ଚନ୍ଦ୍ରଶେଖରପୁର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ କିଟ୍ ଫ୍ୟାସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଦୁଇ ଦିନିଆ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ସେଫାଳି ଡିଜାଇନର୍ ହାଉସ୍ ଓ କିଟ୍ ଫ୍ୟାସନ୍ ଟେକ୍ନୋଲୋଜି ସ୍କୁଲ୍ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସେଫାଳି ଡିଜାଇନର ହାଉସ୍ର ନିର୍ଦ୍ଦେଶିକା ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଇତିରାଣୀ ସାମନ୍ତ, ଅଭିନେତା ସମରେଶ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହସ୍ତତନ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଶ୍ରୀମତୀ ପ୍ରଧାନ କହିଲେ, ନୂତନ ପିଢ଼ି ହସ୍ତତନ୍ତ ପ୍ରତି ଆକୃଷ୍ଟ ହେବା ଉଚିତ ଫଳରେ ସ୍ୱଦେଶୀ କଳା ଓ ସର୍ଜନାର ବିକାଶ ହୋଇପାରିବ। ଛାତ୍ରଛାତ୍ରୀମାନେ ନିଜର ସର୍ଜନାତ୍ମକ ଚିନ୍ତାଧାରା ବିକାଶ କରିବା ଲକ୍ଷ୍ୟ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଫ୍ୟାସନ୍ ସ୍କୁଲ୍ର ପ୍ରତିଷ୍ଠା କରିଥିଲେ। ଫଳରେ କିଟ୍ ଫ୍ୟାସନ୍ ସ୍କୁଲ୍ରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଉନ୍ନତ ସର୍ଜନା ପ୍ରତିପାଦିତ କରିପାରିଛନ୍ତି। କାର୍ଯ୍ୟକ୍ରମରେ ସ୍କୁଲ୍ର ଉପନିର୍ଦ୍ଦେଶିକା ଜିପ୍ସିତା ନାୟକ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ପାଠ୍ୟକ୍ରମ ସଂଯୋଜକ ବାଉରୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।