୨ କୁଖ୍ୟାତ ଲୁଟେରାଙ୍କୁ ଛେଚିଲେ ଲୋକେ, ସୁନାହାର ଓ ବାଇକ୍‌ ଜବତ

ଭୁବନେଶ୍ବର : ରାଜଧାନୀରେ ଆତଙ୍କ ରଚିଥିବା ଦୁଇ କୁଖ୍ୟାତ ଲୁଟେରାଙ୍କୁ ଲୋକ ନିସ୍ତୁକ ଛେଚି ପୁଲିସରେ ଦେଇଛନ୍ତି। ସେମାନେ ହେଲେ କଟକ ଓଲପୁର ଅଞ୍ଚଳର ସୁବାଷ ଦାସ(୨୩) ଓ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିର ଆରିଫ ଖାନ୍‌ ଓରଫ ବାବୁ(୩୯)। ପୁଲିସ ସେମାନଙ୍କଠାରୁ ‌ସୁନାହାର ଓ ବାଇକ୍‌ ଜବତ କରିଛି।

ଗତ ୧୦ ତାରିଖ ଅପରାହ୍ନ ସମୟରେ ସନ୍ତୋଷ ପରିଡ଼ା ଓ ତାଙ୍କ ପରିବାର ୟୁନିଟ୍‌-୨ ସ୍ଥିତ ମାର୍କେଟ ବିଲ୍ଡିଂ ଗଳିରେ ଯାଉଥିଲେ। ଏହି ସମୟରେ ସୁବାଷ ଓ ବାବୁ ସନ୍ତୋଷଙ୍କ ମା’ଙ୍କଠାରୁ ସୁନାଚେନ୍ ଛଡ଼ାଇ ନେଇଥିଲେ। ତାଙ୍କ ଚିତ୍କାର ଶୁଣି ଲୋକମାନେ ଦୁର୍ବୃତ୍ତଙ୍କୁ ଗୋଡ଼ାଇଥିଲେ ଓ କାବୁ କରି ନିସ୍ତୁକ ଛେଚିଥିଲେ। ଖବରପାଇ କ୍ୟାପିଟାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଥାନାକୁ ନେଇଥିଲା ଓ ଶୁକ୍ରବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ଉଭୟଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଚୋରି, ରାହାଜାନି ତଥା ଲୁଟ ମାମଲା ରହିଛି। ସୁବାଷ ପୂର୍ବରୁ ୨୦୨୧ ମସିହାରେ ଚନ୍ଦ୍ରଶେଖରପୁର, ଖାରବେଳନଗର ଓ ମଞ୍ଚେଶ୍ୱର ଥାନାର ଛିନତାଇ ମାମଲାରେ ଗିରଫ ହୋଇଥିଲା। ସେହିପରି ବାବୁ ଓରଫ ଆରିଫ ଖାନ ନାମରେ ୨୦୦୫ ମସିହାରୁ ଚୋରି, ଛିନ୍‌ତାଇ, ଲୁଟ ଓ ରାହାଜାନି ଭଳି ୨୦ଟି ଅପରାଧିକ ମାମଲା ରହିଛି। ଲକ୍ଷ୍ମୀସାଗରରେ ୯ ଟି, ଖାରବେଳନଗର ଥାନାରେ ୫ ଟି, ନନ୍ଦନକାନନ ଥାନାରେ ୨ ଟି ତଥା ମଞ୍ଚେଶ୍ୱର, ବାଲିପାଟଣା, ତମାଣ୍ଡୋ ଏବଂ ଚନ୍ଦ୍ରଶେଖରପୁର ଥାନାରେ ୧ଟି ମାମଲା ରୁଜୁ ହୋଇଛି । ସେହିପରି ସେ ଟାଙ୍ଗୀ ଥାନାର ଗୋଟିଏ ମାମଲା ରହିଛି। ସେ ଜଣେ ପେସାଦାର ତଥା ଅଭ୍ୟାସଗତ ଅପରାଧି ହୋଇଥିବାରୁ ତାଙ୍କ ବିରୋଧରେ ସିଆରପିସି ୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର