ବିଶ୍ବକପ୍‌ ଆୟୋଜନ ଏ ଜାତି କୋଣାର୍କ ଗଢ଼ିଥିବା ପ୍ରମାଣ ଦେଉଛି: ସୌମ୍ୟ

‘ଆମ ଓଡ଼ିଶା’ ପ୍ରକାଶିତ ଦୁଇଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ବିଶ୍ବକପ୍‌ ହକି ଆୟୋଜନ କରି ପାରୁଥିବା ଓଡ଼ିଶାକୁ ଆଉ ଗରିବଙ୍କ ରାଜ୍ୟ କୁହାଯାଇ ପାରିବନି। ଦିନେ ଶିଶୁ ବିକ୍ରି ପ୍ରସଙ୍ଗ ପାଇଁ ଓଡ଼ିଶାକୁ ଦେଶବିଦେଶରେ ବଦନାମ ହେବାକୁ ପଡୁଥିଲା। କିନ୍ତୁ ଆଜି ଓଡ଼ିଶା ବିଶ୍ବକପ୍ ହକି ଆୟୋଜନ କରି ସେଭଳି ନକାରାତ୍ମକ ଧାରଣାରେ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଛି ବୋଲି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ହକି ବିଶ୍ବକପ୍ ଆୟୋଜନ ପ୍ରମାଣ କରୁଛି ଯେ ଦିନେ ଏ ଜାତି କୋଣାର୍କ ଗଢ଼ିଥିଲା।

ଆଜି ‘ସମ୍ବାଦ ଭବନ’ ପରିସରରେ ‘ଆମ ଓଡ଼ିଶା’ ପ୍ରକାଶିତ ଇଂରାଜୀ ଅନୁବାଦ ପୁସ୍ତକ ‘ଶ୍ରୀଜଗନ୍ନାଥ’ ଏବଂ ଓଡ଼ିଆ ପୁସ୍ତକ ‘ବିଶ୍ବକପ୍‌ ହକି’ର ଲୋକାପର୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀପଟ୍ଟନାୟକ ‘ଜଗନ୍ନାଥ’ ଓ ‘ହକି’ ଓଡ଼ିଶାର ପରିଚୟ ବୋଲି କହିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ଓଡ଼ିଆଙ୍କ ଆରାଧ୍ୟ ଦେବତା ‘ଶ୍ରୀଜଗନ୍ନାଥ’ ଏବଂ ହକି ଖେଳକୁ ନେଇ ଦୁଇଟି ପୁସ୍ତକ ପ୍ରକାଶ ପାଇଥିବାରୁ ଶ୍ରୀ ପଟ୍ଟନାୟକ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ବିଶେଷ ଅତିଥି ଭାବେ ଯୋଗଦେଇ ‘ଆମ ଓଡ଼ିଶା’ ପକ୍ଷରୁ ଏଭଳି ଦୁଇଟି ଉପାଦେୟ ପୁସ୍ତକ ପ୍ରକାଶ କରାଯାଇଥିବାରୁ ‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବରୁ ଓଡ଼ିଆ ଭାଷାରେ ଲିଖିତ ମୂଳ ‘ଶ୍ରୀଜଗନ୍ନାଥ’ର ଲେଖକ ମହୀମୋହନ ତ୍ରିପାଠୀ, ପୁସ୍ତକର ଇଂରାଜୀ ଅନୁବାଦକ ପ୍ରଫେସର ସୁମନ ମହାପାତ୍ର, ‘ବିଶ୍ବକପ୍‌ ହକି’ ପୁସ୍ତକର ଲେଖକ ଆଶିଷ କୁମାର ରାୟ ଯୋଗଦେଇ ନିଜ ପୁସ୍ତକ ସଂପର୍କ‌‌‌ରେ ସମ୍ୟକ୍‌ ଧାରଣା ପ୍ରଦାନ କରିଥିଲେ। ପ୍ରଫେସର୍‌ ଯତୀନ୍ଦ୍ର ନାୟକ ପୁସ୍ତକର ସଂକ୍ଷିପ୍ତ ଆଲୋଚନା କରି ଦିଲୀପ ତିର୍କୀ ଓ ଜଗନ୍ନାଥ ମହାପ୍ରଭୁଙ୍କୁ ‘ହୋମ୍‌-ଗ୍ରୋନ୍‌, ୱାର୍ଲଡ କ୍ଲାସ’ ବୋଲି ଅଭିହିତ କରିଥିଲେ। କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ପୌରୋହିତ୍ୟ କରିଥିବା ବେଳେ ସାହିତ୍ୟିକ ଦାଶ ବେନହୁର, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁ, ଫିଚର୍‌ ସଂପାଦକ ଗୌରହରି ଦାସ, ପୂର୍ବତନ ସିଇଓ ଶିଶିର ପଣ୍ଡା, ‘ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରି ଦିଲ୍ଲୀପ ତିର୍କୀଙ୍କୁ ଭାରତର ଗର୍ବ ଏବଂ ସୁନ୍ଦରଗଡ଼କୁ ଭାରତୀୟ ହକିର ଏନ୍ତୁଡ଼ିଶାଳ ଭାବେ ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର