​ଡାକ୍ତରୀ ଆଡମିସନ୍ ନାଁରେ ୩୨ଲକ୍ଷ ଠକେଇ: ୨ ଅଣଓଡ଼ିଆ ଠକ ଗିରଫ

ଚନ୍ଦ୍ରଶେଖରପୁର : ବଡ଼ବଡ଼ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ତାରକା ହୋଟେଲରେ ରହିବା ସହ ବିଳାସପୂର୍ଣ୍ଣ କାର୍‌ରେ ଯିବା ଆସିବା କରୁଥିଲେ। ଠକେଇ ଟଙ୍କାରେ ବିମାନରେ ଉଡ଼ି ଅଏସ କରୁଥିଲେ। ବେଶ ପୋଷାକରୁ ବେଶ୍‌ ସମ୍ଭ୍ରାନ୍ତ ଲାଗୁଥିବା ଏହି ଦୁଇ ବ୍ୟକ୍ତି ପ୍ରକୃତରେ ଥିଲେ ଠକ। ଏଭଳି ଦୁଇ ଠକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ କୋଲକାତା ଓ ବିହାରରୁ ଗିରଫ କରିଛି। ଏମାନେ ଜଣେ ଛାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ଗିରଫ ଦୁଇ ଠକ ହେଲେ କୋଲକାତା ହାଓଡ଼ାର ଅମିତ ବାନାର୍ଜୀ (୪୪) ଏବଂ ବିହାର ଦରଭଙ୍ଗାର ଡା. ବିକାଶ ରଂଜନ (୩୯)। ଶନିବାର ଦିନ ସେମାନଙ୍କୁ ପୁଲିସ ଭୁବନେଶ୍ବର ଆଣି କୋର୍ଟ ଚାଲାଣ କରିଛି। ଗିରଫ ବେଳେ ପୁଲିସ ସେମାନଙ୍କ ଘରେ ଚଢ଼ଉ କରି ୯ଟି ମୋବାଇଲ, ୨ଟି ଲାପ୍‌ଟପ ସହିତ ୧୦ ଲକ୍ଷ ୨୯ ହଜାର ୫ଶହ ଟଙ୍କା ଜବତ କରିଛି।

ଘଟଣା ଅନୁଯାୟୀ ଏହି ଦୁଇ ଠକ ଓଡ଼ିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଉଥିଲେ। ଗତ ମାସରେ ଦୁଇ ଠକ କୋଲକାତାର ପଲ୍ଲବୀ ‌ସାହା ନାମ୍ନୀ ଜଣେ ଛାତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ସେ ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହୁଥିବାରୁ ତାଙ୍କୁ ଭୁବନେଶ୍ବର କିମ୍‌ସ ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗରେ ଥିବା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ନିଜ ନାମ ସୁଗତ ଚୌଧରୀ ଓ ଅଭିମନ୍ୟୁ କୁମାର ସିଂହ ବୋଲି କହିଥିଲେ। ଏନେଇ ଦୁଇ ଠକ ପର୍ଯ୍ୟାୟକ୍ରମେ ୩୨ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ।

ଠକାମିର ଶିକାର ହୋଇଥିବା ଜାଣିବା ପରେ ଛାତ୍ରୀଜଣଙ୍କ ଗତ ୫ ତାରିଖରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଥାନାର ଆଇଆଇସି ସମିତା ମିଶ୍ର ଓ ଏସ୍ଆଇ ନିରଞ୍ଜନ ବେହେରାଙ୍କ ସମେତ ଏକ ଦଳ ଗତ ୧୬ ତାରିଖରେ ବିହାର ଓ କୋଲକାତା ଯାଇଥିଲା। ପ୍ରଥମେ କୋଲକାତାରୁ ଅମିତକୁ ଗିରଫ କରାଯିବା ପରେ ବିହାରରୁ ବିକାଶକୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଇନ୍‌ଫୋସିଟି ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଆଣି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ଅଧିକ ତଥ୍ୟ ଆଦାୟ କରିବା ପାଇଁ ପୁଲିସ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର