ଦୁଇ ଇଂଜିନିୟରିଂ କଲେଜ ଛାତ୍ରଗୋଷ୍ଠୀ ମୁହାଁମୁହିଁ

ଚନ୍ଦ୍ରଶେଖରପୁର : ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଆଜି ଇନ୍‌ଫୋସିଟି ଅଞ୍ଚଳରେ ଥିବା ଦୁଇଟି ପୃଥକ ପୃଥକ ଇଂଜିନିୟରିଂ କଲେଜର ଛାତ୍ର ଗୋଷ୍ଠୀ ସାଇ ମନ୍ଦିର ନିକଟରେ ମୁହାଁମୁହିଁ ହୋଇଛନ୍ତି। ଇନ୍‌ଫୋସିଟି ଛକରେ ଥିବା ଟ୍ରାଫିକ୍‌ ସିଗନାଲ୍‌ ଲାଇଟ୍‌କୁ ନମାନି କିଛି ଛାତ୍ର ରାସ୍ତା ଅତିକ୍ରମ କରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଇଂଜିନିୟରିଂ କଲେଜ୍‌ ବସ୍‌ ସହ ପିଟି ହୋଇଯାଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ବସ୍‌ ଓ ବାଇକ ଆରୋହୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରେ ଉପସ୍ଥିତ ଲୋକେ ଗଣ୍ଡଗୋଳକାରୀ ଛାତ୍ରମାନଙ୍କୁ ବୁଝାସୁଝା କରି ଘଟଣାସ୍ଥଳରୁ ବିଦା କରିଦେଇଥିଲେ। ମାତ୍ର ଉତ୍ତ୍ୟକ୍ତ ଛାତ୍ରମାନେ ପୁଣିଥରେ ଶିଖରଚଣ୍ଡୀ ପାହାଡ଼ ନିକଟକୁ ଚାଲିଆସି ଗଣ୍ଡଗୋଳ କରିଥିଲେ। ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ କରିଥିଲେ। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ୍‌ ଆହତଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଛି। ଏନେଇ ଉଭୟ କଲେଜର ବରିଷ୍ଠ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର