ବାଲିଅନ୍ତା: ବାଲିଅନ୍ତା ତହସିଲଦାର୍ ଅକ୍ଷୟ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବାଲିଅନ୍ତା ବ୍ଲକ୍ ଅଞ୍ଚଳର ଦୁଇଟି ଭିନ୍ନ ଭିନ୍ନ ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଛି। ପୂର୍ତ୍ତବିଭାଗ ଅଧୀନ କୁଶଭଦ୍ରା ନଦୀର ସ୍ଥାନୀୟ ଭୁବନପୁର ସେତୁ ସଂଯୋଗକାରୀ ରାସ୍ତାକଡ଼ରେ ନିର୍ମିତ କେତୋଟି ଝୁମ୍ପୁଡ଼ିକୁ ପ୍ରଶାସନ ଡୋଜର୍ ଲଗାଇ ଭାଙ୍ଗି ଦେଇଥିଲା। ସେହିପରି ଗ୍ରାମ ଉନ୍ନୟନ ବିଭାଗ ଅଧୀନ ବଇଁଚୁଆ ପଞ୍ଚାୟତର ପାଟରାସାହିର ରାସ୍ତା ଜବରଦଖଲ କରି ଜନୈକ ବ୍ୟକ୍ତି ନିର୍ମାଣ କରିଥିବା ପାଚେରିକୁ ମଧ୍ୟ ପ୍ରଶାସନ ଭାଙ୍ଗିଦେଇଛି। ଏନେଇ ଘଟଣାସ୍ଥଳରେ ପ୍ରଥମେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ପରେ ଏ ଦୁଇ ସ୍ଥାନରେ ପ୍ରଶାସନର ଉଚ୍ଛେଦ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା। କୁଆଖାଇ ନଦୀବନ୍ଧରୁ ମହାନ୍ତି ସାହି ରାସ୍ତା ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ରାସ୍ତାକୁ ୨୦୧୪-୧୫ ଆର୍ଥିକ ବର୍ଷରେ ଗ୍ରାମ ଉନ୍ନୟନ ବିଭାଗ ଯୋଜନାଭୁକ୍ତ କରି ସଂପ୍ରସାରଣ କରାଯାଇଥିଲା। ହେଲେ ଏହି ବ୍ୟକ୍ତି ଜଣକ ରାସ୍ତାର ୩୦ଫୁଟ୍ ବଳପୂର୍ବକ କବ୍ଜା କରି ସେଥିରେ ପାଚେରି ନିର୍ମାଣ କରିବା ଫଳରେ ଢଳେଇ ହୋଇପାରି ନଥିଲା। ଅଞ୍ଚଳବାସୀ ଏ ସଂପର୍କରେ ତହସିଲ ପ୍ରଶାସନ ନିକଟରେ ଅନେକବାର ଲିଖିତ ଭାବେ ଅଭିଯୋଗ କରିଥିଲେ। ଆଜି ଅପରାହ୍ଣ ପ୍ରାୟ ୨’ଟା ସମୟରେ ପ୍ରଶାସନ ରାସ୍ତାକୁ ଜବରଦଖଲମୁକ୍ତ କରିଥିଲା। ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍ କୁମାର ଦାଶଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିଲେ ।
ଦୁଇଟି ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ
/sambad/media/post_attachments/wp-content/uploads/2017/11/balianta-jabardakhal-uchhed.jpg)