ଏନ୍‌ଏଚ୍ ୧୬ରେ ଟ୍ରାଫିକ୍ ସମସ୍ୟା ଦେଖିଲେ ଡିସିପି

ଆଇଗିଣିଆ ଓ କଳିଙ୍ଗନଗର ଛକରେ ହେବ ନୂଆ ଟ୍ରାଫିକ୍‌ ପୋଷ୍ଟ

ଖଣ୍ଡଗିରି : ସୋମବାର ପୂର୍ବାହ୍ନରେ ଟ୍ରାଫିକ୍ ଡିସିପି ସାଗରିକା ନାଥ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍ ସମସ୍ୟା ବୁଲି ଦେଖିଛନ୍ତି। ଖଣ୍ଡଗିରିରୁ ତମାଣ୍ଡୋ ମଧ୍ୟରେ ଥିବା କଟ୍‌, ଟ୍ରାଫିକ୍ ପୋଷ୍ଟ, ସପିଂ ମଲ୍ ସମ୍ମୁଖରେ ଓ ବ୍ଲାକ୍ ସ୍ପଟ୍‌ରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ସମ୍ପର୍କରେ ତର୍ଜମା କରିଛନ୍ତି। ବିଶେଷକରି ଆଇଗିଣିଆ ଟ୍ରାଫିକ୍ ପୋଷ୍ଟରେ ଘଟୁଥିବା ଦୁର୍ଘଟଣା ଉପରେ ସେ ଅଧିକ ଗୁରୁତ୍ବାରୋପ କରିଛନ୍ତି। ଏହି ଛକରେ ବହୁ ସମୟରେ ଭୁଲ୍‌ ପାର୍ଶ୍ବରୁ ଗାଡ଼ି ଚାଳକମାନେ ଏନ୍‌ଏଚ୍‌ ଉପରକୁ ଉଠି ଆସିବାକୁ ରୋକିବା ପାଇଁ ସେ ନିୟୋଜିତ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି। ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାତାୟାତ କରୁଥିବା ଗାଡ଼ିମାନଙ୍କ ଗତି ନିୟନ୍ତ୍ରଣ ପାଇଁ ସେ ଟ୍ରାଫିକ୍ କର୍ମଚାରୀଙ୍କୁ ନାଲି ପତାକା ଧରି ଠିଆ ହେବାକୁ ନିର୍ଦେଶ ଦେଇଛନ୍ତି। ପାତ୍ରପଡ଼ା ରେଗାଲିଆ ମଲ୍‌ ଛକ କଟ୍‌ରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅଧିକ କର୍ମଚାରୀ ନିଯୁକ୍ତି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଡିସିପି ନାଥଙ୍କ ସହିତ ଟ୍ରାଫିକ୍ ଆଇଆଇସି ସୁରେନ୍ଦ୍ର କୁମାର ବଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଚନ୍ଦ୍ରଶେଖରପୁରରେ ନୂତନ ଟ୍ରାଫିକ୍ ଥାନା ଉଦ୍‌ଘାଟିତ ହେବା ପରେ ଏନ୍‌ଏଚ୍‌ ୧୬ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଡିସିପି ନାଥଙ୍କ ଏହି କାର୍ଯ୍ୟକ୍ରମରୁ ସୂଚନା ମିଳିଛି।

ଆଇଗିଣିଆ ଓ କଳିଙ୍ଗନଗର ଛକରେ ହେବ ନୂଆ ଟ୍ରାଫିକ୍‌ ପୋଷ୍ଟ

ଭୁବନେଶ୍ବର : ରାଜଧାନୀର ଲୋକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଛି। ଏହା ସାଙ୍ଗକୁ ଗାଡ଼ିମୋଟର ବି। ସମପରିମାଣରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହା ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ରାଜଧାନୀ‌ ରାସ୍ତାରେ ଭିଡ଼ ପରିସ୍ଥିତିର ମୁକାବିଲା, ବେପରୁଆ ଚାଳକଙ୍କୁ ଉଚିତ ଶିକ୍ଷା ଦେବା ଓ ବେଆଇନ୍‌ ଭାବେ ରାସ୍ତାରେ ଗାଡ଼ି ପାର୍କିଂ ବନ୍ଦ କରିବା ଆଦି ଉପରେ ଗୁରୁତ୍ବ ଦେଇ ଟ୍ରାଫିକ ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଆଇଗିଣିଆ ଓ କଳିଙ୍ଗନଗର ଛକରେ ଟ୍ରାଫିକ୍‌ ପୋଷ୍ଟ ନ ଥିବାରୁ ଉକ୍ତ ସ୍ଥାନରେ ଲୋକମାନେ ମନଇଚ୍ଛା ଗାଡ଼ି ଚଳାଚଳ କରୁଛନ୍ତି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକମାନେ ମୃତାହତ ହେଉଛନ୍ତି। ଆଜି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଏବଂ ତାଙ୍କ ଟିମ୍‌ ଉଭୟ ସ୍ଥାନକୁ ଯାଇ ବାସ୍ତବିକତାକୁ ଯାଞ୍ଚ କରିଥିଲେ। ସେଠାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଦୁଇଟି ଛକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଦୁଇଟି ପୋଷ୍ଟର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେଠାରେ ୨ଟି ନୂତନ ଟ୍ରାଫିକ୍‌ ପୋଷ୍ଟ ସ୍ଥାପନ କରାଯିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି। ସେହିପରି ଏମ୍ସଛକରୁ ରଙ୍ଗ୍‌ ରୁଟ୍‌ରେ ଆସୁଥିବା ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ସେଠାରେ ବ୍ଲକିଂ କରାଯିବ ବୋଲି କହିଛନ୍ତି। ଏହାଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର