ଦୁଇଦିନ ହେଲା ଶିଶୁର ପତ୍ତା ମିଳୁନ

ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ରାସ୍ତାରୋକ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ପଇଡ଼ପାଟଣା ଗ୍ରାମର ଶ୍ରୀଶାନ୍ତ କୁମାର ସାହୁ(୫)ନାମକ ଜଣେ ଶିଶୁ ଗତ ଶନିବାରଠାରୁ ନିଖୋଜ ଅଛି। ପରିବାର କିମ୍ବା ଗ୍ରାମବସୀ ଶିଶୁଟିର ପତ୍ତା ପାଉନାହାନ୍ତି। ଶିଶୁଟି ନିଖୋଜ ରହିଛି କି ତାକୁ ଅପହରଣ କରାଯାଇଛି ସେ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବେ ସନ୍ଦିହାନ ଅଛନ୍ତି। ଶିଶୁଟି ନିଖୋଜ ସଂପର୍କରେ ପୁଲିସ୍‌ ନିକଟରେ ଅଭିଯୋଗ ହୋଇଥିଲେ ବି ପୁଲିସ୍‌ ତପ୍ତରତା ପ୍ରକାଶ କରି ନଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଆଜି ରାଜରାସ୍ତାକୁ ଓହଲାଇଥିଲେ। ଉତ୍ତ୍ୟକ୍ତ ଲୋକେ ଆଜି ଉତ୍ତରା-ବନମାଳିପୁର ମୁଖ୍ୟ ରାସ୍ତାର ଅଠାନ୍ତର ଛକଠାରେ ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମଟର ଅଟକି ରହିଥିଲା। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଏସିପି ବିଶ୍ୱନାଥ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ସୁଚନାଥାଉକି ଶନିବାର ଦିନ ଅପରାହ୍ଣରେ ସାଙ୍ଗଙ୍କ ସହ ଶ୍ରୀଶାନ୍ତ ଖେଳୁଥିଲେ କିନ୍ତୁ ସନ୍ଧ୍ୟାରେ ଆଉ ଘରକୁ ଫେରି ନଥିଲେ।

ଏନେଇ ସ୍ଥାନୀୟ ଲୋକେ ପ୍ରଥମେ ଶ୍ରୀଶାନ୍ତ ଗାଁ ପାଖ ପ୍ରାଚୀ ନଦୀରେ ଭାସିଯିବା ଅନୁମାନ କରି ରାତିତମାମ୍‌ ଖୋଜାଖୋଜି କରିଥିଲେ। ଅଡ଼ଶପୁର, ବାଲିପାଟଣା ଦମକଳ ବାହିନୀ, ବାଲିପାଟଣା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିଶୁଟିକୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଶ୍ରୀଶାନ୍ତଙ୍କ ସନ୍ଧାନ ପାଇ ନଥିଲେ। ପରଦିନ ବି ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ପ୍ରାଚୀ ନଦୀରେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଶିଶୁଟିର ସନ୍ଧାନ ପାଇ ନଥିଲେ। ଦୁଇଦିନ ଧରି ଗାଁର ବହୁ ଲୋକ ବାଲିପାଟଣା, ନିଆଳି, ନିମାପଡ଼ା, କାକଟପୁର ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ଦିନ ରାତି ଶିଶୁଟିକୁ ଖୋଜାଖୋଜି କରି ନିରାଶ ହୋଇଛନ୍ତି। ଏହାପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ରାସ୍ତାରୋକ ପରେ ପ୍ରଶାସନ ତପ୍ତରତା ପ୍ରକାଶ କରିଛି। ଏକ ଓଡ୍ରାଫ୍‌ ଟିମ୍‌ ପଇଡ଼ପାଟଣାଠାରେ ପହଞ୍ଚି ପ୍ରାଚୀ ନଦୀରେ ଖୋଜାଖୋଜି ଚଳାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଟିର କୌଣସି ପତ୍ତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର