ଅଳ୍ପକେ ଖସିଗଲେ ଲୁଟେରା ଯୋଡ଼ି!

ବାଲିଅନ୍ତା/ ବାଲିପାଟଣା: ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ଗୋଟିକ ଗୋଟିଏ ଲୁଟ୍‌ କରି ଆତଙ୍କ ଖେଳାଇ ଚାଲିଥିବା ଲୁଟେରା ଯୋଡ଼ି ଆଜି ଅଳ୍ପକେ ଖସି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବାଲିଅନ୍ତା ଥାନା, ବାଲିପାଟଣା ଥାନା ଓ ବାଳକାଟି ଫାଣ୍ତି ପୁଲିସ ପିପିଲି ପର୍ଯ୍ୟନ୍ତ ଗୋଡ଼ାଇଥିଲେ ବି ସେମାନଙ୍କ ଟେର୍‌ ମିଳିନଥିଲା। ତେବେ ସନ୍ଦିଗ୍ଧ ଯୁବକଦ୍ବୟଙ୍କ ବାଇକ୍‌, ବେଶଭୂଷା ଓ ଜୋତା ଆଦି ସିସିଟିଭି ଫୁଟେଜ୍‌ରୁ କଏଦ ହୋଇଥିବା ଲୁଟେରା ଯୋଡ଼ିଙ୍କ ସହ ପୂରା ମେଳ ଖାଉଛି ବୋଲି କୁହାଯାଉଛି।

ଆଜି ଏକ ବାଇକ୍‌ରେ ଥିବା ଦୁଇଜଣ ଯୁବକ ଜଣେ ଅଟୋ ଚାଳକଙ୍କୁ ହାଇଟେକ୍‌ ଛକରେ ଅଟକାଇ ପୁରୀ ଯିବା ପାଇଁ ରାସ୍ତା ବାବଦରେ ପଚାରୁଥିଲେ। ସେତେବେଳେ ଉକ୍ତ ଛକରେ ଥିବା କିଛି ସ୍ଥାନୀୟ ଯୁବକ ସେମାନଙ୍କ ଗତିବିଧିକୁ ନଜର କରି ସନ୍ଦେହ କରିଥିଲେ। ସେମାନେ ଅଟୋକୁ ଅଟକାଇବା ମାତ୍ରେ ଛକର ଯୁବକମାନେ ସେମାନଙ୍କ ଆଡ଼କୁ ଆସିଥିଲେ। ସ୍ଥାନୀୟ ଯୁବକମାନଙ୍କୁ ଦେଖି ବାଇକ୍‌ ଆରୋହୀଦ୍ବୟ ଦ୍ରୁତବେଗରେ ସେଠାରୁ ଚମ୍ପଟ ମାରିଥିଲେ। ତେଣୁ ପୁଲିସକୁ ଖବର ଦେବା ସହ କିଛି ଯୁବକ ସେମାନଙ୍କୁ ପିଛା କରିଥିଲେ। ପରେ ପରେ ପୁଲିସ ମଧ୍ୟ ସେମାନଙ୍କୁ ପିଛା କରି ଗୋଡ଼ାଇଥିଲା। ପିପିଲି ପର୍ଯ୍ୟନ୍ତ ଯିବା ପରେ ସମସ୍ତେ ନିରାଶ ହୋଇ ଫେରିଥିଲେ। ଲୁଟେରା ଯୋଡ଼ି ରାସ୍ତାରେ ଅନ୍ତର୍ଧାନ ହୋଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୁଇ ସପ୍ତାହ ଭିତରେ ଏହି ଲୁଟେରା ଯୋଡ଼ି ତିନି ତିନିଟି ଲୁଟ୍‌ କରି ସାରିଛନ୍ତି। ଗତ ୧୪ ତାରିଖ ପୂର୍ବାହ୍ଣରେ ଲୁଟ୍‌ର ଶିକାର ହୋଇଥିଲେ ବାଲିଅନ୍ତା ପଞ୍ଚାୟତ ଅଧୀନ ପାଟଣା ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ମୂରଲୀଧର ପରିଡ଼ା(୫୮)। ଲୁଟେରା ଯୋଡ଼ି ହଠାତ୍ ପଛପଟୁ ମୂରଲୀଙ୍କ ବେକରୁ ୨୫ ଗ୍ରାମ ଓଜନର ସୁନାଚେନ ଝାମ୍ପି ନେଇଥିଲେ। ଏଥିପୂର୍ବରୁ ୮ ତାରିଖ ଦିନ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମର ନିଳକଣ୍ଠ ସାହୁଙ୍କ ପତ୍ନୀ ବାସନ୍ତୀ ସାହୁଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ୍‌ ଟାଣି ନେଇଥିଲେ। ଅନୁରୂପଭାବେ ସେହିଦିନ ଠିକଣା ପଚାରି ଦୁର୍ବୃତ୍ତଦ୍ବୟ ବାଲିପାଟଣା ଥାନା ଗିରିଙ୍ଗ ମହାନ୍ତି ସାହିର ବାସନ୍ତୀ ମଂଜରୀ ମହାନ୍ତିଙ୍କ ବେକରୁ ୧୪ ଗ୍ରାମ ଓଜନର ଚେନ୍‌ ଛିଣ୍ଡାଇ ନେଇଥିଲେ।

ସମ୍ବନ୍ଧିତ ଖବର