୨ ଦୋକାନ ସିଲ୍‌ କଲା ରାଜଧାନୀ ପୂଜା ସମିତି

ବକେୟା ଦାଖଲ କରି ଖୋଲିଲେ

ଭୁବନେଶ୍ୱର : ଭଡ଼ା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ବାକି ରଖିଥିବା ମାର୍କେଟ୍‌ ବିଲ୍ଡିଂର ଦୁଇଟି ଦୋକାନକୁ ଆଜି ରାଜଧାନୀ ପୂଜା ସମିତି ପକ୍ଷରୁ ସିଲ୍‌ କରାଯାଇଥିଲା। ସିଲ୍‌ ହେବାର ୪ ଘଣ୍ଟା ମଧ୍ୟରେ ଗୋଟିଏ ଦୋକାନ ସମସ୍ତ ବକେୟା ରାଶି ଓ ଅନ୍ୟ ଦୋକାନ ଅଧା ଦାଖଲ କରିବା ପରେ ସେମାନଙ୍କୁ ଖୋଲିବାକୁ ଅନୁମତି ଦିଆଯାଇଛି। ଭଡ଼ା ବାବଦକୁ ଏଭଳି ଲକ୍ଷ ଲକ୍ଷ ଟଙ୍କା‌ ବାକି ରଖିଥିବା ଆଉ ୨୦ ଦୋକାନ ମାଲିକ ଅଛନ୍ତି। ତାଙ୍କ ଉପରେ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବାକି ପଡ଼ିଛି। ୧୫ ଦିନ ମଧ୍ୟରେ ସେମାନେ ବକେୟା ରାଶିର ଅଧା ଓ ଆଉ ୧୫ ଦିନ ମଧ୍ୟରେ ବାକି ଅର୍ଥ ଦାଖଲ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଧାର୍ଯ୍ୟ ଅବଧି ମଧ୍ୟରେ ଟଙ୍କା ନ ଦେଲେ ସମିତି କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି କୋର୍ଟ କହିଛନ୍ତି। ତା’ ସହ ପ୍ରତି ମାସ ୭ ତାରିଖରେ ଭଡ଼ା ଦାଖଲ କରିବାକୁ ଆଦେଶ ହୋଇଛି। ଅନ୍ୟଥା ପୂଜା ସମିତି ପାଖରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଅଧିକାର ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତାବକ, ମାର୍କେଟ୍‌ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା କଲ୍ୟାଣୀ ଜେନେରାଲ ଷ୍ଟୋର ୨ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ବାକି ରଖିଥିଲା। ଦୀର୍ଘ ଦିନ ଧରି ସମିତି ନୋଟିସ୍‌ ଦେଉଥିଲେ ମଧ୍ୟ ମାଲିକ ହେମନ୍ତ କୁମାର ବିଶୋଇ ବକେୟା ଅର୍ଥ ଜମା କରୁନଥିଲେ। ଏଣୁ ଆଜି ଷ୍ଟୋର୍‌କୁ ସମିତି ନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର ଆଇନ ଅନୁଯାୟୀ ସିଲ୍‌ କରିଥିଲେ। ସିଲ୍‌ କରିବାର ୪ଘଣ୍ଟା ମଧ୍ୟରେ ମାଲିକ ୨ ଲକ୍ଷ ୮୩ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ସମିତିରେ ଜମା କରିଥିଲେ। ତେଣୁ ତାଙ୍କୁ ଖୋଲିବାକୁ ଅନୁମତି ଦିଆଯାଇଥିଲା। ସେହିଭଳି ଉପର ମହଲାରେ ଥିବା କ୍ରାଫ୍ଟୋରିୟମ୍‌ର ୩ ଲକ୍ଷ ଟଙ୍କା ବାକି ରହିଥିଲା। ଏହି ଦୋକାନକୁ ମଧ୍ୟ ସିଲ୍‌ କରାଯାଇଥିଲା। ସିଲ୍‌ ହେବାର କିଛି ସମୟ ପରେ ମାଲିକ ବିନୋଦିନୀ ପ୍ରହରାଜ ଦେଢ଼ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଜମା କରିଥିଲେ। ବାକି ଦେଢ଼ଲକ୍ଷ ଗୋଟିଏ ମାସ ମଧ୍ୟରେ ଜମା କରିବାକୁ ଲିଖିତ ପ୍ରତିଶ୍ରୁତି ଦେବାରୁ ତାଙ୍କୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ପରେ ସର୍ବପୁରାତନ ଅନୁଷ୍ଠାନ ରାଜଧାନୀ ପୂଜା ସମିତିର ନୂଆ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି। ଟ୍ରଷ୍ଟବୋର୍ଡ ଗଠନ ପରେ କାର୍ଯ୍ୟାନୁ‌ଷ୍ଠାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଖୁବ୍‌ଶୀଘ୍ର ଏଠାରୁ ଏକାଧିକ ଜବରଦଖଲ ହଟିବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ବିଡିଏକୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର