ଭୁବନେଶ୍ୱର : ମଙ୍ଗଳବାର ନୂଆପଲ୍ଲୀ ଥାନା ପୁଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସାଲିଆସାହି ନୀଳଚକ୍ରନଗରର ସପନା ସାହୁ(୨୨) ଓ ଲକ୍ଷ୍ମୀନଗରର ପ୍ରଶାନ୍ତ କୁମାର ପରିଡ଼ା ଓରଫ୍ ଲଖିଆ(୨୨)। ପୁଲିସ ସେମାନଙ୍କଠାରୁ ୫ଟି ଚୋରା ବାଇକ୍‌ ଜବତ କରିଛି। ତେବେ ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଏମ୍‌ ଦେବା ରେଡ୍ଡୀ ଓରଫ୍‌ ପଣ୍ଡି ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଛି।

Advertisment

ସୂଚନାନୁସାରେ ଗତକାଲି ସାଲିଆସାହିସ୍ଥିତ ମହିଳାଟାଙ୍କି ଛକ ନିକଟରେ ପୁଲିସ ବ୍ଲକିଂ ଓ ଚେକିଂ କରୁଥିଲା। ଏହି ସମୟରେ ଏକ ନମ୍ବରବିହୀନ ବାଇକ୍‌ରେ ଉପରୋକ୍ତ ଅଭିଯୁକ୍ତମାନେ ଆସୁଥିଲେ। ହଠାତ୍ ଆଗରେ ଚେକିଂ ହେଉଥିବା ଦେଖି ଭୟରେ ସେମାନେ ବାଇକ୍‌ ଛାଡ଼ି ଫେରାର୍ ହେବାକୁ ଧାଇଁଥିଲେ। ପଣ୍ଡି ସାଲିଆସାହି ଭିତରେ ଅନ୍ତର୍ଦ୍ଧାନ ହୋଇ ଯାଇଥିବାବେଳେ ପୁଲିସ ସପନା ଓ ଲଖିଆକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଏମାନେ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ବୋଲି ଜଣାପଡ଼ିଥିଲା। ରାତାରାତି ପୁଲିସ ସେମାନଙ୍କଠାରୁ ଆଉ ୪ଟି ବାଇକ୍‌ ଜବତ କରିଥିଲା। ସେମାନେ ବାଇକ୍‌ ଚୋରି କରିବା ପରେ ଗ୍ରାହକ ଦେଖି ବିକ୍ରି କରୁଥିଲେ ଓ ଯେଉଁ ବାଇକ୍‌ ବିକ୍ରି ହୋଇପାରୁନଥିଲା, ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି କବାଡ଼ିଆକୁ ବିକି ଦେଉଥିଲେ ବୋଲି ମାନି ଯାଇଥିଲେ। ନିକଟରେ ସେମାନେ ଏକ ପଲ୍‌ସର ବାଇକ୍‌ କାଟି ବିକିଥିବା ସ୍ବୀକାର କରିଥିଲେ। ଏହି ଗ୍ୟାଙ୍ଗ୍‌ ନାଁରେ ନୂଆପଲ୍ଲୀ ସମେତ ଅନ୍ୟାନ୍ୟ ଥାନାରେ ଚୋରି ମାମଲା ରହିଥିବା ଜଣାପଡ଼ିଛି। ସପନା ଓ ଲଖିଆ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ଖଣ୍ଡଗିରି, ସାଲିଆସାହି, ସିଆରପିଏଫ୍‌ ଅଞ୍ଚଳରୁ ବିଭିନ୍ନ ଲୁଟପାଟ୍ କରୁଥିବା ପୁଲିସ ସୂଚନା ଦେଇଛି।