ଉନ୍ମାଦ ଯୁବକର ତୁମୁଳକାଣ୍ଡ: ଅସଦାଚରଣ କଲା, ଛୁରି ଭୁସିଲା

ଭୁବନେଶ୍ବର : ଦୁଇ ଦୁଇ ଜଣ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ଅସଦାଚରଣ କଲା। ପ୍ରତିବାଦ କରିବାରୁ ଦୁଇ ଯୁବକଙ୍କୁ ଛୁରି ଭୁସି ଗୁରୁତର କଲା। ବାଣୀବିହାର ରେଲ୍‌ୱେ ଷ୍ଟେସନ୍ ଅଞ୍ଚଳରେ ସୋମବାର ଦିନ ଝାଡ଼ଖଣ୍ଡର ଜଣେ ଉନ୍ମାଦ ଯୁବକର ଏହି ଭୟଙ୍କର କାଣ୍ଡ ପ୍ରାୟ ଘଣ୍ଟାଏ କାଳ ଆତଙ୍କ ଖେଳାଇ ଦେଇଥିଲା। ଅବଶ୍ୟ ପରେ ସ୍ଥାନୀୟ ଲୋକେ ତାକୁ ପ୍ରାୟ ୩ କିମି ରାସ୍ତା‌ ପିଛା କରି ବଡ଼ କଷ୍ଟରେ କାବୁ କରିବା ପରେ ବହେ ଛେଚି ପୁଲିସ ଜିମା ଦେଇଥିଲେ। ସହିଦନଗର ଥାନା ପୁଲିସ ଗିରଫ କରିଥିବା ଉନ୍ମାଦ ଯୁବକ ହେଲା ଭିଏସ୍‌ଏସ୍‌ନଗରରେ ରହୁଥିବା ଝାଡ଼ଖଣ୍ଡର ଶିବ ପ୍ରସାଦ ସାହୁ(୩୦)। ଶିବର ଛୁରି ଭୁସାରେ ଆହତ ହୋଇଥିବା ଦୁଇ ଯୁବକ ହେଲେ ତେଲ୍‌ଗୁବସ୍ତିର ପ୍ରଶାନ୍ତ କୁମାର ବିଶ୍ବାଳ ଓ ଦିଲ୍ଲୀପ କୁମାର କବାଟ। ପୁଲିସ ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ କରାଇଛି।

ସୂଚନା ମୁତାବକ ସକାଳ ପାଖାପାଖି ସାଢ଼େ ୮ଟା ସମୟରେ ଜଣେ ଯୁବତୀ ତେଲ୍‌ଗୁବସ୍ତି ନିକଟରେ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ଅଭିଯୁକ୍ତ ଶିବ ତାଙ୍କୁ କମେଣ୍ଟ କରିଥିଲା। ମାତ୍ର ଯୁବତୀ ଜଣକ କୌଣସି ପ୍ରତିକ୍ରିୟା ନ ଦେଖାଇ ଆଗକୁ ଚାଲିଥିଲେ। କିନ୍ତୁ ଶିବ ଯୁବତୀଙ୍କ ପିଛା ଛାଡ଼ିନଥିଲା। ଯୁବତୀଜଣକ ରେଲ୍‌ୱେ ଫୁଟ୍‌ ଓଭରବ୍ରିଜ୍‌ ଉପର ଦେଇ ଯାଉଥିବା ବେଳେ ଶିବ ତାଙ୍କୁ ଅଟକାଇବା ସହ ଟଣାଓଟରା କରିଥିଲା। ତେବେ ସେତିକିବେଳେ ସେହି ବାଟ ଦେଇ ଯାଉଥିବା ଅନ୍ୟ ଜଣେ ଯୁବତୀ ପ୍ରତିବାଦ କରିବାରୁ ଶିବ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲା ଓ ଯୁବତୀଙ୍କ ହାତରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ତଳେ କଚାଡ଼ି ଭାଙ୍ଗି ଦେଇଥିଲା। ଦୁଇ ଯୁବତୀଙ୍କ ଚିତ୍କାର ଶୁଣି ରବୀନ୍ଦ୍ର ବେହେରା, ଦିଲ୍ଲୀପ, ପ୍ରଶାନ୍ତ ଏବଂ ଅନ୍ୟମାନେ ସେଠାକୁ ଧାଇଁ ଆସିଥିଲେ। ସେମାନଙ୍କୁ ଦେଖି ଶିବ ହଠାତ୍ ଏକ ଛୁରି ବାହାର କରି ଆକ୍ରମଣ ପାଇଁ ଗୋଡ଼ାଇଥିଲା। ଡରି ନଯାଇ ପ୍ରଶାନ୍ତ ଓ ଦିଲ୍ଲୀପ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଶିବ ପାଗଳ ଭଳି ସେମାନଙ୍କୁ ଛୁରିରେ ଭୁସି ପକାଇଥିଲା। ଫଳରେ ପ୍ରଶାନ୍ତଙ୍କ ବାମ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେହିପରି ଦିଲ୍ଲୀପଙ୍କ ଜଙ୍ଘରେ ମଧ୍ୟ ବଡ଼ କ୍ଷତ ହୋଇଥିଲା। ଭୟରେ ରବୀନ୍ଦ୍ର ଦୌଡ଼ିଯିବାରୁ ଶିବ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ଦୁଇ ଦୁଇ ଜଣଙ୍କୁ ରକ୍ତାକ୍ତ ଆକ୍ରମଣ କରି ଶିବ ଖସିଯିବାକୁ ଧାଇଁଥିଲା। ମାତ୍ର ସ୍ଥାନୀୟ ଲୋକେ ତାକୁ ଯିବାକୁ ଦେଇନଥିଲେ। କେହି ତା ପାଖକୁ ଯିବାକୁ ସାହସ କରୁନଥିଲେ ମଧ୍ୟ ନିରାପଦ ଦୂରତାରେ ପିଛା କରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା। ମାତ୍ର ଶିବର ଭୟଙ୍କର ରୂପ ଦେଖି ପାଖକୁ ଯିବା ପାଇଁ ପୁଲିସର ଜୁ’ନଥିଲା। ପାଖାପାଖି ୩ କିମି ଧାଁ ଦୌଡ଼ ପରେ ମଞ୍ଚେଶ୍ବର ନିକଟରେ ଲୋକମାନେ ତାକୁ ଚାରିପଟୁ‌ ଘେରିଯାଇ କାବୁ କରିନେଇଥିଲେ। ନିସ୍ତୁକ ପିଟିବା ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର