ସୌନ୍ଦର୍ଯ୍ୟ ହରାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ : ଜରାଜୀର୍ଣ୍ଣ ଅବସ୍ଥାରେ ଦୁଇ ପାର୍କ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଖୋଲିବାକୁ ଯାଉଛି। ଆସନ୍ତା ମାସଠାରୁ ସେଠାରେ ପାଠପଢ଼ା ଆରମ୍ଭ ହେବ। ହେଲେ ପ୍ରଥମ କ୍ୟାମ୍ପସର ବିକାଶ କଥାକୁ ସମସ୍ତେ ଭୁଲି ଯାଇଛନ୍ତି। ରାଜ୍ୟର ଏକ ନମ୍ବର ସରକାରୀ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଓ କର୍ମଚାରୀଙ୍କ କ୍ୱାର୍ଟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହା ପରିସରରେ ଥିବା ଦୁଇଟି ପାର୍କ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇଥିବା ଏହି ବିଶ୍ୱବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ବିଶ୍ୱବିଦ୍ୟାଳୟ ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଅବସର ବିନୋଦନ ପାଇଁ ଏହା ପରିସରରେ ଦୁଇଟି ପାର୍କ ପ୍ରତିଷ୍ଠା କରାଯାଇଥିଲା। କୁଳପତିଙ୍କ ବାସଭବନ ସମ୍ମୁଖରେ ଥିବା ଆମ୍ର କାନନ ପାର୍କ ଓ ଗୋବିନ୍ଦ ସାହୁ ମାର୍କେଟ ନିକଟରେ ଥିବା ପାର୍କ ରକ୍ଷଣବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ହୋଇଛି। ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଗୌର କିଶୋର ଦାସଙ୍କ କାର୍ଯ୍ୟକାଳ ବେଳେ ୫ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା ଆମ୍ର କାନନ ପାର୍କ। ପାର୍କ ପରିସରରେ ପଥଚାରୀଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ବିଶ୍ରାମ ନେବା ପାଇଁ ପିଣ୍ଡି ମଧ୍ୟ ତିଆରି କରାଯାଇଥିଲା। ଛୋଟ ପିଲାଙ୍କ ଖେଳିବା ପାଇଁ ମଧ୍ୟ ପାର୍କ ଭିତରେ ସ୍ଥାନ ସଂରକ୍ଷିତ ଥିଲା। ୧୯୯୬ରେ ଏଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ହେଲେ ୧୯୯୯ ମହାବାତ୍ୟାରେ ଏହି ପାର୍କର ଚିତ୍ର ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସବୁ କିଛି ମାଟିରେ ମିଶିଗଲା। ମହାବାତ୍ୟା ପରେ ଯେଉଁ କୁଳପତି ଆସିଲେ କେହି ବି ଏହି ପାର୍କର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଲେନି। ଇତି ମଧ୍ୟରେ ୬ ଜଣ କୁଳପତି ଗଲେଣି। ତଥାପି ପାର୍କର ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଇ ନାହିଁ। ଏନେଇ ଛାତ୍ରଛାତ୍ରୀଙ୍କ ଦାବି ଉଠିଲେ ପୁନରୁଦ୍ଧାର କରାଯିବ ବୋଲି ସମାନ ପ୍ରତିଶ୍ରୁତି ଦିଆଯାଉଛି। ପାର୍କ ଏବେ ଜଙ୍ଗଲ ପାଲଟିଥିବାରୁ ଭିତରକୁ ପ୍ରବେଶ କରିବାକୁ କେହି ସାହାସ କରୁନାହାନ୍ତି। ବାଣୀବିହାର ପାଇଁ ଏହା ଏବେ ଯେମିତି ଅଲୋଡ଼ା ପାଲଟିଛି। ସ୍ୱଚ୍ଛତାର ନାରା ଦେଉଥିବା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କେବେ ଏହାର ପୁନରୁଦ୍ଧାର କରିବେ ତାହାକୁ ଛାତ୍ରଛାତ୍ରୀ ଚାହିଁ ରହିଛନ୍ତି।

ସେହିପରି ୨୦୦୮ରେ ନିର୍ମାଣ ହୋଇଥିବା ଗୋବିନ୍ଦ ସାହୁ ମାର୍କେଟ୍‌ ନିକଟ ପାର୍କ ମାତ୍ର ୪ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଇଛି। ଛାତ୍ରଙ୍କ ବସିବା ପାଇଁ ଏହା ପରିସରରେ ପିଣ୍ଡି ହୋଇଥିଲା। ବହୁ ଉପାଦେୟ ଗଛ ବି ଲାଗିଥିଲା। ଏବେ ସେଗୁଡ଼ିକ ସବୁ ନଷ୍ଟ ହୋଇଯାଇଛି। ସିଫା ଓ ଜାପାନ୍‌ ସରକାରଙ୍କ ମିଳିତ ସହଯୋଗରେ ଏହା ପରିସରରେ ମଧୁର ମାଛ ଚାଷ ପାଇଁ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଅଧାରୁ ବନ୍ଦ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀ କହିଛନ୍ତି କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ପାଇଁ କର୍ତ୍ତୃପକ୍ଷଙ୍କର ଆନ୍ତରିକତା ଅଭାବ ରହୁଛି। ପାର୍କର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆଗକୁ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବ୍‌ଲି ଥିବାରୁ ଏହି ଦୁଇ ପାର୍କର ପୁନରୁଦ୍ଧାର କରାଗଲେ ଛାତ୍ରଛାତ୍ରୀ ଉପକୃତ ହୁଅନ୍ତେ।

ବିଶ୍ୱବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର