ସାଇବର ସେଲ୍‌କୁ ଦୁଇ ମାସ: ରାଜଧାନୀରୁ ସାଇବର ଠକ ଲୁଟିଛନ୍ତି କୋଟିଏ ୩ ଲକ୍ଷ

ଫେବ୍ରୁଆରିରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ, ସାଇବର ଲୁଟେରାଙ୍କ ନୂଆ କୌଶଳକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ବର: ଭୁବନେଶ୍ବରରେ ବୃଦ୍ଧି ପାଇଥିବା ସାଇବର ଅପରାଧକୁ ଆଖି ଆଗରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଖୋଲା ଯାଇଥିବା ସାଇବର ସେଲ୍‌କୁ ଇତିମଧ୍ୟରେ ଦୁଇ ମାସ ପୂରିଛି। କେବଳ ଫେବ୍ରୁଆରି ମାସରେ ସ‌ାଇବର ଠକ କେବଳ ଭୁବନେଶ୍ବରରୁ ୫୧ ଲକ୍ଷ ୩୯ ହଜାର ୯୮୯ ଟଙ୍କା ଲୁଟିଥିବା ବେଳେ ବିଗତ ଦୁଇମାସରେ ଲୁଟ୍‌ର ପରିମାଣ ୧ କୋଟି ୩ ଲକ୍ଷ ୫୬ ହଜାର ୪୭୨ ଟଙ୍କାକୁ ଛୁଇଁଛି। ତେବେ ସାଇବର ସେଲ୍‌ର ତତ୍ପରତା ଯୋଗୁଁ ଫେବ୍ରୁଆରି‌ରେ ଲୋକେ ୬ ଲକ୍ଷ ୮୫ ହଜାର ୮୪୭ଟଙ୍କା ଫେରି ପାଇଛନ୍ତି। ଯଦିଓ ପୂର୍ବରୁ ଆସୁଥିବା ଅଭିଯୋଗ ସଂଖ୍ୟା ଏବେ କମିବାରେ ଲାଗିଛି, କିନ୍ତୁ ସାଇବର ଲୁଟେରାଙ୍କ ନୂଆ ନୂଆ କୌଶଳକୁ ନେଇ ପୁଲିସର ଚିନ୍ତା ବଢ଼ିବାରେ ଲାଗିଛି। କେବଳ ସଚେତନତା ଯୋଗୁ ଅଭିଯୋଗ ସଂଖ୍ୟା କମିଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ।

ସାଇବର ସେଲ୍‌ ଖୋଲିବାର ପ୍ରଥମ ମାସରେ ମୋଟ ୧୨୦୭ଟି ଅଭିଯୋଗ ଆସିଥିଲା। ସେଥିରୁ ଭୁବନେଶ୍ବରରୁ ୩୬୮ଟି କଲ୍‌ ଆସିଥିଲା। ଫେବ୍ରୁଆରିରେ ସମୁଦାୟ ୭୮୪ଟି କଲ୍‌ ଆସିଥିବାବେଳେ ଏଥିରେ ଭୁବନେଶ୍ବରରୁ ୩୨୨ଟି ଏବଂ ଭୁବନେଶ୍ବର ବାହାରୁ ୪୬୨ଟି କଲ୍‌ ଆସିଛି। ପ୍ରଥମ ମାସରେ ଭୁବନେଶ୍ବର ଓ ଭୁବନେଶ୍ବର ବାହାରୁ ମୋଟ କୋଟିଏ ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ସାଇବର ଠ‌କ ନେଇ ଯାଇଥିବା ବେଳ‌େ ଫେବ୍ରୁଆରିରେ କୋଟିଏ ୨୧ ଲକ୍ଷ ୧୩ ହଜାର ୫୪୩ ଟଙ୍କା ଠକେଇ ହୋଇଛି। ଫେବ୍ରୁଆରିରେ ଅଭିଯୋଗ ସଂଖ୍ୟା କମିଥିଲେ ମଧ୍ୟ ଠକେଇ ପରିମାଣ ଆଖିଦୃଶିଆ କମି ନାହିଁ। ଏଣୁ ଲୋକମାନେ ଆହୁରି ସଚେତନ ହେବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି ଡିସିପି ଶ୍ରୀ ଦାଶ।

ଭରସାଯୋଗ୍ୟ ନୁହେଁ ‘ଟ୍ରୁ କଲର’
ସାଇବର ଠକେଇର ତଦନ୍ତ ବେଳେ ସାଇବର ସେଲ୍‌ ଆଉ ଏକ ବିଷୟକୁ ଗମ୍ଭୀରତାର ସହ ନେଇଛି। ତାହା ହେଉଛି ‘ଟ୍ରୁ କଲର’ ଆପ୍‌। ଫୋନ୍‌ କରୁଥିବା ଲୋକର ପରିଚୟ ଜାଣିବା ପାଇଁ ଅଧିକାଂଶ ଲୋକ ଏହି ଆପ୍‌କୁ ବ୍ୟବହାର କରିଥାନ୍ତି। ଏଣୁ ଠକ ଏହାକୁ ଟାର୍ଗେଟ କରି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ‘ଟ୍ରୁ କଲର’କୁ ବ୍ୟବହାର କରୁଛି। ୭୦ ପ୍ରତିଶତ ମାମଲାରେ ଲୋକେ ଏହି ଟ୍ରୁ କଲରକୁ ବିଶ୍ବାସ କରି ଠକାମିର ଶିକାର ହୋଇଛନ୍ତି। ଉଦାହରଣ ସ୍ବରୂପ; ଜଣେ ମହିଳା ଫୋନ୍‌ ପେ’ ଜରିଆରେ ଟଙ୍କା ପଠାଇବା ବେଳେ ତାଙ୍କ ଆକାଉଣ୍ଟରୁ ବାଲାନ୍ସ କଟିଗଲେ ମଧ୍ୟ ଯାହାକୁ ପଠାଇବାକୁ ଚାହୁଥିଲେ ତ‌ାଙ୍କ ପାଖରେ ତାହା ପହଞ୍ଚିନଥିଲା। ଏଣୁ ସେ ଗୁଗୁଲ୍‌ରେ ଏହି ସଂସ୍ଥାର କଷ୍ଟମର କେୟାର ନମ୍ବର ଖୋଜିଥିଲେ। ଯେଉଁ ନମ୍ବର ମିଳିଲା ସେଥିରେ କଥା ହୋଇଥିଲେ। ଏହି ନମ୍ବର ସେ ଟ୍ରୁ କଲରରେ ଯାଞ୍ଚ କରିଥିଲେ। ଏଥିରେ ଫୋନ୍‌ ପେ’ କଷ୍ଟମର କେୟାର ବୋଲି ଦେଖାଇଥିଲା। ଏଣୁ ତାଙ୍କର ଆଉ ଅବିଶ୍ବାସ କରିବାର ନଥିଲା। ମାତ୍ର ଏଭଳି କରି ସେ ଠକାମିର ଶିକାର ହୋଇଥିଲେ। ବାସ୍ତବରେ ଏହି ଟ୍ରୁ କଲରରରେ ଯିଏ ଯେମିତି ନା ଚାହିବ ସେମିତି ନାଁରେ ପଞ୍ଜୀକୃତ କରିପାରିବ। ଯିଏ ଫୋନ୍‌ କରିବ ତାକୁ ସେହି ନାମ ଦେଖାଇବ। ଏଣୁ ଏହି ଆପ୍‌କୁ ବିଶ୍ବାସ କରି କୌଣସି ଅଜଣାକୁ ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ସାଇବର ସେଲ୍‌ ଦାୟିତ୍ବରେ ଥିବା ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ।

ସାଇବର ଠକେଇରେ ନୂଆ ଟ୍ରେଣ୍ଡ

ସାଇବର ଠକମାନେ ଲୋକଙ୍କୁ ଲୁଟିବା ପାଇଁ ଏବେ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଯାହାକୁ ନେଇ ପୁଲିସର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ଲୋକମାନଙ୍କୁ ଠକାମିରୁ ବଞ୍ଚାଇବା ପାଇଁ ସାଇବର ସେଲ୍‌ ଯଥା ସମ୍ଭବ ଉଦ୍ୟମ କରୁଥିଲେ ମଧ୍ୟ ଠକ ବିଭିନ୍ନ ବ୍ୟବସ୍ଥାରେ ଥିବା ଗଳାବାଟକୁ ଉପଯୋଗ କରୁଛି। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ସାଇବର ସେଲ୍‌ ତନାଘନା ଆରମ୍ଭ କରିଛି। ପୂର୍ବରୁ ୟୁପିଆଇ ଠକେଇକୁ ନେଇ ପୁଲିସର ଚିନ୍ତା ବଢ଼ିଥିବା ବେଳେ ଏବେ ଏସ୍‌ବିଆଇର ‘ୟୋନୋ’ ଆପ୍‌ ଚିନ୍ତା ବଢ଼ାଇଛି। ‘ୟୋନୋ’ ଆପ୍‌ ଜରିଆରେ ଟଙ୍କା କାରବାର କଲାବେଳେ ମୋବାଇଲକୁ ଓଟିପି ଆସୁନାହିଁ। ସିଧାସଳଖ କାରବାର ହେଉଛି। ପେମେଣ୍ଟ ଉପରେ ଥରେ କ୍ଲିକ୍‌ କରିଦେଲେ ଟଙ୍କା ଅନ୍ୟତ୍ର ଚାଲିଯାଉଛି। ଫଳରେ ଠକ ଏବେ ଏହି ଆପ୍‌ ଜରିଆରେ କାରବାର ଆରମ୍ଭ କରିଛି। ଅନ୍ୟ ଆପ୍‌ରେ ମୋବାଇଲକୁ ଆସୁଥିବା ଓଟିପିକୁ ଅପେକ୍ଷା କଲା ବେଳେ ଯେଉଁ ସମୟ ମିଳେ ସେଥିରେ ଲୋକ ସଚେତନ ହୋଇଯିବା ସମ୍ଭାବନା ରହୁଛି। କେତେକ ଅଭିଯୋଗର ତଦନ୍ତ କରୁ କରୁ ସାଇବର ସେଲ୍‌ ଏଭଳି ଠକଙ୍କର ନୂଆ କୌଶଳ ସମ୍ବନ୍ଧରେ ଜାଣିବାକୁ ପାଇଛି। ‌ୟୋନୋ ଯଦିଓ ଏକ ସୁରକ୍ଷିତ ଆପ୍‌, ଏଥିରେ କାରବାର କଲାବେବେ ଲୋକମାନେ ଯଥେଷ୍ଟ ସଚେତନ ହେବା ଜରୁରି ବୋଲି କହିଛନ୍ତି ଡିସିପି ଶ୍ରୀ ଦାଶ।

ସମ୍ବନ୍ଧିତ ଖବର