କୁଆଖାଇରେ ବୁଡ଼ି ଦୁଇ ଦିନରେ ଦୁଇ ମୃତ୍ୟୁ ଘଟଣା: ଭାକ୍ୟୁମ୍ ମେସିନ୍ ସୃଷ୍ଟି କରୁଛି ଗଭୀର ଗଣ୍ଡ!
ସତର୍କ ଫଳକ ଲାଗିବ କେବେ? କୁଆଖାଇର ୧୪ଟି ସ୍ଥାନ ବିପଦସଙ୍କୁଳ
ବାଲିଅନ୍ତା: ଗତ କିଛି ବର୍ଷ ହେଲା କୁଆଖାଇ ନଦୀ ଗଣ୍ଡରେ ବୁଡ଼ି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନଦୀରେ ଗଭୀର ଗଣ୍ଡ ସୃଷ୍ଟି ହେଉଥିବାରୁ ଏଭଳି ଅଘଟଣ ବଢ଼ି ଚାଲିଛି। ଭାକ୍ୟୁମ୍ ମେସିନ୍ ଦ୍ବାରା ନଦୀରୁ ବାଲି ଉଠାଣ ହେଉଥିବାରୁ ଗଭୀର ଗଣ୍ଡ ସୃଷ୍ଟି ହେଉଥିବା କୁହାଯାଉଛି। ତେଣୁ ବେଆଇନ ଭାବେ ଭାକ୍ୟୁମ୍ ମେସିନ୍ ଦ୍ବାରା ବାଲି ତାଡ଼ିବାକୁ ବନ୍ଦ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏବେ ମଟର ଚାଳିତ ଡଙ୍ଗାରେ ଭାକ୍ୟୁମ୍ ମେସିନ ନେଇ ନଦୀ ଗର୍ଭରୁ ବାଲି ତଡ଼ା ହେଉଛି। ଫଳରେ ଆବଶ୍ୟକ ପରିମାଣରୁ ଅଧିକ ଗର୍ତ୍ତ ବା ଗଣ୍ଡ ସୃଷ୍ଟି ହେଉଛି। ଜେସିବି ମେସିନ୍ ଦ୍ବାରା ବାଲି ତାଡ଼ିଲେ ଏତେ ବଡ଼ବଡ଼ ଗଣ୍ଡ ସୃଷ୍ଟି ହୁଅନ୍ତା ନାହିଁ ବୋଲି କୁହାଯାଉଛି। ପୂର୍ବରୁ କେବଳ ଜେସିବି ମେସିନ୍ ଲଗାଇ ବାଲି ଉଠାଣ କରାଯାଉଥିଲା। କିନ୍ତୁ ଏବେ କମ୍ ଖର୍ଚ୍ଚରେ ଅଧିକ ବାଲି ଉଠାଣ ପାଇଁ ଭାକ୍ୟୁମ୍ ମେସିନ୍ ବ୍ୟବହାର କରାଯାଉଛି। ଏହା ବେଆଇନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜେସିବି ମେସିନ୍ ଦ୍ବାରା ସୃଷ୍ଟି ହେଉଥିବା ଗଣ୍ଡ ବନ୍ୟା ସମୟରେ ପୋତି ହୋଇ ଯାଉଥିଲା। ମାତ୍ର ଭାକ୍ୟୁମ୍ ମେସିନ୍ ଦ୍ବାରା ସୃଷ୍ଟି ହେଉଥିବା ବଡ଼ବଡ଼ ଗଣ୍ଡ ପୋତି ହୋଇପାରୁନାହିଁ। ପ୍ରଶାସନ ଏସବୁ ଦେଖି ନଦେଖିବାର ଅଭିନୟ କରୁଥିବାରୁ ଅକାଳରେ ବହୁ ଜୀବନ ଚାଲିଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବାଲିମାଫିଆଙ୍କ ଚାପରେ ବିଭାଗୀୟ ଅଧିକାରୀମାନେ ଚୂପ୍ ବସୁଥିବା ବେଳେ ନାଲି ଆଖି ଭୟରେ ସ୍ଥାନୀୟ ଲୋକ ମଧ୍ୟ ମୁହଁ ଖୋଲୁନଥିବା ଚର୍ଚ୍ଚା ହେଉଛି। ତେଣୁ ଏଦିଗରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି ହେଉଛି।
ବାଲିଅନ୍ତା: କୁଆଖାଇ ନଦୀ ସାଜିଛି ପ୍ରାଣ ଘାତକ। ଦୁଇ ଦିନ ମଧ୍ୟରେ ଦୁଇ ଜଣ ନାବାଳକ ସଲିଳ ସମାଧି ନେଲେଣି। ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୂର୍ବରୁ ଏହି ନଦୀରେ ବୁଡ଼ି ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିଲା। ହିସାବରୁ ଜଣାପଡ଼ିଛି ଗତ ୯ ମାସରେ ଏହି ନଦୀରେ ବୁଡ଼ି ୪ ଜଣ ପ୍ରାଣ ହରାଇଛନ୍ତି। ଅଥଚ ପ୍ରଶାସନ ବେଫିକର ହୋଇ ବସିଛି। ଗଣ୍ଡ ଥିବା ସମ୍ଭାବ୍ୟ ସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଉନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ବେଆଇନଭାବେ ନଦୀ କୂଳ ଅଞ୍ଚଳରରେ ବାଲି ଉଠାଣ ହେଉଥିବାରୁ ସୃଷ୍ଟି ହେଉଥିବା ଗଣ୍ଡ ପ୍ରାଣଘାତକ ସାଜୁଛି। ସ୍ଥାନୀୟ ଲୋକେ ବି ନୂଆ ଗଣ୍ଡ ବାବଦରେ ଜାଣିପାରୁନାହାନ୍ତି। ତେଣୁ ଖରାଦିନରେ ନୂଆ କରି ନଦୀକୁ ଗାଧୋଇ ଆସୁଥିବା ଲୋକେ ଗଣ୍ଡ ବାବଦରେ ଜାଣିନପାରିବା ସ୍ବାଭାବିକ ବୋଲି କୁହାଯାଉଛି। ତେଣୁ ସ୍ଥାନୀୟ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ସର୍ଭେ କରି ନଦୀର ଗଭୀର ଅଞ୍ଚଳରେ ସତର୍କ ଫଳକ ଲଗାଇବାକୁ ଦାବି ହେଉଛି।
କୁଆଖାଇର ୧୪ଟି ସ୍ଥାନ ବିପଦସଙ୍କୁଳ
ବାଲିଅନ୍ତା ଅଞ୍ଚଳ ଦେଇ ପ୍ରବାହିତ କୁଆଖାଇ ନଦୀର ୧୪ଟି ସ୍ଥାନ ବିପଦସଙ୍କୁଳ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ସେଥିମଧ୍ୟରୁ ଟଙ୍କପାଣି ବ୍ରିଜର ଉଭୟ ପାର୍ଶ୍ବ ସଂଲଗ୍ନ ଖାଲ ଅଂଶ ଅଧିକ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିଛି। ଗଡ଼କଣ୍ଟୁଣିଆ ସ୍ଥିତ ପାର୍ଶ୍ବ, ବାଲିଅନ୍ତା ପଞ୍ଚାୟତ ସମିତି, ତହସିଲ କାର୍ଯ୍ୟାଳୟ ପାର୍ଶ୍ବ, ହୀରାପୁର, ସତ୍ୟଭାମାପୁର, ଇନ୍ଦ୍ରପାଳ, ବଇଁଚୁଆ, ଗଡ଼ଶ୍ରୀରାମପୁର, ଟଙ୍କପାଣି ବଜାର, ରଙ୍ଗବଜାର ଓ ଅଲାରପୁର ସ୍ଥିତ ଅଞ୍ଚଳରେ ଗଣ୍ଡ ସଦୃଶ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ବେଆଇନ ଭାବେ ବାଲି ଖନନ ହେବା ଦ୍ବାରା ନଦୀ ଅପରପାର୍ଶ୍ବ ଭୁବନେଶ୍ବର ତହସିଲ ଅଧୀନ ବାସୁଆଘାଇ, ବାଙ୍କୁଆଳ, ହାଇଟେକ ହସ୍ପିଟାଲ ପାର୍ଶ୍ବ ଓ ହଂସପାଳ ବ୍ରିଜ ପାଖ ଅଞ୍ଚଳ ବିପଜ୍ଜନକ ସ୍ଥିତିରେ ରହିଛି। ଅତୀତରେ ଉପରୋକ୍ତ ସ୍ଥାନରେ ଗାଧୋଇବା ସମୟରେ ଅନେକ ଲୋକ ଭାସିଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ତେଣୁ ଉକ୍ତ ସ୍ଥାନରେ ଗାଧୋଇଲେ ବୁଡ଼ିଯିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଫଳକ ଲଗାଇବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।