ଭୁବନେଶ୍ବର : ରସୁଲଗଡ଼ ସାହାରା କ୍ୟାମ୍ପସ୍ ପାଖରେ ଥିବା ଦୁଇଟି ଦୋକାନରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଅଘଟଣ ଘଟିଥଲା। ତେବେ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଠିକଣା ସମୟରେ ଦମକଳବାହିନୀ ପହଞ୍ଚିବାରୁ ଆଖପାଖରେ ଥିବା ପ୍ରାୟ ୨୫ଟି ଦୋକାନ ଏହି ଅଘଟଣରୁ ବର୍ତ୍ତି ଯାଇଥିଲା। କାରଣ ଜଣା ପଡ଼ି ନଥିଲେ ହେଁ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ କର୍ମଚାରୀମାନେ ସନ୍ଦେହ କରୁଛନ୍ତି।
କ୍ଷତିଗ୍ରସ୍ତ ବ୍ୟବସାୟୀଦ୍ବୟ ହେଲେ, ଗଣେଶ ମୋଟର୍ସର ମାଲିକ ଅଂଶୁମାନ ସାହୁ ଓ ରୁଦ୍ରା ଆର୍ଥ ମୁଭର୍ସ ମାଲିକ ରାଜକୁମାର ପାଣ୍ଡେ। ରାଜକୁମାର କ୍ରେନ୍ ଓ ଅନ୍ୟାନ୍ୟ ଜିନିଷ ଭଡ଼ା ସୂତ୍ରରେ ଦିଅନ୍ତି। ଏଠାରେ ସେ କେବଳ ଅଫିସ କରିଛନ୍ତି। ଅଂଶୁମାନଙ୍କର ଲ୍ୟୁବ୍ରିକାଣ୍ଟ ଦୋକାନ ରହିଛି। ଉଭୟ ଦୋକାନ ଲାଗିଲାଗି ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ରାଜକୁମାରଙ୍କ ଦୋକାନ ଭିତରୁ ଧୂଆଁ ବାହାରିଥିଲା। ଚାହୁଁଚାହୁଁ ନିଆଁ ଅଂଶୁମାନଙ୍କ ଦୋକାନକୁ ବ୍ୟାପି ଯାଇଥିଲା। ଦୋକାନ ଭିତରେ ଲ୍ୟୁବ୍ରିକାଣ୍ଟ ଥିବାରୁ ନିଆଁର ପ୍ରକୋପ ହଠାତ୍ ବଢ଼ି ଯାଇଥିଲା। ଅନ୍ୟ ଦୋକାନୀମାନଙ୍କଠାରୁ ଖବର ପାଇ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଅଂଶୁମାନଙ୍କର ପାଖାପାଖି ୩ ଲକ୍ଷ ଟଙ୍କାର ଲ୍ୟୁବ୍ରିକାଣ୍ଟ ଜଳି ଯାଇଥିବା ବେଳେ ରାଜକୁମାରଙ୍କର ଅଫିସ୍ରେ ଥିବା କମ୍ପ୍ୟୁଟର୍, ଚେୟାର ଓ ଟେବୁଲ ସହ ଅନ୍ୟ କିଛି ଦରକାରୀ ଜିନିଷପତ୍ର ପାଉଁଶ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/fire-accident-2.jpg)