‌‌କେହି ମାନିଲେନି : ରାଜଧାନୀରେ ୨ ମାର୍କେଟ୍‌, ୩୫ ଦୋକାନ ପୂରା ସିଲ୍‌

ଭୁବନେଶ୍ବର : ସବୁ ସୀମା ଟପିଗଲେ ରାଜଧାନୀବାସୀ। ରଜ ସାମଗ୍ରୀ କିଣିବା ପାଇଁ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭୁଲିଗଲେ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ କେହି ବି ପାଳନ କଲେନି। ସାମାଜିକ ଦୂରତା ରଖିଲେନି କି ମାସ୍କ ପିନ୍ଧିଲେନି। ଯିଏ ଯୁଆଡ଼େ ପାରିଲେ ଚାଲିଲେ। ପରିସ୍ଥିତି ଏମିତି ହେଲା ଯେ ‌ପୁଲିସ ସହାୟତାରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ)ର ମିଳିତ ଟିମ୍‌ ସହରର ବିଭିନ୍ନ ବଜାରରେ ଚଢ଼ାଉ କରି ୨୪ ଘଣ୍ଟାରେ ୩୫ଟି ଦୋକାନ ସିଲ୍‌ କଲା। ତା’ପରେ ବି ଗହଳି ଲାଗିରହିବାରୁ ୟୁନିଟ୍‌-୨ସ୍ଥିତ ମାର୍କେଟ୍‌ ବିଲଡିଂ ଓ ୟୁନିଟ୍‌-୧ ମାର୍କେଟ୍‌କୁ ଅନିଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ତାଲା ପକାଇ ଦିଆଗଲା।

ରଜ ବଜାରକୁ ଦୃଷ୍ଟିରେ ରଖି ବିଏମ୍‌ସି ଆଗୁଆ ପଦକ୍ଷେପ ନେଇଥିଲା। ରଜ ପର୍ବ ଆଉ ଥରେ ଆସିବ। ଆନନ୍ଦ ଉଲ୍ଲାସ କରିହେବ। କିନ୍ତୁ କରୋନା ପ୍ରତିରୋଧ ପାଇଁ ସତର୍କତା ଅବଲମ୍ବନ ନ କଲେ ଅନେକଙ୍କୁ ସଂକ୍ରମିତ କରି ଦେଇପାରେ। ଏହି ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ସଚେତନତା ବାର୍ତା ମାଧ୍ୟମରେ ଗହଳି ଥିବା ଦୋକାନ ବା ବଜାରଠାରୁ ଦୂରରେ ରୁହିବାକୁ ସାଧାରଣ ଲୋକଙ୍କୁ କୁହାଯାଇଥିଲା। ଗହଳିରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଯଥା ସମ୍ଭବ ଫାଙ୍କା ସମୟରେ ସାମଗ୍ରୀ କିଣିବା ପାଇଁ ଯୋଜନା କରିବାକୁ ପ୍ରଚାର ହୋଇଥିଲା। ତା’ପରେ ବି ଅମାନିଆ ରାଜଧାନୀବାସୀ କିଛି ମାନି ନ ଥିଲେ। ସକାଳୁ ସକାଳୁ ସହରର ବିଭିନ୍ନ ଦୋକାନ ଆଗରେ ଭିଡ଼ ଲଗାଇ ଦେଇଥିଲେ। ସହରର ୟୁନିଟ୍‌-୧, ନୟାପଲ୍ଲୀ, ସିଆର୍‌ପି, ଶୈଳଶ୍ରୀବିହାର, ଡମଣା, ବାପୁଜୀନଗର, ଶହିଦନଗର, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ଲୋକେ ଭିଡ଼ ଜମାଇଥିଲେ। ତେବେ ନିୟମ କଡ଼ାକଡ଼ି ପାଳନ କରାଯାଉ ନ ଥିବାରୁ ବିଏମ୍‌ସିର ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ତିନିଟି ଯାକ ଜୋନ୍‌ର ବଜାର ଅଞ୍ଚଳ ବୁଲି ସାମାଜିକ ଦୂରତା ଉଲ୍ଲଙ୍ଘନ କରୁଥିବା ଦୋକାନଗୁଡ଼ିକୁ ସିଲ୍ କରିଥିଲେ। ଆଜି ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୩୫ଟି ଦୋକାନ ସିଲ୍ କରାଯିବା ପରେ ବି ଅବସ୍ଥା ନିୟନ୍ତ୍ରଣକୁ ଆସି ନ ଥିଲା। ଗୋଟିଏ ଦୋକାନ ବନ୍ଦ କରାଗଲେ ଲୋକେ ଆଉ ଗୋଟିଏ ଦୋକାନରେ ଭିଡ଼ ଲଗାଇ ଦେଉଥିଲେ। ଯେଉଁଥିପାଇଁ ପୁଲିସ ସହାୟତାରେ ଲୋକଙ୍କୁ ଘଉଡ଼ାଇବାକୁ ପଡ଼ିଥିଲା।

ସବୁଠାରୁ ଚିନ୍ତା ବଢ଼ାଉଥିଲା ୟୁନିଟ୍‌-୧ ଓ ୟୁନିଟ୍‌-୨ ମାର୍କେଟ୍‌ ବିଲଡିଂ। ସକାଳ ୯ଟାରୁ ଏଠାରେ ଲୋକଙ୍କ ଗହଳି ଲାଗିଯାଇଥିଲା। ଗୋଟିଏ ଗୋଟିଏ ଦୋକାନ ଆଗରେ ୧୦ରୁ ୧୫ ଜଣ ‌ଗ୍ରାହକ ଛିଡ଼ା ହୋଇ ସାମଗ୍ରୀ କିଣିଥିଲେ। ଏହା ଜଣାପଡ଼ିବା ପରେ ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଦକ୍ଷିଣ ପଶ୍ଚିମ ‌ଜୋନ୍‌ର ଡେପୁଟି କମିସନର ଅଂଶୁମାନ ରଥ, ବିଡିଏର ଏର୍ନଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର, ଲାୟାସନ୍‌ ଅଫିସର ଶୁଭ୍ରାନ୍ସୁ ଶେଖର ମହାନ୍ତି, ଜୋନ୍‌ ଏସିପି ଓ କ୍ୟାପିଟାଲ ଥାନା ଆଇଆଇସିଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା। ପ୍ରଥମେ ମଧ୍ୟାହ୍ନରେ ଚଢ଼ାଉ କରାଯାଇ ଗ୍ରାହକଙ୍କୁ ଘଉଡ଼ା ଯାଇଥିଲା। ତେବେ ଅପରାହ୍ନ ୩ଟା ବେଳକୁ ପୁଣିଥରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେବାରୁ ‌ପୁଲିସ ଲୋକଙ୍କୁ ଘଉଡ଼ାଇବା ସହ ବିଏମ୍‌ସି ପକ୍ଷରୁ ସମ୍ପୂର୍ଣ୍ଣ ମାର୍କେଟକୁ ସିଲ୍‌ କରି ଦିଆଯାଇଛି। ଅପରାହ୍ନରେ ୟୁନିଟ୍‌-୧ ମାର୍କେଟ୍‌ରେ ଗହଳି ପରିଲକ୍ଷିତ ହେବାରୁ ସନ୍ଧ୍ୟା ୫ଟା ବେଳକୁ ତାହାକୁ ବି ବନ୍ଦ କରି ଦିଆଯାଇଥିଲା।

ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ର ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି ଯେ ନାଗରିକ ମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଏଥିସହ ଅନ୍ୟ ବଜାର, ହାଟରେ ସାମାଜିକ ଦୂରତା, ମାସ୍କର ବ୍ୟବହାର ଇତ୍ୟାଦି ବଜାୟ ରଖିବା ପାଇଁ ୩ଟି ଯାକ ଜୋନ୍‌ରେ ସ୍ୱତନ୍ତ୍ର ପ୍ରଚାର ଗାଡ଼ି ବୁଲାଯାଉଛି। ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ ସ୍ଥିତିକୁ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ନିଆଯାଉଛି। ଅବସ୍ଥା ଦେଖି ପରବର୍ତୀ ନିଷ୍ପତ୍ତି ନିଆଯିବ।

କେବଳ ସେତିକି ନୁହେଁ, ଅପରାହ୍ଣରେ ସହରରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆସନ୍ତା ଦୁଇ ଦିନ ଲକ୍‌ଡାଉନ୍‌ ଓ ରଜ ଉତ୍ସବ ଥିବାରୁ ସହରବାସୀ ଗାଁ ମୁହାଁ ହୋଇଥିଲେ। ତେଣୁ ସବୁ ପେଟ୍ରୋଲ ପମ୍ପରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଧାଡ଼ିରେ ଛିଡ଼ା ହୋଇ ଲୋକେ ଗାଡ଼ିରେ ରାତି ୮ଟା ଯାଏ ପେଟ୍ରୋଲ ଓ ଡିଜେଲ୍‌ ପକାଇଥିଲେ।

ସମ୍ବନ୍ଧିତ ଖବର