୧୪ ମାସ ପରେ ଲୁଟ୍‌ ଟାଟା ଏସ୍‌ ଜବତ, ୨ ଗିରଫ

ବାଲିଅନ୍ତା : ନଖରା-ନିଆଳି ରାସ୍ତାରୁ ଟାଟା ଏସ୍‌ ଗାଡ଼ି ଲୁଟ୍‌ ମାମଲା‌ରେ ବାଲିଅନ୍ତା ଥାନା ପୁଲିସ ଆଜି ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବାଗଲପୁର ଗ୍ରାମର ପ୍ରଭାତ ସାମଲ(୩୫) ଓ କଟକ ଜିଲ୍ଲା କନ୍ଦରପୁର ଥାନା ବିରିବାଟି ଗ୍ରାମର ଶିବ ପ୍ରସାଦ ଭୋଇ(୨୩)। ତେବେ ଏଥିରେ ସଂପୃକ୍ତ ଅନ୍ୟ ଜଣେ ଯୁବକକୁ ପୁଲିସ ଗିରଫ କରି ପାରିନାହିଁ। ୧୪ ମାସ ତଳେ ଏମାନେ ନଖରା-ନିଆଳି ମୁଖ୍ୟ ରାସ୍ତାର ଅନନ୍ତପୁରଠାରେ ଚାଳକଙ୍କୁ ମାଡ଼ ମାରି ଟାଟା ଏସ୍‌ ଲୁଟ୍‌ କରିଥିଲେ।
ଗତ ୧୪ ତାରିଖରେ ନଖରା ଛକ ନିକଟ ଖାରବେଳ ଇଷ୍ଟେଟ୍‌ ନିଛାଟିଆ ରାସ୍ତାରେ ନିଆଳିସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କର ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ଘଟଣାରେ ସ୍ପେସାଲ ସ୍କ୍ବାଡ୍‌ ଗତ ସପ୍ତାହରେ ବିଭିନ୍ନ ଅଞ୍ଚଳରୁ ୧୦ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇଥିଲା। ସନ୍ଦିଗ୍ଧଙ୍କ ମଧ୍ୟରେ ପ୍ରଭାତ ଓ ଶିବ ଥିଲେ। ସେମାନଙ୍କୁ ପଚରାଉଚରା କରିବାରୁ ୧୪ ମାସ ତଳେ ଏକ ଟାଟା ଏସ୍‌ ଗାଡ଼ି ଲୁଟ୍‌ କରିଥିବା ମାନି ଯାଇଥିଲେ। ଚୋରା ଗାଡ଼ିଟି କନ୍ଦରପୁର ଅଞ୍ଚଳରେ ଥିବା ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଗତକାଲି ରାତି ୧୧ଟାରେ ଚଢ଼ଉ କରିଥିଲେ।

ସୂଚନାନୁଯାୟୀ, ୨୦୧୮ ଏପ୍ରିଲ ୫ ତାରିଖରେ ପ୍ରଭାତ, ଶିବ ଓ ଅନ୍ୟ ଜଣେ ସହଯୋଗୀ ଖୋର୍ଧାରୁ ଭଡ଼ା ସୂତ୍ର‌ରେ ଟାଟା ଏସ୍‌ ଗାଡ଼ି ନେଇଥିଲେ। ଅନନ୍ତପୁରଠାରୁ କିଛି ଦୂରରେ ଥିବା ଏକ ନିଚ୍ଛାଟିଆ ସ୍ଥାନରେ ସେମାନେ ଗାଡ଼ି ଚାଳକ ରମେଶଙ୍କୁ ମାଡ଼ ମାରି ଗାଡ଼ି ଲୁଟି ନେଇଥିଲେ। ଏ ସଂପର୍କରେ ଗାଡ଼ି ମାଲିକ ପାହାଳ ଫାଣ୍ଡିରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୮୬/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର