେ ଫେରାର୍ ଥିବା ବେଲିଆ ଜଣେ ବନ୍ଧୁକ ବେପାରୀ ବୋଲି ଜଣାପଡ଼ିଛି। ଅପରପକ୍ଷେ ଆହତ ଜାମସେଦ୍‌ଙ୍କୁ ଗତରାତିରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି।

କେମିତି ପୁଲିସ ହାବୁଡ଼ରେ ପଡ଼ିଲା ବେଲିଆ

ଗତ କିଛି ଦିନ ହେଲା କଳିଙ୍ଗନଗର କେ-୭ ଅଞ୍ଚଳରେ ଏକ ନୀଳ ରଙ୍ଗର ପଲ୍‌ସର ବାଇକ୍ ଚଢ଼ୁଥିବା ଦୁର୍ବୃତ୍ତ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ୍ କରି ଲୁଟ୍ କରୁଛି ବୋଲି ଖଣ୍ଡଗିରି ଥାନା ପୁଲିସ ସୂଚନା ପାଇଥିଲା। ତେଣୁ ପୁଲିସ ଏହି ନୀଳ ରଙ୍ଗ ପଲ୍‌ସରକୁ ଠାବ କରିବା ପାଇଁ କଳିଙ୍ଗନଗର ଅଞ୍ଚଳରେ ରାତି ୩ଟା ପରଠାରୁ ପାଟ୍ରୋଲିଂ କଡ଼ାକଡ଼ି କରିଥିଲା। ଫଳରେ ଗତକାଲି ରାତି ପ୍ରାୟ ସାଢ଼େ ୩ଟା ବେଳେ ବେଲିଆ ଓ ପୁଲିସ ମୁହାଁମୁହିଁ ହୋଇଯାଇଥିଲେ। ପୁଲିସକୁ ଦେଖି ବେଲିଆ ଖସି ପଳାଇବାକୁ ଚେଷ୍ଟା କରି ଏକ ଗଳିରେ ପଶି ଯାଇଥିଲା। ମାତ୍ର ଅଳ୍ପ କିଛି ବାଟ ପରେ ଗଳି ରାସ୍ତା ଶେଷ ହୋଇଥିବାରୁ ବେଲିଆ ବାଇକ୍‌ ଛାଡ଼ି ଦୌଡ଼ିଥିଲା। ପୁଲିସ ପାଖାପାଖି ହୋଇଯିବାରୁ ସେ ପିସ୍ତଲ ବାହାର କରି ଗୁଳି ଚଳାଇଥିଲା। ୨ ରାଉଣ୍ଡ ଗୁଳି ମାଡ଼ କରିବା ପରେ ପିସ୍ତଲ ଆଉ କାମ କରିନଥିଲା। କିନ୍ତୁ ପାଲଟା ଗୁଳିମାଡ଼ରେ ସେ ଜଖମ ହୋଇ ତଳେ ପଡ଼ି ଯାଇଥିଲା।

ଖୋର୍ଧା ନୟାଗଡ଼ରେ ଡଜନେ ମାମଲା

ଖଣ୍ଡଗିରି ଥାନା ପୁଲିସ ସୂଚନାନୁସାରେ ବେଲିଆ ନାଁରେ ପ୍ରାୟ ୧୦/୧୨ରୁ ଅଧିକ ମାମଲା କେବଳ ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ରହିଛି। ବନ୍ଧୁକ ବେପାରଠାରୁ ଆରମ୍ଭ କରି ସୁପାରି କିଲିଂ ଓ ଲୁଟ୍‌ପାଟ୍ ମାମଲା ପର୍ଯ୍ୟନ୍ତ ସବୁ ବଡ଼ ବଡ଼ ସଂଗିନ୍ ଅପରାଧରେ ସେ ଜଡ଼ିତ। ବେଲିଆର ନିଜ ଘର ବୋଲଗଡ଼ ନିକଟ ସୁନାଖଳା ହାଟବସ୍ତରେ। ତେଣୁ ସେ ଅଞ୍ଚଳ‌ରେ ବି ବହୁ ଡକାୟତି ମାମଲାରେ ସଂପୃକ୍ତ। ତେଣୁ ଖୋର୍ଧା ପୁଲିସ ତାକୁ ରିମାଣ୍ଡରେ ନେବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର