ବାଣୀବିହାର କ୍ୟାମ୍ପସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା: ତଡ଼ା ଖାଇବେ ଅଣଛାତ୍ର

କୁଳପତି, କୁଳସଚିବଙ୍କୁ ଘେରିଲା ଗୋଟିଏ ଗୋଷ୍ଠୀ, ଡିସିପି ଅଫିସ୍‌କୁ ଶୋଭାଯାତ୍ରାରେ ଗଲେ ଅନ୍ୟ ଏକ ଗୋଷ୍ଠୀ

ଭୁବନେଶ୍ବର: ଅଣଛାତ୍ରଙ୍କ ଲାଗି ପୁଣିଥରେ ଅଶାନ୍ତ ହୋଇଛି ବାଣୀବିହାର। କ୍ୟାମ୍ପସ୍‌ ଖୋଲିବାର ମାତ୍ର ୯ ଦିନ ହୋଇଛି କି ନାହିଁ, ଅଣଛାତ୍ର ନିଜର ପତିଆରା ଜାହିର କରିବା ଆରମ୍ଭ କରି ଦେଇଛନ୍ତି। ପରିଣାମସ୍ବରୂପ ଦୁଇ ଦିନ ହେଲା କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗି ରହିଛି। ଗତକାଲି ରାତିର ଗଣ୍ଡଗୋଳ ପରେ ଆଜି ସକାଳୁ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୋଟିଏ ଗୋଷ୍ଠୀର ଛାତ୍ରମାନେ କୁଳପତି, କୁଳସଚିବଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସନ୍ଧ୍ୟାରେ ଆଉ ଗୋଟିଏ ଗୋଷ୍ଠୀର ଛାତ୍ରମାନେ ଡିସିପିଙ୍କୁ ଭେଟି କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଦାବି କରିଛନ୍ତି। କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଏକ ପ୍ଲାଟୁନ୍‌ରୁ ଅଧିକ ପୁଲିସ୍‌ ମୁତୟନ ହୋଇଛନ୍ତି।

ଅନ୍ୟପକ୍ଷରେ କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବା ଲାଗି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ବସନ୍ତ କୁମାର ମଲ୍ଲିକଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବା ଲାଗି ଏଥିରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଣିକି ହଷ୍ଟେଲ ଭିତରକୁ ଅଣଛାତ୍ରଙ୍କୁ ପଶିବାକୁ ଦିଆଯିବ ନାହିଁ। ହଷ୍ଟେଲ୍‌ଗୁଡ଼ିକରେ ପରିଚୟପତ୍ର ବାଧ୍ୟତାମୂଳକ ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ପ୍ରବେଶ ପଥରୁ ଆରମ୍ଭ କରି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ। ହଷ୍ଟେଲଗୁଡ଼ିକରେ ଲାଗିଥିବା ସିସିଟିଭିଗୁଡ଼ିକୁ ମରାମତି କରାଯିବା ସହ ଆବଶ୍ୟକତା ଅନୁଯାୟୀ ଆହୁରି ସିସିଟିଭି ଲାଗିବ। ସୁରକ୍ଷାକର୍ମୀଙ୍କ ସଂଖ୍ୟାକୁ ବି ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି।

କୁଳପତି ପ୍ରଫେସର୍ ଆଚାର୍ଯ୍ୟ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯିବ। ଅଣଛାତ୍ରଙ୍କ ଯୋଗୁଁ କ୍ୟାମ୍ପସରେ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଛି। ତାହାକୁ ଦୃଷ୍ଟିରେ ରଖି ସିସିଟିଭି ମାଧ୍ୟମରେ ସମ୍ପୂର୍ଣ୍ଣ କ୍ୟାମ୍ପସ ଉପରେ ନଜର ରଖାଯିବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପକ୍ଷରେ ଅଣଛାତ୍ରଙ୍କୁ କ୍ୟାମ୍ପସରୁ କାଢ଼ିବା ସହ ପୁନଃ ନାମଲେଖା ଫି’ ଓ ହଷ୍ଟେଲ ଫି’ ଛାଡ଼ କରିବା ଦାବିରେ ସକାଳେ ଗୋଟିଏ ଗୋଷ୍ଠୀର ଛାତ୍ର କୁଳପତି କାର୍ଯ୍ୟାଳୟ ଘେରିଥିଲେ। ସେମାନେ କହିଥିଲେ ଯେ କରୋନା ପାଇଁ ଅନେକ ପରିବାର ଆର୍ଥିକ କ୍ଷତିଗ୍ରସ୍ତ ହୋଇଛି। ଫି’ ଦାଖଲ କରିବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ। ତେଣୁ ଉପରୋକ୍ତ ଫି’ ଛାଡ଼ କରାଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଲିଖିତ ଆକାରରେ କହିଥିଲେ। ଏନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଆଲୋଚନା କରିବା ପରେ କୁଳପତି ପ୍ରଫେସର ଆଚାର୍ଯ୍ୟ ଗଣମାଧ୍ୟମରେ କହିଛନ୍ତି ଯେ ନାମଲେଖା ଫି’ ବାବଦରେ ଖୁବ୍‌ଶୀଘ୍ର ଆଲୋଚନା ହେବ। ଏଥିପାଇଁ ଏକ କମିଟି ଗଠନ କରାଯିବ। କମିଟିର ସଦସ୍ୟଙ୍କ ରିପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯିବ। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଯେଉଁ ଅଭିଯୋଗ ହେଉଛି, ସେନେଇ ଯାଞ୍ଚ କରାଯିବ।

ଅପରାହ୍‌ଣରେ ଡିସିପିଙ୍କୁ ଭେଟିଥିବା ଛାତ୍ରଗୋଷ୍ଠୀ କହିଛନ୍ତି ଯେ କେତେଜଣ ନିର୍ଦ୍ଦିଷ୍ଟ ଛାତ୍ର ଓ ଅଣଛାତ୍ରଙ୍କ ପାଇଁ କ୍ୟାମ୍ପସ ବାରମ୍ବାର ଅଶାନ୍ତ ହେଉଛି। ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟ ପରିସରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀ କ୍ୟାମ୍ପସରେ ରହିବାକୁ ଡରୁଛନ୍ତି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଏ ବିଷୟରେ ଆଲୋଚନା କରି ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଗତକାଲି ଗଣ୍ଡଗୋଳରେ ଯେଉଁମାନେ ସମ୍ପୃକ୍ତ ଥିଲେ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର