ଭୁବନେଶ୍ବର: ସହରାଞ୍ଚଳରେ ଯାତ୍ରୀ ପରିବହନ କ୍ଷେତ୍ରରେ ବିପ୍ଲବ ଆଣିଥିବା ‘ମୋ ବସ୍‌’ ସେବାକୁ ବିବେଚନା କରାଯାଉଛି। ଏହାକୁ ପରିଚାଳନା କରୁଥିବା ‘କ୍ରୁଟ୍‌’ ଏଥିପାଇଁ ଏକାଧିକ ଜାତୀୟ ପୁରସ୍କାର ମଧ୍ୟ ଗୋଟାଇଛି। ହେଲେ ଏହା ବ୍ୟବସ୍ଥିତ ହୋଇପାରୁନି। ବିଭିନ୍ନ ସମୟରେ ଏହା ଯାତ୍ରୀ ଓ ପଥଚାରୀଙ୍କ ଜୀବନ ପ୍ରତି ବିପଦ ହେଉଛି। ନିକଟ ଅତୀତରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ନିକଟରେ ଜଣେ ଯୁବତୀ ପଙ୍ଗୁ ହୋଇଯାଇଥିବା ବେଳେ ଆଜି ଜନପଥ ୟୁକୋ ବ୍ୟାଙ୍କ ସାମ୍ନାରେ ସିରିଜ ଦୁର୍ଘଟଣାରେ ୪ ଆହତ ହୋଇଛନ୍ତି। ଦୁଇଟି ବସ୍‌ ସମେତ ୩ଟି ଗାଡି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଦୀର୍ଘ କାଳ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ତେବେ କ୍ରୁଟ ଘଟଣାର ତଦନ୍ତ କରି ଜଣେ ମୋ ବସ ଚାଳକଙ୍କୁ ନିଲମ୍ବିତ କରିଛି। 

Advertisment

ସୂଚନାନୁସାରେ ବ୍ୟାଟେରି ଚାଳିତ ‌ମୋ ବସ(ଓଡି ୩୩ ୪ଏଚ୍ ୦୧୦୫) ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଆଡ଼କୁ ଆସୁଥିଲା। ଜଣେ ସ୍କୁଟି ଚାଳକଙ୍କୁ ବଞ୍ଚାଇବା ପାଇଁ ବସ ଚାଳକ ହଠାତ ବ୍ରେକ ମାରିଦେଇଥିଲେ। ଫଳରେ ପଛରୁ ଆସୁଥିବା ଅନ୍ୟ ଏକ ଡିଜେଲ ଚାଳିତ ମୋ ବସ୍‌(ଓଡି ୩୩ ୟୁ ୭୧୧୦) ଇ ବସକୁ ପଛରୁ ଧକ୍କା ଦେଇଥିଲା। ଏହା ପଛ‌କୁ ଏକ କାର(ଓଡି ୩୩ ଏନ ୪୩୩୬) ମଧ୍ୟ ଧକ୍କା ଦେଇ ଯାଇଥିଲା। ଫଳରେ ଗାଡ଼ିର କାଚ ଭାଙ୍ଗିବା ସହ ୪ ଜଣ ଯାତ୍ରୀ ଆହତ ହୋଇଥିଲେ। ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଆହତ ଯାତ୍ରୀ ଅଭଯୋଗ କରିଛନ୍ତି କି ବସ୍‌ରେ ଫାଷ୍ଟଏଡ୍‌ ବ୍ୟବସ୍ଥା ନାହିଁ। ପ୍ରତ୍ୟେକ ଆହତଙ୍କର ରକ୍ତସ୍ରାବ ହେଉଥିଲେ ମଧ୍ୟ କର୍ମଚାରୀ ତୁରନ୍ତ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି। ଏ ନେଇ କ୍ରୁଟ୍‌ କହିଛି କି, ଇ ବସ୍‌ଟି ଘଣ୍ଟା ପ୍ରତି ୧୪ କିମି ବେଗରେ ଆସୁଥିଲା। ଜଣେ ସ୍କୁଟି ଆରୋହୀ ସାମ୍ନାକୁ ଆସିଯିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଚାଳକ ବ୍ରେକ୍ ମାରିଥିଲା। ପଛରେ ଥିବା ଡିଜେଲ୍ ବସ୍ ୨୮ କିମି/ଘଣ୍ଟା ବେଗରେ ଆସୁଥିଲା। ପର୍ଯ୍ୟାପ୍ତ ଦୂରତା ବଜାୟ ରଖି ନଥିବାରୁ ପିଟି ଦେଇଥିଲା। ଫଳରେ ଡିଜେଲ୍ ମିଡି ବସ୍‌ର କ୍ୟାପଟେନ(ଚାଳକ)ଙ୍କୁ ନିଲମ୍ବିତ କରାଯାଇଛି। ଉଭୟ ଚାଳକ ମଦ୍ୟପ ଅବସ୍ଥାରେ ଗାଡ଼ି ଚାଳନା କରୁନଥିଲେ। ଚାରି ଜଣଙ୍କ ସମେତ ଡିଜେଲ୍ ବସ୍‌ର ଗାଇଡ୍ ମଧ୍ୟ ଆହତ ହୋଇଛନ୍ତି। ଏଭଳି ସ୍ଥିତିକୁ ଭବିଷ୍ୟତରେ ଏଡ଼ାଇବା ପାଇଁ କ୍ରୁଟ୍ ଡ୍ରାଇଭିଂ ଟ୍ରେନିଂ ଉପରେ ଅଧିକ ଗୁରୁତ୍ବ ଦେବ।