ଭୁବନେଶ୍ବର : ୮୦ଲକ୍ଷ ଟଙ୍କାର ସୁନାକୁ ଆମେ ୨୦ଲକ୍ଷ ଟଙ୍କାରେ ଦେବାକୁ ଚାହୁଛୁ। ବଡ଼ ବିପଦରେ ପଡ଼ିଛୁ, ଯେତେଶୀଘ୍ର ସୁନା ବିକି ଛତିଶଗଡ଼ସ୍ଥିତ ନିଜ ଗାଁକୁ ପଳାଇବୁ। ଗତ କିଛି ଦିନ ଧରି ୨ଜଣ ଅନ୍ତଃରାଜ୍ୟ ନକଲି ସୁନା ବିକ୍ରେତା ରାଜଧାନୀରେ ଏଭଳି କିଛି ବସ୍ତି ଓ ପ୍ରମୁଖ ଛକ ଅଞ୍ଚଳ ବୁଲି ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଥିଲେ। ଖବର ପାଇ ସେମାନଙ୍କୁ ସହିଦନଗର ପୁଲିସ ସାଇନ୍ସପାର୍କ ବସ୍ତିରୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଛତିଶଗଡ଼ ପାଵାର ହାଉସ୍ର ମୋହନ ସୋଲାଙ୍କି(୫୦) ଓ ଘନଶ୍ୟାମ ସୋଲାଙ୍କି। ଉଭୟଙ୍କ ପାଖରୁ ପୁଲିସ ୨କେଜି ନକଲି ସୁନା ମାଳି, ମୋବାଇଲ ଜବତ କରିଛି। ଏହି ଅନ୍ତଃରାଜ୍ୟ ଠକ ଏକାଧିକ ରାଜ୍ୟ ବୁଲି ଲୋକଙ୍କୁ ଠକୁଥିବା ପୁଲିସ ସନ୍ଦେହ କରିଛି। ଛତିଶଗଡ଼ର ସ୍ଥାନୀୟ ଥାନା ବ୍ୟତୀତ ଭୁବନେଶ୍ବରର ଏକାଧିକ ଅଞ୍ଚଳ ବୁଲିଥିବା ଥାନାଧିକାରୀଙ୍କୁ ସ୍ପେସାଲ୍ ସ୍କ୍ବାଡ୍ ଘଟଣା ସଂପର୍କରେ ଅବଗତ କରାଇଛି।
ମିଳିଥିବା ସୂଚନାନୁସାରେ, ଦୁଇ ଧୂର୍ତ୍ତ ଗତ କିଛି ଦିନ ହେଲା, ୧୦ରୁ ଅଧିକ ସୁନାମାଳି (ଆନୁମାନିକ ୨ କେଜି) ଧରି ଲୋକଙ୍କୁ ବିକ୍ରି କରିବେ ବୋଲି କହୁଥିଲେ। ସୁନା ସତ କି ମିଛ ତା’ ପ୍ରମାଣ କରିବା ପାଇଁ ପାଖରେ ୩ଟି ଅସଲି ସୁନା ବଲ୍ ଲୋକଙ୍କୁ ଦେଖାଉଥିଲେ। ଉକ୍ତ ସୁନା ବଲ୍ ପରୀକ୍ଷା କରାଇବା ପରେ ୮୦ଲକ୍ଷ ଟଙ୍କାର ସୁନାକୁ ମାତ୍ର ୨୦ଲକ୍ଷ ଟଙ୍କାରେ ଦେବାକୁ ଲୋଭ ଦେଖାଉଥିଲେ। ମାତ୍ର ଉଭୟଙ୍କ ଚଞ୍ଚକତାକୁ ସନ୍ଦେହ କରି କିଛି ଲୋକ ଖବର ଦେବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/fake-gold-chain.jpg)