ଭୁବନେଶ୍ବର: ଭୁବନେଶ୍ବର-ଖୋର୍ଦ୍ଧା ରାଜପଥରେ ଆତଙ୍କ ସୃଷ୍ଟି କରିଥିବା ଡେଙ୍ଗା-ଗେଡ଼ା ଲୁଟେରା ଧରାପଡ଼ିଛନ୍ତି। ଦୀର୍ଘ ଦିନ ପରେ ଏହି ଦୁଇ କୁଖ୍ୟାତ ଲୁଟେରାଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଉଭୟ ଲୁଟେରାଙ୍କ ସହ ଲୁଟ୍ ମୋବାଇଲ ଫୋନ୍ କିଣିଥିବା ଜଣେ ଗ୍ରାହକ ମଧ୍ୟ ବନ୍ଧା ହୋଇଛି। ସେମାନଙ୍କ ଠାରୁ ଦୁଇଟି ଚୋରା ବାଇକ୍ ସହ ୧୫ଟି ଦାମୀ ମୋବାଇଲ ଫୋନ୍ ଜବତ ହୋଇଛି। ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜପଥରେ ଦୁଇ ବର୍ଷ ମଧ୍ୟରେ ଶତାଧିକ ଲୋକଙ୍କୁ ଏଭଳି ଲୁଟିଥିବା ପଚରା ଉଚରାରେ ଜଣାପଡ଼ିଛି।
ଉଭୟ ଲୁଟେରା ହେଉଛନ୍ତି ଜଟଣୀ ଯାଁଳା ଉତ୍ତର ମୁଣ୍ଡମୁହାଁଣର ଦେବାଶିଷ ପୂଜାପଣ୍ଡା ଓରଫ ସୋନୁ ଓ ପାତ୍ରପଡ଼ା ଉଦୟଗିରି ବିହାରରେ ରହୁଥିବା କ୍ରୀଷ୍ଣା ସିଂହ ଓରଫ କିଷନ। ଏମାନଙ୍କ ଠାରୁ ଚୋରା ମୋବାଇଲ କିଣିଥିବା ଗ୍ରାହକ ହେଉଛି ଉତ୍ତର ମୁଣ୍ଡମୁହାଁଣର ବସନ୍ତ ନାୟକ ଓରଫ ବାଇନ। ବାଇନକୁ ଗିରଫ କରାଯିବା ସହ ତା’ ଠାରୁ ଚୋରା ମୋବାଇଲ ମଧ୍ୟ ଜବତ କରାଯାଇଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୋନୁ ନାମରେ ଖଣ୍ଡଗିରି ଥାନାରେ ୩ଟି ମାମଲା ଥିବା ବେଳେ ଜଟଣୀ ଥାନାରେ ଗୋଟିଏ ମାମଲା ରହିଛି। ଲୁଟ୍ପାଟ୍ ସହ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଛି। ସେହିଭଳି କିସନ ନାମରେ ଖଣ୍ଡଗିରି ଥାନାରେ ୩ଟି ମାମଲା ରହିଛି। ପୁଲିସ ସୂଚନା ମୁତାବକ, ଗତ ଜୁନ୍ ୩୦ ତାରିଖରେ ଭଦ୍ରକ ବନ୍ତ ବଇପୁରର ହରେକୃଷ୍ଣ ସେନାପତି ଖଣ୍ଡଗିରିରୁ ପାହାଳ ଫେରୁବା ବେଳେ ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ ଉପରେ ତାଙ୍କୁ ଏହି ଡେଙ୍ଗା-ଗେଡ଼ା ଯୋଡ଼ି ତାଙ୍କୁ ଅଟକାଇ ମୋବାଇଲ ଝାମ୍ପି ନେଇଥିଲେ। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/arrest-a.jpg)