ଲୁଟ୍ ସୁନା ବନ୍ଧକ ରଖି ଲୁଟେରାଙ୍କ ମଉଜ; ଦୁଇ ଲୁଟେରା ଓ ସୁନା ଋଣ ସଂସ୍ଥା ଶାଖା ମୁଖ୍ୟ ଗିରଫ

୨୯ ଗ୍ରାମ ସୁନା ବନ୍ଧା ପକାଇ ନେଇଥିଲେ ୮୦ ହଜାର
ସୁନା ଅଳଙ୍କାର, ମୋବାଇଲ ଫୋନ୍, ବାଇକ୍ ଜବତ

ଭୁବନେଶ୍ବର : ମହିଳାଙ୍କୁ ପିଛା କଲେ, ଭ୍ୟାନିଟି ଲୁଟିଲେ। ଭ୍ୟାନିଟିରେ ସୁନା ଅଳଙ୍କାର ଦେଖି ବିଭୋର ହୋଇଗଲେ। ଆଉ ଲୁଟ୍ ଅଳଙ୍କାରକୁ ସୁନା ଋଣ ସଂସ୍ଥାରେ ବନ୍ଧକ ରଖି ଟଙ୍କା ଆଣି ମଉଜ କଲେ। କିନ୍ତୁ ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ ଦୁଇ ଲୁଟେରା। ଖାଲି ଲୁଟେରା ନୁହେଁ; ସୁନା ଋଣ ସଂସ୍ଥାର ମୁଖ୍ୟଙ୍କୁ ବି ବାନ୍ଧିଲା ପୁଲିସ। ତିନିଜଣଙ୍କୁ ଗିରଫ କରିବା ସହ ସୁନାଚେନ୍, କାନଫୁଲ, ମୁଦି, ମୋବାଇଲ ଫୋନ୍, ରୁପା ଅଳଙ୍କାର ଓ ଲୁଟେରାଙ୍କ ବାଇକ୍ ଜବତ କରାଯାଇଛି। ଗିରଫ ଦୁଇ ଲୁଟେରା ହେଲେ ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିରେ ରହୁଥିବା ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ବିଭୂତି ପ୍ରଧାନ ଓରଫ୍ ବିଭୁ(୨୮) ଓ ସୀତାରାମନଗର ବସ୍ତିରେ ରହୁଥିବା କଟକ ବାଙ୍କୀ ତୁଳସୀପୁର ଅଞ୍ଚଳର ଶୁଭ୍ରଜିତ ଦେବତା ଓରଫ୍ କାହ୍ନା(୨୮)। ସେମାନଙ୍କ ସହ ଚନ୍ଦ୍ରଶେଖରପୁରରେ ଥିବା ଏକ ସୁନା ଋଣ ପ୍ରଦାନକାରୀ ସଂସ୍ଥାର ଶାଖା ମୁଖ୍ୟ ଆଶିଷ କୁମାର ଗୟା ମଧ୍ୟ ଗିରଫ ହୋଇଛନ୍ତି। ଲୁଟେରା ପୂର୍ବରୁ ମଧ୍ୟ ସେଠାରେ ସୁନା ବନ୍ଧା ପକାଇ ଋଣ ଆଣିଥିଲେ। ସେହିପରି ବିଭୂତି ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଲୁଟ୍, ଚୋରି ଭଳି ୬ଟି ମାମଲା ରହିଛି। କାହ୍ନା ନାଁରେ ଗୋଟିଏ ମାମଲା ରହିଛି।

ଜୟଦେବବିହାରରୁ ପିଛା କରି ପିଏମଜି ଛକରୁ ଲୁଟିଥିଲେ
ଝାରସୁଗୁଡ଼ା ବମ୍ବେ ଛକର ଵାଇ. କ୍ରିଷ୍ଣାବେଣୀ ଆଚାରି ଇନଫୋସିଟି ଶିଖରଚଣ୍ଡୀରେ ରହୁଥିବା ଝିଅ ଘରକୁ ଆସିଥିଲେ। ଗତ ୨୫ ତାରିଖରେ ସେ ଝାରସୁଗୁଡ଼ା ଯିବା ପାଇଁ ଝିଅ ସହ ସ୍କୁଟିରେ ରେଳ ଷ୍ଟେସନ ଆସୁଥିଲେ। ତେବେ ଜୟଦେବ ବିହାର ଛକ ନିକଟରେ ଦୁଇ ଲୁଟେରା ବିଭୁ ଓ କାହ୍ନା ତାଙ୍କୁ ବାଇକ୍‌ରେ ପିଛା କରିଥିଲେ ଏବଂ ପିଏମଜି ଛକରୁ ଷ୍ଟେସନ ରାସ୍ତାରେ ସେମାନେ କ୍ରିଷ୍ଣାବେଣୀଙ୍କ ଭ୍ୟାନିଟି ଛଡ଼ାଇ ନେଇଥିଲେ। ରାସ୍ତାରେ ପଡ଼ି ଯାଇ କ୍ରିଷ୍ଣାବେଣୀ ଆହତ ହୋଇଥିଲେ। ଏ ସମ୍ପର୍କରେ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ପ୍ରେମିକାର କାନଫୁଲ ବନ୍ଧକ ରଖିଥିଲା ବିଭୂତି
କୁଖ୍ୟାତ ଲୁଟେରା ବିଭୂତି ଜଣେ କଲେଜ ଛାତ୍ରୀଙ୍କୁ ପ୍ରେମ କରୁଛି। କିଛି ମାସ ତଳେ ଅସୁବିଧା ଥିବା କହି ସେ ପ୍ରେମିକାଠାରୁ ସୁନା କାନଫୁଲ ଓ କିଛି ଟଙ୍କା ମଧ୍ୟ ଆଣିଥିଲା। ଆଉ ତାହାକୁ ବନ୍ଧକ ରଖି ବ୍ୟାଙ୍କରୁ ଋଣ ଉଠାଇଥିଲା। ପ୍ରେମିକା ଯେତେବେଳେ ଏହା ଫେରାଇବା ପାଇଁ କହୁଥିଲା ସେତେବେଳେ ବିଭୂତି ଦିନ ଗଡ଼ାଇ ଚାଲିଥିଲା। ଗତ ୨୫ ତାରିଖ ଲୁଟ୍ ପରେ ଚନ୍ଦ୍ରଶେଖରପୁରର ଉକ୍ତ ସଂସ୍ଥାରେ ସୁନା ବନ୍ଧକ ରଖି ବିଭୁ ଓ କାହ୍ନା ୮୦ ହଜାର ଟଙ୍କା ଆଣିଥିଲେ। ଏହାକୁ ନିଜ ଭିତରେ ବାଣ୍ଟି ନେଇଥିଲେ। ବିଭୂତି ତା ପ୍ରେମିକାକୁ କାନଫୁଲ ବାବଦରେ କିଛି ଟଙ୍କା ଦେଇଥିଲା। ତାହ ସହ ଡ୍ରେସ୍ ଓ ଅନ୍ୟ ଉପହାର ମଧ୍ୟ ଦେଇଥିଲା। ସେହିପରି କାହ୍ନା ନିଜ ଗାଁରେ ନିର୍ମାଣାଧୀନ ଘରେ ଟାଇଲ୍ ପକାଇଥିଲା।

ମୋବାଇଲ ବିକ୍ରିରୁ ଧରା ପଡ଼ିଗଲେ
ସୁନା ବନ୍ଧକ ରଖି ଋଣ ଆଣିଥିଲେ। କିନ୍ତୁ ଲୁଟ୍ ମୋବାଇଲକୁ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିଲେ ଦୁଇ ଲୁଟେରା। ଖାରବେଳନଗର ଅଞ୍ଚଳରେ କିଛି ଲୋକଙ୍କୁ ଲୁଟ୍ ମୋବାଇଲ ବିକ୍ରି କରିବା ପାଇଁ କହୁଥିଲେ। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା। ମୋବାଇଲ ବିକ୍ରି କରିବାକୁ ଆସିଥିବା ସମୟରେ ପୁଲିସ ମାଡ଼ି ବସିଥିଲା।

ବନ୍ଧୁକ ରଖି ଗିରଫ ହୋଇଥିଲା ବିଭୂତି
ବିଭୂତି ପୂର୍ବରୁ ଚୋରା ବନ୍ଧୁକ ସହ ମଧ୍ୟ ଗିରଫ ହୋଇଥିଲା। ନୂଆପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ବିଭୂତି ସମ୍ପର୍କରେ ପୁଲିସ ଅଧିକ ଖୋଳତାଡ଼ କରୁଛି। ଆଉ କେଉଁଠି ଅପରାଧ ଘଟାଇଛି କି ନାହିଁ ଯାଞ୍ଚ କରୁଛି ଖାରବେଳନଗର ଥାନା ପୁଲିସ।

ସମ୍ବନ୍ଧିତ ଖବର