ଦୁଇ ଦିନରେ ଦୁଇ ଗ୍ରିନ କରିଡର, ଅଙ୍ଗ ପ୍ରତିରୋପଣ ରୋଗୀଙ୍କୁ ନିଆଗଲା ଏୟାରପୋର୍ଟ

ଭୁବନେଶ୍ବର: ଅଙ୍ଗ ପ୍ରତିରୋପଣ ହେବାକୁ ଥିବା ଦୁଇ ଜଣ ଗୁରୁତର ରୋଗୀଙ୍କୁ ଗ୍ରିନ କରିଡର(ସ୍ବତନ୍ତ୍ର ଏସକର୍ଟ)ରେ ନିଆଯାଇଛି। ସବୁଠୁ ବଡ଼ କଥା ହେଲା ପେଟ୍ରୋଲ ପମ୍ପ ବିସ୍ଫୋରଣ ଦିନ ଅର୍ଥାତ୍ ଗତ ୭ ତାରିଖ ରାତିରେ ଯେତେବେଳେ କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ସେତେବେଳେ ଏହି ଗ୍ରିନ କରିଡର ତିଆରି କରା ଯାଇଥିଲା। ଟ୍ରାଫିକ ପୁଲିସର ଏହି କାର୍ଯ୍ୟକୁ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୁଲିସ ବ୍ୟସ୍ତ ଥିବା ବେଳେ ଆମ୍ରି ହସ୍ପିଟାଲର ଜଣେ ଗୁରୁତର ରୋଗୀଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଏୟାରପୋର୍ଟ ଯିବାକୁ ପଡ଼ିବ ବୋଲି ପୁଲିସ କମିସନରଙ୍କ ନିକଟକୁ ଖବର ଆସିଥିଲା। ଗ୍ରିନ୍ କରିଡର ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ୩୬ରୁ ସ୍ବତନ୍ତ୍ର ଆମ୍ବୁଲାନ୍ସକୁ ଏସକର୍ଟ ଜରିଆରେ ଏୟାରପୋର୍ଟ ନିଆ ଯାଇଥିଲା। ଏସକର୍ଟରେ ଟ୍ରାଫିକ ଥାନାଧିକାରୀ ସୁରେନ୍ଦ୍ର ବଳ ଥିବା ବେଳେ ଛକରେ ଥିବା ଅଫିସରମାନଙ୍କ ସହ ଭିଏଚଏଫରେ ନିୟମିତ ଯୋଗାଯୋଗରେ ରହିଥିଲେ। ମାତ୍ର ୧୬ ମିନିଟ ଭିତରେ ଏୟାରପୋର୍ଟରେ ରୋଗୀଙ୍କୁ ପହଞ୍ଚା ଯାଇଥିଲା। ଏୟାର ଆମ୍ବୁଲାନ୍ସରେ ରୋଗୀଙ୍କୁ ହାଇଦ୍ରାବାଦ ପଠା ଯାଇଥିଲା। ସେହିପରି ଏହାର ପରଦିନ ଦ୍ବିତୀୟ ଗ୍ରିନ କରିଡର ତିଆରି ହୋଇଥିଲା। କିମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ ୪୦ରୁ ୪୫ ବର୍ଷୀୟ ରୋଗୀଙ୍କର ଫୁସ୍‌ଫୁସ ପ୍ରତିରୋପଣ ହେବାର ଥିଲା। ଏ ନେଇ ସେମାନେ ପୁଲିସ କମିସନରଙ୍କୁ ଅନୁମତି ମାଗିଥିଲେ। ୮ ତାରିଖ ରାତି ପ୍ରାୟ ୭ଟା ୫୦ରୁ କିମ୍‌ସ ହସ୍ପିଟାଲରୁ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଏୟାରପୋର୍ଟ ନିଆ ଯାଇଥିଲା। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରିନ କରିଡର ତିଆରି କରା ଯାଇଥିଲା। ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଏସକର୍ଟରେ ସାମିଲ ହୋଇଥିବା ବେଳେ କିଟ୍, ଡମଣା, ନାଲ୍‌କୋ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ଛକରେ ଅଫିସର ମୁତୟନ ରହିଥିଲେ। ଏୟାରପୋର୍ଟରେ ପହଞ୍ଚିବା ଲାଗି ଆମ୍ବୁଲାନ୍ସକୁ ପ୍ରାୟ ୧୪ ମିନିଟ ଲାଗିଥିଲା। ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ ରୋଗୀ ହାଇଦ୍ରାବାଦ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର