ଓଡ଼ିଶାରେ ମୁଙ୍ଗେର ବନ୍ଧୁକ ବେପାରୀ, ଭଦ୍ରକରେ ଡିଲ୍ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍

୫ ବନ୍ଧୁକ, ୭ ମାଗାଜିନ୍, ୭ ଗୁଳି ଜବତ

ବସ୍‌, ଟ୍ରେନ୍ ଯୋଗେ ବିହାରରୁ ଆସୁଛି ବନ୍ଧୁକ
କେମିତି ଜାଣିପାରୁ ନ ଥିଲା ପୁଲିସ?

ଭୁବନେଶ୍ବର : ଓଡ଼ିଶାରେ ଡେରା ପକାଇଛନ୍ତି ବନ୍ଧୁକ ବେପାରୀ। ଚୋରା ବନ୍ଧୁକର କାରଖାନା କୁହାଯାଉଥିବା ବିହାର ମୁଙ୍ଗେରର ବ୍ୟବସାୟୀ ଏବେ ଓଡ଼ିଶାରେ। ବର୍ଷ ବର୍ଷ ଧରି ରହି ବନ୍ଧୁକ ବେପାର ଚଳାଇଥିଲା। କିନ୍ତୁ ସ୍ଥାନୀୟ ପୁଲିସ ଟେର୍ ପାଉ ନ ଥିଲା। ଏମିତି ଏକ ବନ୍ଧୁକ ରାକେଟର ପର୍ଦ୍ଦାଫାସ୍ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ଦୁଇଜଣ ହେଲେ ବାଲେଶ୍ବର ଟାଉନରେ ରହୁଥିବା ବିହାର ମୁଙ୍ଗେରର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ବର ଶ୍ରୀକୃଷ୍ଣପୁର ଅଞ୍ଚଳର ବିଶ୍ବନାଥ ବିଶୋୟୀ। ଉଭୟଙ୍କ ଠାରୁ ୫ଟି ୭ ଏମ୍ଏମ ପିସ୍ତଲ, ୭ଟି ମାଗାଜିନ୍ ଓ ୭ଟି ଗୁଳି ଜବତ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଭଦ୍ରକ ଏସଡିଜେଏମ୍ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ମୁଙ୍ଗେରର ରବୀନ୍ଦ୍ର ପ୍ରସାଦ ଦୀର୍ଘଦିନ ଧରି ବାଲେଶ୍ବର ଟାଉନରେ ରହି ବନ୍ଧୁକ ବେପାର ଚଳାଇଥିଲା। ବିହାରରୁ ଟ୍ରେନ୍ ଓ ବସ ଯୋଗେ ବନ୍ଧୁକ ଆଣି ବେପାର କରେ। ଏଥିପାଇଁ କେତେକ ଏଜେଣ୍ଟକୁ ନିୟୋଜିତ କରିଛି। ଏଜେଣ୍ଟମାନେ ମୁଙ୍ଗେର ଯାଇ ସେଠାରୁ ବନ୍ଧୁକ ଆଣି ରବୀନ୍ଦ୍ର ପାଖରେ ପହଞ୍ଚାନ୍ତି। ମାତ୍ର ୧୦ରୁ ୧୫ ହଜାର ଟଙ୍କାରେ ଆସୁଥିବା ବନ୍ଧୁକକୁ ଏଠାରେ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଏ। ରବୀନ୍ଦ୍ର ନିଜେ ସବୁ ଡିଲ୍ କରେ। ଗତକାଲି ଭଦ୍ରକ ରାଣୀତାଲ ପାଖରେ ବନ୍ଧୁକ ଡିଲ୍ କରୁଥିବା ବେଳେ ଖବର ପାଇ ଏସଟିଏଫ୍ ରବୀନ୍ଦ୍ର ଓ ତାର ସହଯୋଗୀ ବିଶ୍ବନାଥକୁ କାବୁ କରିଥିଲା। ରବୀନ୍ଦ୍ର ଦୀର୍ଘ ବର୍ଷ ଧରି ବାଲେଶ୍ବର ଟାଉନରେ ରହି ବନ୍ଧୁକ ବେପାର କରୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ କେମିତି ଜାଣିପାରୁ ନ ଥିଲା ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ। ରବୀନ୍ଦ୍ର ପୂର୍ବରୁ କେତେ ବନ୍ଧୁକ ବିକ୍ରି କରିଛି? କେତେ ବନ୍ଧୁକ ଅପରାଧୀ ଗ୍ୟାଙ୍ଗକୁ ଯୋଗାଇଛି? ଅପରାଧୀଙ୍କ ବ୍ୟତୀତ ତା ଠାରୁ ବିଲ୍ଡର, ଠିକାଦାର, ମାଫିଆ ଓ ପ୍ରଭାବଶାଳୀ ବ୍ୟକ୍ତି କେତେ ବନ୍ଧୁକ ନେଇଛନ୍ତି? ଆଉ କେଉଁଠି ବନ୍ଧୁକ ଲୁଚାଇ ରଖିଛି? ସେ ସମ୍ପର୍କରେ ଖୋଳତାଡ଼ କରିବା ଲାଗି ରବୀନ୍ଦ୍ରକୁ ଏସଟିଏଫ୍ ରିମାଣ୍ଡରେ ଆଣିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେବଳ ରବୀନ୍ଦ୍ର ନା ଆଉ ବନ୍ଧୁକ ବେପାରୀ ଓଡ଼ିଶାରେ ଲୁଚି ରହିଛନ୍ତି ତାହା ମଧ୍ୟ ଏସଟିଏଫ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ବର୍ଷକ ଭିତରେ ଏସଟିଏଫ୍ ୨୭ ବନ୍ଧୁକ, ୬୦ ରାଉଣ୍ଡ ଗୁଳି ଜବତ କରିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜଧାନୀରେ ବିହାର ଓ ଝାଡ଼ଖଣ୍ଡର ଅନେକ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି। ଏପରିକି ଏଠାକୁ ଦୁଇ ରାଜ୍ୟରୁ ଇଞ୍ଜିନିୟରିଂ ପଢ଼ିବାକୁ ଆସୁଥିବା ଛାତ୍ରମାନେ ଚୋରା ବନ୍ଧୁକ କାରବାରରେ ସକ୍ରିୟ ରହୁଛନ୍ତି। ଘରକୁ ଯାଇ ଫେରିବା ସମୟରେ ସାଙ୍ଗରେ ବନ୍ଧୁକ ଆଣି ବିକ୍ରି କରନ୍ତି ବୋଲି ପୂର୍ବରୁ ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର