ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ; ୪୦ ଗ୍ରାମ୍‌ ସୁନା, କାର୍‌, ବାଇକ୍‌ ଓ ୫ ହଜାର ଟଙ୍କା ଜବତ

ଭୁବନେଶ୍ବର : ବସ୍‌ଯାତ୍ରୀଙ୍କୁ ଲିଫ୍‌ଟ ଦେବା ଆଳରେ କାର୍‌ରେ ନେଇ ବାଟରେ ଲୁଟୁଥିବା ଏକ ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ର ୨ ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ୍‌ ପୁଲିସ। ଅଭିଯୁକ୍ତମାନେ ହେଲେ କଟକ ସଦର ଥାନା ଅଞ୍ଚଳର ଦେବେନ୍ଦ୍ର କୁମାର ପରିଡ଼ା(୪୨) ଓ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବୁଦ୍ଧିରାମ ସ୍ବାଇଁ(୫୪)। ପୁଲିସ ସେମାନଙ୍କ ଠାରୁ ୪୦ ଗ୍ରାମ୍‌ ସୁନା, ଲୁଟ୍‌ରେ ବ୍ୟବହୃତ କାର୍‌, ବାଇକ୍‌, ନଗଦ ୫ ହଜାର ଟଙ୍କା ଜବତ କରିଛି। ବଡ଼ କଥା ହେଉଛି ଲୁଟିବା ପାଇଁ ନିଶା ଆକାରରେ ସେମାନେ ବ୍ୟବହାର କରୁଥିବା ୧୪ ଷ୍ଟ୍ରିପ୍‌ ୨-ଏମ୍‌ଜି ଆକ୍ଟିଭାନ୍‌ ଟାବ୍‌ଲେଟ୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‌ରେ ଅନ୍ୟ କିଛି ସଦସ୍ୟ ଥିବା ପୁଲିସକୁ ସୂଚନା ମିଳିଛି। ତେଣୁ ସେମାନଙ୍କୁ ରିମାଣ୍ଡରେ ଆଣିବା ପରେ ପୂରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ ହେବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଗତ ୩୧ ତାରିଖ ସକାଳେ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ବିରେନ୍‌ ପରିଡ଼ା ଘରକୁ ଯିବା ପାଇଁ ସତ୍‌ସଙ୍ଗବିହାର ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦେବେନ୍ଦ୍ର ଓ ବୁଦ୍ଧିରାମ୍‌ କାର୍‌ରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। କଥା‌ ଛଳରେ ସେମାନେ ବିରେନ୍‌ଙ୍କୁ କୁଆଡ଼େ ଯିବେ ବୋଲି ପଚାରିଥିଲେ। ବିରେନ୍‌ କେନ୍ଦ୍ରାପଡ଼ା ଯିବେ ବୋଲି କହିବା ପରେ ସେମାନେ ବି କେନ୍ଦ୍ରାପଡ଼ା ଯାଉଛନ୍ତି ବୋଲି କହିଥିଲେ। ସେ ଯଦି ଚାହିବେ, ତାଙ୍କୁ ବସ୍‌ ଭଡ଼ାରୁ କମ୍ ପଇସାରେ ସେମାନେ କାର୍‌ରେ ଲିଫ୍‌ଟ ଦେବେ ବୋଲି ବେଶ୍ ‌ଚତୁରତାର ସହ କହିଥିଲେ। ବିରେନ୍‌ ସେମାନଙ୍କ ଚାଲ୍‌ ବୁଝିନପାରି ରାଜି ହୋଇଯାଇଥିଲେ। କିଛି ବାଟ ଯିବା ଭିତରେ ଲୁଟେରାମାନେ ବନ୍ଧୁତାପୂର୍ଣ୍ଣ କଥାବାର୍ତ୍ତା କରି ବିରେନ୍‌ଙ୍କ ମନରେ ଭଲ ବିଶ୍ବାସ ଜନ୍ମାଇଥିଲେ। ପରେ ତାଙ୍କୁ ‌ମୃଦୁ ପାନୀୟ ଦେଇଥିଲେ। ତଥାପି ସେମାନଙ୍କ ଛଳନାପୂର୍ଣ୍ଣ ବ୍ୟବହାର ବୁଝିନପାରି ବିରେନ୍‌ ମୃଦ୍ୟୁ ପାନୀୟ ପିଇଦେଲେ ଓ କିଛି ମିନିଟ୍‌ରେ ସଂଜ୍ଞାହୀନ ‌ହୋଇଗଲେ। ଏହା ପରେ ଲୁଟେରାଦ୍ବୟ ତାଙ୍କୁ ଲୁଟିଥିଲେ ଓ କଟକ ଧବଳେଶ୍ବର ନିକଟରେ ଫୋପାଡ଼ି ଫେରାର୍‌ ହୋଇଯାଇଥିଲେ। ସେହିପରି ଗତ ୨ ତାରିଖ ଦିନ ଢେଙ୍କାନାଳ ଅଞ୍ଚଳର ଅଖିଲ୍‌ ପାଳ ସତ୍‌ସଙ୍ଗବିହାର ନିକଟରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତଦ୍ବୟ ସମାନ ଢଙ୍ଗରେ ତାଙ୍କୁ ଫସାଇ ଲୁଟିବା ପରେ ଛତିଆରେ ଫୋପାଡ଼ି ଫେରାର୍‌ ହୋଇଯାଇଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସହିଦନଗର ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତ ଭାବେ ତଦନ୍ତ ଚଳାଇଥିଲା।

କେମିତି ଧରାପଡ଼ିଲେ
ସତ୍‌ସଙ୍ଗବିହାର ଛକରୁ ଦୁଇ ଦୁଇ ଜଣଙ୍କୁ ଲିଫ୍‌ଟ ଦେଇ ଲୁଟିବା ପ‌ରେ ଏହି ମାମଲାକୁ ସ୍ପେସାଲ୍‌ ସ୍କ୍ବାଡ୍‌ ଗୁରୁତ୍ବର ସହ ନେଇଥିଲା। ଏସିପି ସଞ୍ଜୀବ ଶତପଥୀ ଓ ସହିଦନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁଙ୍କ ଟିମ୍‌ ଅପରେସନ୍ ଆରମ୍ଭ କରିଥିଲେ। ଲୁଟ୍‌ର ଶିକାର ହୋଇଥିବା ବିରେନ୍‌ ଓ ଅଖିଲ୍‌ଙ୍କଠାରୁ ଲୁଟେରାମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଲୁଟେରାମାନେ ଧଳା କାର୍‌ ବ୍ୟବହାର କରିଥିବାରୁ ବିଭିନ୍ନ ଟୋଲ୍‌ ଗେଟ୍‌ରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲେ। ମାତ୍ର ସେଥିରୁ କିଛି ଠୋସ୍ ସୁରାକ୍ ମିଳିନଥିଲା। ତେବେ ବିରେନ୍‌ଙ୍କ ଏଟିଏମ୍‌ କାର୍ଡ ଜଗତପୁର ଓ ସାଲେପୁରରେ ବ୍ୟବହାର ହେବା ଜଣାପଡ଼ିବା ପରେ ପୁଲିସ ଟିମ୍‌ ସେଠାରୁ ସିସିଟିଭି ଫୁଟେଜ୍‌ ଆଣିଥିଲା। ସେଥିରୁ ଦେବେନ୍ଦ୍ର ଓ କାର୍‌କୁ ପୁଲିସ ଚିହ୍ନଟ କରିଥିଲା। ଏହା ପରେ ପୁଲିସ ଭୁବନେଶ୍ବର ବିଭିନ୍ନ ଟ୍ୟାକ୍ସି ଷ୍ଟାଣ୍ଡରୁ ଦେବେନ୍ଦ୍ର କାର୍‌ ବାବଦରେ ସୂଚନା ସଂଗ୍ରହ କରିଥିଲା। ପରେ ପୁଲିସ ହାତରେ ଦେବେନ୍ଦ୍ରର ମୋବାଇଲ୍‌ ନମ୍ବର ଲାଗିଥିଲା ଓ ପୁଲିସ ଟ୍ରାକିଂ କରି ସେମାନଙ୍କୁ ଗିରଫ କରିଥିଲା।

କେମିତି ଲୁଟୁଥିଲେ
ଅଭିଯୁକ୍ତମାନେ ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳର ଯାତ୍ରୀଙ୍କୁ ଟାର୍ଗେଟ୍‌ କରୁଥିଲେ। ଭୁବନେଶ୍ୱରରୁ ଏଭଳି ଦୂରସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କୁ ଏମାନେ ଟାର୍ଗେଟ୍‌ କରୁଥିଲେ। ବରମୁଣ୍ଡାରୁ ରସୁଲଗଡ଼ ଭିତରେ ବିଭିନ୍ନ ବସ୍‌ ରହଣି ସ୍ଥାନରେ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଲକ୍ଷ୍ୟ କରୁଥିଲେ। ସେମାନଙ୍କ ଭିତରୁ ଜଣକୁ ଟାର୍ଗେଟ୍‌ କରି ଲିଫ୍‌ଟ ଯାଚୁଥିଲେ। ବସ୍‌ ଭଡ଼ାଠୁ କମ୍ ପଇସାରେ ନେଇଯିବେ ବୋଲି କହି ଲୋଭ ଦେଖାଇ ଫସାଉଥିଲେ। କାର୍‌ରେ ବସିବା ପରେ ସେମାନେ ମନଭୁଲାଣିଆ କଥା କହି ଉକ୍ତ ଲୋକ ମନରେ ବିଶ୍ବାସ ଜନ୍ମାଉଥିଲେ। ଏହା ପରେ ସେମାନେ ଚା, ମୃଦୁ ପାନୀୟ କିମ୍ବା ସ୍ନାକ୍ସ ଦେଉଥିଲେ। ପୂର୍ବରୁ ସେଥିରେ ୨-ଏମ୍‌ଜି ଆକ୍ଟିଭାନ୍‌ ବଟିକା ମିଶିଥାଏ। ଯାତ୍ରୀ ନିଶାରେ ବେହୋସ ହୋଇଯିବା ପରେ ସେମାନେ ତାଙ୍କର ସବୁ ଜିନିଷ ଲୁଟିବା ସହ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ପଳାଉଥିଲେ।

ସମ୍ବନ୍ଧିତ ଖବର