ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ଏୟାର୍ଫିଲ୍ଡ ଥାନା ବୀରବନ୍ଧ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। କେହି ଦୁର୍ବୃତ୍ତ ପ୍ରଧାନସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ ବେହେରା(୬୮)ଙ୍କୁ ହତ୍ୟାକରି ଗାଁ ଦାଣ୍ଡରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡର ସମ୍ମୁଖ ଭାଗରେ କ୍ଷତ ଚିହ୍ନ ଥିବାରୁ ମୁଣ୍ଡକୁ କୌଣସି ଓଜନିଆ ବସ୍ତୁରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି। ମାତ୍ର ମୃତଦେହ ମିଳିଥିବା ସ୍ଥାନରୁ ତଥା ଆଖପାଖ ଅଞ୍ଚଳରୁ ହତ୍ୟାରେ ବ୍ୟବହୃତ ଜିନିଷ ମିଳିପାରିନାହିଁ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ସେହି ଗାଁର ଜଣେ ନିଶାଡ଼ିକୁ ଅଟକ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ବୁଧବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ଗାଁର କିଛି ଲୋକ ବାଉରୀବନ୍ଧୁଙ୍କ ମୃତଦେହ ତାଙ୍କ ପଡ଼ୋଶୀ ପ୍ରମୋଦ ସାମନ୍ତରାୟଙ୍କ ଘର ସମ୍ମୁଖରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିିଥିବା ଦେଖିଥିଲେ। ମୁଣ୍ଡ ସମ୍ମୁଖ ଭାଗରେ ଅର୍ଥାତ୍ କପାଳ ପାଖକୁ ଏକ ଗଭୀର କ୍ଷତ ହୋଇଥିଲା। ପ୍ରବଳ ରକ୍ତସ୍ରାବ ହେଉଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଚାହୁଁଚାହୁଁ ଗାଁ ଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ଖବର ପାଇ ଏୟାର୍ଫିଲ୍ଡ ଥାନା ପୁଲିସ ପହଞ୍ଚିଥିଲା। ବାଉରୀବନ୍ଧୁ ଜଣେ ଲୋକପ୍ରିୟ ମଣିଷ ହୋଇଥିବାରୁ ତାଙ୍କ ହତ୍ୟାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ପୂର୍ବରୁ ଗ୍ରାମର ଜଣେ ନିଶାଡ଼ି ସହ ବାଉରୀବନ୍ଧୁଙ୍କର କଥା କଟାକଟି ହୋଇଥିବାରୁ ସେ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ଏଣୁ ହତ୍ୟାକାଣ୍ଡ ପଛରେ ତାର ହାତ ଥିବା ବାଉରୀବନ୍ଧୁଙ୍କ ପୁଅ କରୁଣାକର ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସେହି ନିଶାଡ଼ିଙ୍କୁ ଉଠାଇ ଥାନାକୁ ନେବା ସହିତ ତା ଘରକୁ ମଧ୍ୟ ଛାନ୍ଭିନ୍ କରିଥିଲା। ବାଉରୀବନ୍ଧୁ କ’ଣ ପାଇଁ ରାତିରେ ଉଠି ଦାଣ୍ଡକୁ ଯାଇଥିଲେ? କେଉଁ ପରିସ୍ଥିତିରେ ସେ ଦୁର୍ବୃତ୍ତର ସମ୍ମୁଖୀନ ହେଲେ? ଉଭୟଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡ କେହି କେମିତି ଶୁଣିପାରିଲେ ନାହିଁ? ଏମିତି ବହୁ ପ୍ରଶ୍ନକୁ ନେଇ ଗାଁରେ ଚର୍ଚ୍ଚା ଚାଲିଛି। କିନ୍ତୁ ଶବ ବ୍ୟବଚ୍ଛେଦ ବେଳେ ଡାକ୍ତର ଭିନ୍ନ କଥା ସନ୍ଦେହ କରିଛନ୍ତି। ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବାଉରୀବନ୍ଧୁଙ୍କ ମୃତ୍ୟୁ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।
ଠିକାଦାରଙ୍କୁ ଛେଚି ମାରିଦେଲେ
ତ୍ରିଶୂଳିଆ: ମଙ୍ଗଳବାର ରାତିରେ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁରରେ ଜଣେ ପେଟି ଠିକାଦାର କେନ୍ଦ୍ରାପଡ଼ାର ତୋଫାନ ସାମଲଙ୍କୁ ସଂଘବଦ୍ଧ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଛି। ପାଖ ବସ୍ତିର ୨୦/୨୫ଜଣ ଯୁବକ ତୋଫାନଙ୍କୁ ଇଟାରେ ମୁଣ୍ଡକୁ ଛେଚି ତାଙ୍କୁ ମାରିଦେଇଥିବା ଜଣାପଡ଼ିଛି। ବାପାଙ୍କୁ ବଞ୍ଚାଇବାକୁ ନାବାଳକ ପୁଅ ଉଦ୍ୟମ କରି ଆହତ ହୋଇଛି। ପୁଲିସ ଏହି ମାମଲାରେ ଜଣକୁ ଅଟକ ରଖିଛି ଏବଂ ଘଟଣା ପରେ ଫେରାର ହୋଇଯାଇଥିବା ଅନ୍ୟମାନଙ୍କୁ ଧରିବାକୁ ଚଢ଼ଉ ଚଳାଇଛି।
ଗତକାଲି ରାତି ପ୍ରାୟ ୯ଟାବେଳେ ଏହି କାଣ୍ଡ ଘଟିଥିଲା। କଟକରୁ ମହାନଦୀବିହାରରୁ ବିସ୍ଥାପିତ କିଛି ବସ୍ତିବାସିନ୍ଦାଙ୍କ ପାଇଁ ନରଣପୁରରେ ନିର୍ମାଣ କରାଯାଉଥିବା ଆବାସ ଆପାର୍ଟମେଣ୍ଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏହି ଜାଗାରେ ତୋଫାନ ପେଟି ଠିକାଦାର ଭାବେ କାମ କରୁଥିଲେ ଏବଂ ଏକ ଆଜ୍ବେଷ୍ଟସ୍ ସେଡ୍ କରି ରହୁଥିଲେ। ବିଭିନ୍ନ ସମୟରେ ବସ୍ତି ପିଲାମାନେ ତାଙ୍କ ଆଜ୍ବେଷ୍ଟସ୍କୁ ଢେଲା ପକାଉଥିଲେ। ତେଣୁ ତୋଫାନ ସେମାନଙ୍କୁ ଆକଟ କରିଥିଲେ। ଏହାକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ପୁଣି ଢେଲା ମାଡ଼ ହେବାରୁ ତୋଫାନ ପଦାକୁ ବାହାରି ଆସି ବସ୍ତିଲୋକଙ୍କୁ ଜଣାଇଥିଲେ। ମାତ୍ର ପୂର୍ବରୁ ପ୍ରସ୍ତୁତ ଥିବା କିଛି ଯୁବକ ତାଙ୍କୁ ଘେରି ଯାଇଥିଲେ ଏବଂ ଅତର୍କିତ ଆକ୍ରମଣ କରିଥିଲେ। ତୋଫାନ ପାଟି କରିବାରୁ ପୁଅ ଧାଇଁଯାଇ ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସେତେବେଳକୁ ଯୁବକମାନେ ତୋଫାନଙ୍କୁ ଭଙ୍ଗା ଇଟାରେ ମୁହଁ ଓ ମୁଣ୍ଡକୁ ପିଟି ଥିଲେ। ତୋଫାନଙ୍କ ପୁଅ ବି ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେତେବେଳକୁ ସେ ପ୍ରାଣ ହରାଇସାରିଥିଲେ। ସକାଳୁ ପୁଲିସ ଘଟଣାସ୍ଥଳକୁ ଆସି ଆକ୍ରମଣରେ ବ୍ୟବହୃତ ଇଟା ଜବତ କରିଛି।