ରାଜଧାନୀରେ କରୋନାମୁକ୍ତ ଖୁସି ପାଣିଚିଆ, ୨୪ ଘଣ୍ଟା ନ ପୂରୁଣୁ ୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଗତକାଲି କରୋନା ମୁକ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ଫଳରେ ଭୁବନେଶ୍ବରକୁ ଗ୍ରିନ୍‌ ଜୋନ୍‌ କରାଯିବାକୁ ନେଇ ଆଶା ପ୍ରକାଶ ପାଇଥିଲା। ମାତ୍ର ଏହି ଖୁସି ବେଶୀ ସମୟ ରହିଲା ନାହିଁ। ୨୪ଘଣ୍ଟା ନ ପୂରୁଣୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଭୁବନେଶ୍ବର କରୋନା ମୁକ୍ତ ଖୁସିକୁ ପାଣିଚିଆ କରି ଦେଇଛି। ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁଲିସ କର୍ମଚାରୀ ଓ ଅନ୍ୟଜଣେ ୟୁନିଟ-୬ ଝାଡ଼େଶ୍ବରୀ ମନ୍ଦିର ନିକଟ ନ୍ୟୁ ଫରେଷ୍ଟ ପାର୍କ ବସ୍ତିରେ ରହୁଥିବା ଜଣେ ଡ୍ରାଇଭର ଚିହ୍ନଟ ହେବା ରାଜଧାନୀବାସୀଙ୍କ ଚିନ୍ତା ବଢ଼ିଯାଇଛି।

ଗତ ମାର୍ଚ ୧୬ତାରିଖରେ ରାଜଧାନୀରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗର ଅଞ୍ଚଳରୁ ଏକାଧିକ ଲୋକ ଚିହ୍ନଟ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ି ତୁଳନାରେ ଭୁବନେଶ୍ବରରେ କେବଳ ୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨ଜଣ କରୋନାରେ ପ୍ରାଣ ହରାଇଥିଲେ। ଫଳରେ ରାଜଧାନୀର ୩ ସଂକ୍ରମିତ ଅଞ୍ଚଳକୁ ଅବରୋଧ କରାଯିବା ସହିତ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ବିଏମ୍‌ସି ଉଦ୍ୟମ କରିଥିଲା। ଏଥିରେ ସଫଳ ମଧ୍ୟ ହୋଇଥିଲା। ଅପରପକ୍ଷରେ ଧୀରେ ଧୀରେ ରାଜଧାନୀରୁ ଚିହ୍ନଟ ହୋଇଥିବା ସଂକ୍ରମିତ ସୁସ୍ଥ ହୋଇଥିଲେ। ଗତକାଲି ଶେଷ ୩ଜଣ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହେବା ଫଳରେ ଭୁବନେଶ୍ବରରୁ ସକ୍ରିୟ କରୋନା ମୁକ୍ତ ‌ଥିବା ଘୋଷଣା କରାଯାଇଥିଲା।

ଗତକାଲି ଚିହ୍ନଟ ହୋଇଥିବା ୨ଜଣ ସଂକ୍ରମିତଙ୍କ କଣ୍ଟାକ୍ଟ‌ ଟ୍ରେସିଂ ଜାରି ରହିଛି। କିଭଳି ଦୁଇଜଣ ସଂକ୍ରମିତ ହେଲେ ଓ କେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଛି। ଫଳରେ ନିକଟ ଭବିଷ୍ୟତରେ ରାଜଧାନୀର ଗ୍ରିନ୍ ଜୋନ୍‌ ଆଶା ମଉଳି ଯାଇଛି।

ସମ୍ବନ୍ଧିତ ଖବର