ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଯାଁଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା ଭିତରେ ଟିକାକରଣ ଚାଲିଛି। ଗୋଟିଏ କାଉଣ୍ଟର୍ରେ ଏକା ସମୟରେ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଛି। ଧାଡ଼ି ମଧ୍ୟ ଅଲଗା କରାଯାଉନାହିଁ। ଫଳରେ କାଉଣ୍ଟର୍ରେ ଆଧାରକାର୍ଡ ଜମା କରିବାଠାରୁ ଆରମ୍ଭ କରି ଟିକା ନେବା ପର୍ଯ୍ୟନ୍ତ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। କେଉଁ ଦିନ କେତେ ଟିକା ଦିଆଯିବ ବୋଲି ପ୍ରାକ୍ ସୂଚନା ଦିଆଯାଉନଥିବାରୁ ଲୋକେ ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଟିକା ନପାଇ ହତାଶ ହୋଇ ଫେରୁଛନ୍ତି।
ସୋମବାର ଏହି ଟିକା କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସୃଷ୍ଟି ହେବାରୁ ଟିକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡ଼ିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ଭିତରେ ସାମାଜିକ ଦୂରତା ନଥିବାରୁ ଲୋକେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଫାଣ୍ଡିରୁ ଜଣେ କନେଷ୍ଟବଳ ସେଠାରେ ପହଞ୍ଚିଥିଲେ ହେଁ ପାଖାପାଖି ୫ଶହରୁ ଅଧିକ ଲୋକଙ୍କୁ ନିୟନ୍ତ୍ରଣ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ସେହି ଭିଡ଼ ଭିତରେ ଟିକାକରଣ ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଲା ଓ ତା’ ପରେ ଧାର୍ଯ୍ୟ ଶହେ ଟିକା ସରିଗଲା କହି ଟିକାକରଣ ବନ୍ଦ କରି ଦିଆଗଲା। ଫଳରେ ବହୁ ଲୋକ ଫେରିବାକୁ ବାଧ୍ୟ ହୋଇଥିଲେ। ଲୋକଙ୍କ ଅଭିଯୋଗ ଅନୁସାରେ, ଅନ୍ୟ ସବୁ କେନ୍ଦ୍ରରେ ସକାଳ ବେଳା ପ୍ରଥମ ଡୋଜ୍ ଓ ଅପରାହ୍ଣରେ ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଛି। କିନ୍ତୁ ଏଠାରେ ଏକା ସମୟରେ ଦୁଇ ଡୋଜ୍ ଟିକା ଦିଆଯାଉଛି। ତେଣୁ ସବୁ ଲୋକେ ଏକା ସମୟରେ ଆସି ଭିଡ଼ ଜମାଉଛନ୍ତି। ସେହିଭଳି କେତେ ଟିକା ଦିଆଯିବ ସୂଚନା ନଥିବାରୁ ଅଯଥାରେ ବୟସ୍କ ଲୋକେମାନେ ଖରାରେ ଅପେକ୍ଷା କରି କରି ଫେରୁଛନ୍ତି। ଏନେଇ ଖୋର୍ଦ୍ଧା ସିଡିଏମ୍ଓଙ୍କୁ ଫୋନ୍ କରି ଜଣାଇବା ପରେ ଆଗକୁ ଏହି ସମସ୍ୟାକୁ ସୁଧାରି ଟିକାକରଣ ସୁବ୍ୟବସ୍ଥିତ କରାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine.jpeg)