ଭୁବନେଶ୍ୱର : ଶେଷରେ କମିସନରେଟ୍ ପୁଲିସର ମୋଷ୍ଟ ୱାଣ୍ଟେଡ୍ ୨ କୁଖ୍ୟାତ ନିଶାଦିଆ ଲୁଟେରା ଧରାପଡ଼ିଛନ୍ତି। ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିବା ଏହି ଅଭିଯୁକ୍ତ ଲୁଟେରାଦ୍ବୟ ହେଲେ ନୟାଗଡ଼ର ସୁଶାନ୍ତ ରାଉତ ଓ ଗଞ୍ଜାମର ସୀମାଞ୍ଚଳ ସୁବୁଦ୍ଧି। ପୁଲିସ ସେମାନଙ୍କଠାରୁ ନଗଦ ୧ ଲକ୍ଷ ୩ ହଜାର ଟଙ୍କା, ବାଇକ୍, ସୁନା ଅଳଙ୍କାର, ଦାମୀ ମୋବାଇଲ ଫୋନ୍, ବିଦେଶୀ ମୁଦ୍ରା, ନିଶା ବଟିକା, ସିମ୍କାର୍ଡ ଓ କେତେକ ଲଗେଜ୍ ବ୍ୟାଗ୍ ଜବତ କରିଛି।
ପୁଲିସ ସୂଚନାନୁସାରେ ସୁଶାନ୍ତ ଓ ସୀମାଞ୍ଚଳ ଉଭୟ ରାଜଧାନୀରେ ନିଶା ଦେଇ ବସ୍ ଓ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିଲେ। ଏମାନଙ୍କ ନାମରେ ୫୦ରୁ ଅଧିକ ଆପରାଧିକ ମାମଲା ରହିଛି। କେବଳ ଖଣ୍ଡଗିରି ଥାନାରେ ୫ରୁ ଅଧିକ ମାମଲା ରହିଛି। ଏହି ଦୁଇଜଣ ବରମୁଣ୍ଡା ବସଷ୍ଟାଣ୍ଡରୁ ଅନେକ ଯାତ୍ରୀଙ୍କୁ ଲୁଟପାଟ୍ କରିଥିବାବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବହୁ ଟ୍ରେନ୍ ଯାତ୍ରୀଙ୍କୁ ନିଶା ଦେଇ ସଂଜ୍ଞାହୀନ କରିବା ପରେ ଲୁଟିଛନ୍ତି। ଏମାନେ ରାଜ୍ୟ ବାହାରୁ ଓଡ଼ିଶା ଫେରୁଥିବା ଯାତ୍ରୀଙ୍କୁ ଟାର୍ଗେଟ୍ କରନ୍ତି। ନିଜେ ଧରିଥିବା ଲଗେଜ୍ ବ୍ୟାଗ୍ରୁ ସେମାନେ ବି ରାଜ୍ୟ ବାହାରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଭଳି ଦେଖାଯାଆନ୍ତି। ତେଣୁ ଅନ୍ୟ ଯାତ୍ରୀଙ୍କ ସହ ବନ୍ଧୁତା କରିବାରେ ସମସ୍ୟା ହୋଇନଥାଏ। ପରେ କଥା ଚାତୁରୀରେ ଫସାଇ ଟାର୍ଗେଟ୍ ଯାତ୍ରୀଙ୍କୁ ପାନୀୟଜଳ, ମଦ କିମ୍ବା ଥଣ୍ଡାରେ ନିଶା ଦେଇ ବେହୋସ୍ କରି ଦେଉଥିଲେ। ପରେ ତାଙ୍କଠାରୁ ସବୁ କିଛି ଲୁଟି ନେଇ ରାସ୍ତାରେ ଫିଙ୍ଗି ପଳାଉଥିଲେ। ବହୁ ଦିନ ପିଛା କରିବା ପରେ ପୁଲିସ ଏହି ଲୁଟେରା ଯୋଡ଼ିକୁ ଗିରଫ କରିଛି।