ନନ୍ଦନକାନନ ଆସିବେ ୨ ଜିରାଫ

ସିମ୍ପାଞ୍ଜି ରାକ୍ଷୀ ଯିବ ମହୀଶୂର

ବାରଙ୍ଗ: ନନ୍ଦନକାନନକୁ ଖୁବ୍‌ ଶୀଘ୍ର ମହୀଶୂର ଚିଡ଼ିଆଖାନାରୁ ୨ଟି ଜିରାଫ ଅଣାଯିବ। ଶୁକ୍ରବାର ନନ୍ଦନକାନନ କର୍ତୃପକ୍ଷ କେନ୍ଦ୍ରୀୟ ଚିଡ଼ିଆଖାନ କର୍ତୃପକ୍ଷଙ୍କଠାରୁ ଚିଠି ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ତେବେ ଏହା ପ୍ରତିବଦଳରେ ସିମ୍ପାଞ୍ଜି ପୂର୍ଣ୍ଣିମା(୧୬) ଗର୍ଭରୁ ଜନ୍ମିତା ମାଈ ସମ୍ପାଞ୍ଜି ରାକ୍ଷୀ(୪)କୁ ମହୀଶୂର ଚିଡ଼ିଆଖାନାକୁ ହସ୍ତାନ୍ତର କରିବାକୁ ପଡ଼ିବ।

କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ସବୁଜ ସଙ୍କେତ ମିଳିବା ପରେ ନନ୍ଦନକାନନରେ ତତ୍ପରତା ପ୍ରକାଶ ପାଇଛି। ନନ୍ଦନକାନନ ନିର୍ଦ୍ଦେଶକ ବିଦେଶ ଗସ୍ତରେ ଥିବାରୁ ତାଙ୍କ ଆସିବା ପରେ ଜିରାଫ ଆଣିବା ଯୋଜନା ଚୂଡ଼ାନ୍ତ ହେବ। ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।

ପୂର୍ବରୁ ନନ୍ଦନକାନନ କର୍ତୃପକ୍ଷ ୩ ଥର ଜିରାଫ ଆଣିଥିବା ବେଳେ ୨ଟି ଜିରାଫଙ୍କ ମୃତ୍ୟୁ ହୋଇଯାଇଛି। ଫଳରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ନନ୍ଦନକାନନକୁ ପ୍ରଥମ କରି ୨୦୦୮ରେ କଲିକତାର ଆଲିପୁର ଚିଡ଼ିଆଖାନାରୁ ୨୨ଟି ବିରଳ ଜୀବଙ୍କ ପ୍ରତିବଦଳରେ ଏକ ଜିରାଫକୁ ଆଣିବା ବେଳେ ବାଟରେ ବିଦ୍ୟୁତ୍‌ ତାର ଲାଗି ତାର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୨ରେ ପାଟ୍‌ନା ଚିଡ଼ିଆଖାନାରୁ ସିମ୍ପାଞ୍ଜି କାର୍ତ୍ତିକ ଓ ପୂର୍ଣ୍ଣିମାଙ୍କ ବଦଳରେ ୩ ବର୍ଷର ବୟସର ଜିରାଫ ଖୁସିକୁ ଅଣାଯାଇଥିଲା। ଯିଏ ଏବେ ନନ୍ଦନକାନନର ୧୦୦ ନମ୍ବର ଖୁଆଡ଼ରେ ରହୁଛି। ୨୦୧୬ ଫେବ୍ରୁଆରି ମାସ ୨୪ ତାରିଖରେ ଖୁସି ଲାଗି କଲିକତା ଚିଡ଼ିଆଖାନାରୁ ୪ଟି ବାଘ ପ୍ରତି ବଦଳରେ ଜିରାଫ ଜୟକୁ ଅଣାଯାଇଥିଲା। ତେବେ ଲିଭର ସଂକ୍ରମଣ ଯୋଗୁ ଆସିବାର ୬ ଦିନରେ ତାର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର