୨ ମାସ ବିତିଲା, ହତ୍ୟାକାରୀର ପତ୍ତା ପାଉନି ପୁଲିସ

ହୋଟେଲ୍‌ ହାଇୱେ-ଇନରେ ମହିଳାଙ୍କୁ ହତ୍ୟା ଘଟଣା

ଭୁବନେଶ୍ବର: ଅଗଷ୍ଟ ମାସ ୨୩ ତାରିଖ ବିଳମ୍ବିତ ରାତିର ଘଟଣା। ମଞ୍ଚେଶ୍ବର ଥାନା ଅଧୀନ ହୋଟେଲ ହାଇେଵ-ଇନ୍‌ ରୁମ୍‌ ନମ୍ବର ୧୨୧ରେ ଲକ୍ଷ୍ମୀପ୍ରିୟା ବିଶ୍ବାଳ(୩୨) ନାମକ ଜଣେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆଦିତ୍ୟ ମହାପାତ୍ର ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କଲା। ଆଦିତ୍ୟ ଅତି ଚତୁରତାର ସହିତ ଏହି ବୀଭତ୍ସ କାଣ୍ଡ ଘଟାଇବା ପରେ ତା ସମ୍ପର୍କରେ ଥିବା ସମସ୍ତ ତଥ୍ୟକୁ ଗାଏବ କରି ଦେଇଛି। ପୁଲିସ ହୋଟେଲ ରୁମ୍ ଭିତରୁ ଜବତ କରିଥିବା ଆଧାରକାର୍ଡ ତାର ନଥିବା ବେଳେ ସିସିଟିଭିରେ ମଧ୍ୟ କୌଣସି ଫୁଟେଜ୍‌ ନାହିଁ। ଏପରିକି ସେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର ମଧ୍ୟ ବନ୍ଦ। ପୁଲିସ ତାକୁ ଖୋଜିବା ଲାଗି ପୁରୀଠାରୁ ଆରମ୍ଭ କରି ଭୁବନେଶ୍ବର, ବେଙ୍ଗାଲୁରୁ, ମୁମ୍ବାଇ ଭଳି ସହରରେ ଚକ୍କର କାଟି ସାରିଲାଣି। କିନ୍ତୁ ଆଦିତ୍ୟର କେଉଁଠି ବି ପତ୍ତା ମିଳୁନି। ଘଟଣାକୁ ଦୁଇ ମାସ ହୋଇଗଲାଣି। ତଥାପି କମିସନରେଟ ପୁଲିସ ଜଣେ ହତ୍ୟାକାରୀକୁ ଗିରଫ କରିବା ଅସମର୍ଥ। ପୁଲିସର ଦକ୍ଷତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି ବୋଲି ମୃତ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀପ୍ରିୟା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା। ସେ ୨୦୦୪ରେ ଗଡ଼ଖୋର୍ଧର ଅକ୍ଷୟ ବିଶ୍ବାଳଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଦୁଇ ପୁଅ। ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧୢରେ ମନାନ୍ତର ଘଟିଥିଲା। ଏ ନେଇ ଭୁବନେଶ୍ବର ମହିଳା ଥାନାରେ ମାମଲା ମଧୢ ରୁଜୁ ହୋଇଥିଲା। ଏହି କାରଣରୁ ଲକ୍ଷ୍ମୀପ୍ରିୟା ଭୁବନେଶ୍ବର ଆସି ଭିଣୋଇ ସୁଶାନ୍ତ ପାଣିଙ୍କ ପାଖରେ ରହୁଥିଲେ।

ଏହା ମଧୢରେ ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କ ପୁରୀର ଆଦିତ୍ୟଙ୍କ ସହିତ ହୋଇଥିଲା। ଆଦିତ୍ୟ ବିଭିନ୍ନ ସମୟରେ ଭୁବନେଶ୍ବର ଆସନ୍ତି । ଏପରିକି ଲକ୍ଷ୍ମୀପ୍ରିୟା ଆଦିତ୍ୟଙ୍କୁ ବିବାହ କରିବେ ବୋଲି ମନେମନେ ସ୍ଥିର କରି ସାରିଥିଲେ। ଗତ ୨୨ ତାରିଖରେ ଲକ୍ଷ୍ମୀପ୍ରିୟା ସପି˚ କରିବାକୁ ଯାଉଛି ବୋଲି ଭଉଣୀ, ଭିଣୋଇକୁ ଜଣାଇଥିଲେ। ଏହା ପରେ ସେ ଘରୁ ବାହାରି ଆସିଥିଲେ। ଆଉ ଫେରି ନ ଥିଲେ। ୨୫ ତାରିଖ ସକାଳୁ ମଞ୍ଚେଶ୍ବର ଥାନା ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ରକ୍ତାକ୍ତ ମୃତଦେହକୁ ଜବତ କରିଥିଲା ପୁଲିସ। ପୁଲିସ ହେ‌ା‌େଟଲ ରୁମ୍ ଭିତରୁ ରକ୍ତ ଭିଜା କପଡ଼ା, ଲୁହାରଡ୍‌, ମୋବାଇଲ୍ ଫୋନ୍ ଆଦି ଜବତ କରିଥିଲା। ଏ ନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଲକ୍ଷ୍ମୀପ୍ରିୟାଙ୍କ ପୁରୁଷ ବନ୍ଧୁ ଆଦିତ୍ୟଙ୍କୁ ଖୋଜିବା ଆରମ୍ଭ କରିଥିଲା। କିନ୍ତୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଫେଲ ମାରିବା ପରେ ଏବେ ଚୁପ ହୋଇ ବସି ପଡ଼ିଛି। ଫଳରେ ଏହି ବହୁ ଚର୍ଚିତ ହତ୍ୟାକାଣ୍ଡ ଉପରୁ ପୁଲିସ ରହସ୍ୟ ଉଠାଇବାରେ ଅସମର୍ଥ ହୋଇ ପଡ଼ିଛି। ଏ ସମ୍ପର୍କରେ କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୁଲିସ ହତ୍ୟାକାରୀ ଆଦିତ୍ୟକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସାରିଲାଣି। ଏବେ ବି ତାକୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି। ଖୁବ୍ ଶୀଘ୍ର ସେ ଗିରଫ ହେବ।

ସମ୍ବନ୍ଧିତ ଖବର