କୋଭିଡ ହସ୍‌ପିଟାଲ ସମ୍ପର୍କରେ ଅଡିଓ ଭାଇରାଲ ଘଟଣା : ଦୁଇ ବନ୍ଧୁଙ୍କୁ କୋର୍ଟ ଚାଲାଣ, ଆଉ ୫ଜଣଙ୍କୁ ନୋଟିସ୍‌

ମାନହାନି ମକଦ୍ଦମା କରିବ ସୋଆ

ଭୁବନେଶ୍ୱର : କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ଫୋନ୍‌ ବାର୍ତ୍ତାଳାପକୁ ଭାଇରାଲ କରିବା ଦୁଇ ବନ୍ଧୁଙ୍କୁ ମହଙ୍ଗା ପଡ଼ିଛି। ଉଭୟଙ୍କୁ ଆଜି ‌‌କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଓର୍‌ଟେଲ୍‌ର କର୍ମଚାରୀ ଅଛନ୍ତି। ସେ ହେଉଛନ୍ତି, ଜିଜିପି କଲୋନିରେ ଭଡ଼ା ରହୁଥିବା ବାଙ୍କୀ ଚାରିଘରିଆର ଲକ୍ଷ୍ମୀକାନ୍ତ ବେହେରା। ଅନ୍ୟତମ ଅଭିଯୁକ୍ତ ଜଣେ ବ୍ୟବସାୟୀ। ସେ ହେଲେ, ପଳାସୁଣି ନ୍ୟୁ-କଲୋନିର ବିଶ୍ବଜିତ ମହାନ୍ତି। ମହାମାରୀ ଆଇନର ସଙ୍ଗିନ ଦଫା ସହ ବିଭିନ୍ନ ଆଇପିସିର ଦଫା ବଳରେ ଏମାନଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେମାନେ ପୁଲିସକୁ ଅନେକ ତଥ୍ୟ ଦେଇଛନ୍ତି। ସେମାନଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବାକୁ ପୁଲିସ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ଏକ ଗଣମାଧ୍ୟମ ସଂସ୍ଥାର ପ୍ରରୋଚନାରେ ସେମାନେ ଏଭଳି କରିବାକୁ ବାଧ୍ୟ ହୋଇଥିବା ଗତକାଲି ମାରାଥନ୍‌ ଜେରା ବେଳେ କହିଥିବା ପୁଲିସ ସୂଚନା ଦେଇଛି। ସରକାରଙ୍କ କୋଭିଡ୍‌ ପରିଚାଳନାକୁ ବଦନାମ୍‌ କରିବା ପାଇଁ ଓ କୋଭିଡ୍‌-୧୯ ସମ୍ବନ୍ଧରେ ଲୋକଙ୍କୁ ମିଥ୍ୟା ତଥ୍ୟ ଦେବା ପାଇଁ ଏହି ଫୋନ୍‌ ରେକର୍ଡିଂ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ କରାଯାଇଥିବା ସେମାନେ ମାନିଥିବା ପୁଲିସ୍‌ କହିଛି। ମିଥ୍ୟା ଖବର ଫଳରେ ଲୋକମାନେ ନିୟମ ମାନୁ ନାହାନ୍ତି, ମହାମାରୀ ବ୍ୟାପିବାରେ ଲାଗିଛି। ଏଣୁ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ। ଏଭଳି ମିଛ ସୂଚନା ଭାଇରାଲ କରି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ କରିବାକୁ ଡିସିପି ଅନୁରୋଧ କରିଛନ୍ତି।

ତେବେ ଏହି ଅଡିଓକୁ ଅନେ‌କେ ସେମାନଙ୍କ ସୋସିଆଲ ପ୍ଲାଟ୍‌ଫର୍ମ ଓ ବିଭିନ୍ନ ଗ୍ରୁପ୍‌ରେ ସେୟାର କରିଛନ୍ତି। ଯେଉଁମାନେ ଏହି ଅଡିଓ କ୍ଲିପ୍‌ର ବାସ୍ତବତାକୁ ନ ପରଖି ବିଭିନ୍ନ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ ସହ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସେୟାର କରିଛନ୍ତି, ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ନୋଟିସ୍‌ କରାଯାଇଛି। ଏହି ୫ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ଖୋଜା ଚାଲିଛି। ଚିହ୍ନଟ ହେବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୬ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହି ଅଟକ ଦୁଇଜଣ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲା। ଅଡିଓ କ୍ଲିପ୍‌ରେ ଏହି ଦୁଇଜଣ ପଜିଟିଭ୍ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିଭିନ୍ନ ହସ୍‌ପିଟାଲକୁ ପଠାଯାଉଛି ବୋଲି କଥା ହୋଇଥିଲେ। ରୋଗୀ ପିଛା କେନ୍ଦ୍ର ସରକାରଙ୍କଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି, ସେଥିପାଇଁ ଦିନକୁ ଶହେ ରୋଗୀଙ୍କୁ ଏସବୁ ହସ୍‌ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ଅଛି ବୋଲି ସେମାନେ ବାର୍ତ୍ତାଳାପରେ କହିଥିଲେ। ତେବେ ଏହି ଅଡିଓ କ୍ଲିପ୍‌କୁ ପ୍ରସାରଣ କରିଥିବାରୁ ଗଣମାଧ୍ୟମ ସଂସ୍ଥାକୁ ନୋଟିସ୍‌ ହେବା ସହ ଏହି ଦୁଇଜଣଙ୍କୁ ଖୋଜା ଚାଲିଥିଲା। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଠାବ କରାଯିବା ସହ ପୁଲିସ ଉଠାଇ ଆଣିଥିଲା।

ମାନହାନି ମକଦ୍ଦମା କରିବ ସୋଆ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲ୍‌ ପକ୍ଷରୁ ରାଜ୍ୟରେ ୪ଟି କୋଭିଡ୍‌ ହସ୍ପିଟାଲ୍‌ ଓ ୨ଟି କୋଭିଡ୍‌ କେୟାର ସେଣ୍ଟର୍‌ର ପରିଚାଳନା ଦାୟିତ୍ବ ନିଆଯାଇଛି। କରୋନା ଚିକିତ୍ସାକୁ ନେଇ ସମ୍ କୋଭିଡ୍‌ ହସ୍ପିଟାଲ୍‌ ସମ୍ପର୍କରେ ଅପପ୍ରଚାର କରୁଥିବା ଗଣମାଧ୍ୟମ ବିରୋଧରେ ମାନହାନି ମକଦ୍ଦମା କରାଯିବ ବୋଲି ସୋଆ ପକ୍ଷରୁ ଜାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି। ସୋଆ କର୍ତ୍ତୃପକ୍ଷ କହିଛନ୍ତି ଯେ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ ଏହି ହସ୍ପିଟାଲଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର୍‌ଗୁଡ଼ିକରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କ ଚିକିତ୍ସା ଠିକ୍ ଭାବେ କରାଯାଉଛି। କିନ୍ତୁ କିଛି ଗଣମାଧ୍ୟମରେ କରୋନା ଚିକିତ୍ସାକୁ ନେଇ ସମ୍ କୋଭିଡ୍‌ ହସ୍ପିଟାଲ୍‌ ବିରୋଧରେ ଅପପ୍ରଚାର କରାଯିବା ଦୁଃଖଦାୟକ। ଉଦ୍ଦେଶ୍ୟମୂଳକ ଭାବେ କୋଭିଡ୍‌ ଯୋଦ୍ଧାମାନଙ୍କ ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଦୀର୍ଘଦିନ ଧରି ଏହି କୋଭିଡ୍‌ ଯୋଦ୍ଧାମାନେ ନିଜ ଘର ଓ ପରିବାରଠାରୁ ଦୂରରେ ରହି ସେବା ଯୋଗାଇ ଆସୁଛନ୍ତି। ଏପରି ଘଡ଼ିସନ୍ଧି ସମୟରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାଇରାଲ୍‌ ଭିଡିଓ ପ୍ରସାରଣ ନିନ୍ଦନୀୟ। ଏହି ଖବର ପ୍ରସାରଣ ବିରୋଧରେ ଆଇନର ଆଶ୍ରୟ ନିଆଯାଇଛି।

ସମ୍ବନ୍ଧିତ ଖବର