ଦୁଇ ଭଉଣୀଙ୍କୁ ନୂଆପଲ୍ଲୀ ପୁଲିସର ମାଡ଼ ଘଟଣା : ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମାନବାଧିକାର କମିସନଙ୍କ ନିର୍ଦେଶ
ଭୁବନେଶ୍ବର : ନୂଆପଲ୍ଲୀ ପୁଲିସ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ନୂଆପଲ୍ଲୀ ନୀଳକଣ୍ଠ ନଗରର ଦୁଇ ଭଉଣୀ ଗାୟତ୍ରୀ ମଲ୍ଲିକ ଓ ଇତିଶ୍ରୀ ମଲ୍ଲିକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍। ଏହାସହ ଆସନ୍ତା ୨ ମାସ ଭିତରେ ଘଟଣାର ତଦନ୍ତ ରିପୋର୍ଟ ଗୃହ ବିଭାଗ ଓ ପୁଲିସ ଡିଜିଙ୍କୁ ପ୍ରଦାନ କରିବା ଲାଗି କମିସନରେଟ୍ ପୁଲିସକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୮ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି, ୨୦୧୮ ମେ’ ୬ ତାରିଖରେ ନୂଆପଲ୍ଲୀ ନୀଳକଣ୍ଠ ନଗରର ଜମ୍ବେଶ୍ବର ମଲ୍ଲିକଙ୍କ ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀଙ୍କୁ ପୁଲିସ୍ ଥାନାରେ ବିନା କାରଣରେ ଅଟକ ରଖିଥିଲା। କେଉଁ କାରଣରୁ ଅଟକ ରଖାଯାଇଛି ବୋଲି ସେମାନେ ପଚାରିବାରୁ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର୍ ସଂଗ୍ରାମ କେଶରୀ ପଟ୍ଟନାୟକ ଦୁହିଁଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଦୁହିଁଙ୍କୁ ସେକ୍ସ ରୢାକେଟ୍ରେ ଫସାଇ ଦେବାକୁ ଧମକ ଦିଆଯାଇଥିଲା। ଏହି ନିର୍ଯାତନାରେ ଥାନାର ଦୁଇ ମହିଳା ଏସ୍ଆଇ ସସ୍ମିତା ଧଳ ଓ ମିନତି ନାୟକ ମଧ୍ୟ ସାମିଲ ଥିଲେ। ସେମାନେ ଯୁବତୀଦ୍ବୟଙ୍କୁ ଥାନାକୁ ଆଣିଥିଲେ।
ପରବର୍ତୀ ସମୟରେ ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ସମେତ ଦୁଇ ଏସ୍ଆଇଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା କମିସନ୍ଙ୍କୁ ରିପୋର୍ଟ କରାଯାଇଥିଲା। ରିପୋର୍ଟ ପାଇବା ପରେ କମିସନ୍ ସେମାନଙ୍କ ମତ ରଖିବା ପାଇଁ କହିଥିଲେ। ତେବେ ଏହି ଘଟଣାରେ ଦୁଇ ଭଉଣୀଙ୍କ ମାନବାଧିକାର ଉଲ୍ଲଂଘନ ହୋଇଥିବା କମିସନ୍ କହିଛନ୍ତି। ତେଣୁ ଦୁଇ ଭଉଣୀଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବା ଲାଗି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।