ନାବାଳକ ପୁଅଙ୍କ ହାତରେ ଚାଲିଗଲା ଜୀବନ

ଭୁବନେଶ୍ୱର : ଗତକାଲି ରାତିରେ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଏୟାର୍‌ଫିଲ୍ଡ ଥାନା ଅନ୍ତର୍ଗତ ଅର୍କିଡ୍‌ ଆପାର୍ଟମେଣ୍ଟରେ ଅଚାନକ ଘଟିଛି ଏହି ବିସ୍ମୟକର ବୀଭତ୍ସ ହତ୍ୟାକାଣ୍ଡ। ୨ ନାବାଳକ ପୁଅ ନିଜ ମା’ଙ୍କୁ ନିର୍ମମଭାବେ ଶାବଳରେ ପିଟି ହତ୍ୟା କରିଛନ୍ତି। ଉଗ୍ର ଆଧୁନିକତାର ବଶବର୍ତ୍ତୀ ହୋଇଥିବା ମା’ ବିନୋଦିନୀ ମିଶ୍ର(୩୮) ଶେଷରେ ନିଜ ନାବାଳକ ପୁଅଙ୍କ କ୍ରୋଧର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଦଶମ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଦୁଇ ପୁଅ ମା’କୁ ପିଟି ମାରିଦେବା ଭଳି ଅବିଶ୍ବାସନୀୟ ଘଟଣା ଆଜି ରାଜଧାନୀବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ରାତି ପ୍ରାୟ ୧୧ଟା। ଅର୍କିଡ୍‌ ଆପାର୍ଟମେଣ୍ଟର ୧୦୨ ନମ୍ବର ଫ୍ଲାଟ୍‌ରେ ରହୁଥିବା ପର୍‌ଭେଜ୍ ଆଲାମ୍‌ଙ୍କୁ ୧୦୨ ନମ୍ବର ଫ୍ଲାଟ୍‌ରେ ରହୁଥିବା ବିନୋଦିନୀଙ୍କ ବଡ଼ ପୁଅ ଫୋନ୍ କରିଥିଲା। ‘ଅଙ୍କଲ୍‌, ମା’କୁ କିଏ ଆକ୍ରମଣ କରିଛି, ଜଲ୍‌ଦି ଟିକେ ଦେଖ। ଆମେ ଦୁଇ ଭାଇ କ୍ୟାପିଟାଲ ହସ୍ପିଟାଲରେ ଅପେକ୍ଷା କରିଛୁ, ଜଲ୍‌ଦି ମା’କୁ ଆମ୍ବୁଲାନ୍‌ସରେ ନେଇ ଆସ। ସେ ବଞ୍ଚିଯିବ।’ ଆଲାମ୍‌ ଖାଇ ବସିଥିଲେ। ତରବର ହୋଇ ପାଖ ପଡ଼ୋଶୀଙ୍କୁ ଡାକି ବିନୋଦିନୀଙ୍କ ଘରକୁ ଯାଇଥିଲେ। ଘର ଭିତର ଦୃଶ୍ୟ ଦେଖି ସେମାନେ ନିର୍ବାକ୍ ହୋଇ ଯାଇଥିଲେ। ବିନୋଦିନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଶରୀର ବାଥ୍‌ରୁମ୍‌ରେ ପଡ଼ିଥିଲା। ଡାଇନିଂ ରୁମ୍‌ରୁ ତାଙ୍କୁ ଘୋଷାରି ଘୋଷାରି ବାଥ୍‌ରୁମ୍‌କୁ ନିଆଯାଇଥିଲା। ଆଲାମ୍‌ କାଳବିଳମ୍ବ ନକରି ଏୟାର୍‌ଫିଲ୍ଡ ଥାନାକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିବା ସହ ପ୍ରଥମେ ୨ ପୁଅଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା। ରାତାରାତି ସେମାନଙ୍କୁ ଭୁବନେଶ୍ବର ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରାଯାଇଥିଲା। ପରେ ବିନୋଦିନୀଙ୍କ ହତ୍ୟାକାଣ୍ଡର କାହାଣୀ ସ୍ପଷ୍ଟ ହୋଇଯାଇଥିଲା।

ଡାଇନିଂରେ ହୋଇଥିଲା ହତ୍ୟା
ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ବିନୋଦିନୀଙ୍କ ଘରେ ଛାନଭିନ୍ କରିଥିଲା। ଶାବଳ, ବାଥରୁମ୍, ଡାଇନିଂରେ ଲାଗିଥିବା ରକ୍ତ ଛିଟା, ଅଙ୍ଗୁଳି ଛାପ ସଂଗ୍ରହ କରିଥିଲା। ହତ୍ୟାକାଣ୍ଡ ଡାଇନିଂରେ ଘଟିଥିବା ସ୍ପଷ୍ଟ ହୋଇଥିଲା। ବଡ଼ ପୁଅର ବୟାନ ଅନୁସାରେ ଖାଇବାକୁ ନ ଦେଇ ମା’ ଓଲଟା ବାଡ଼େଇଥିଲା। ତେଣୁ ରାଗରେ ସେମାନେ ଶାବଳରେ ମା’କୁ ପିଟି ଦେଇଥିଲେ। ତେଣୁ ପୁଅର ବୟାନ ସହ ଘଟଣାସ୍ଥଳର ଚିହ୍ନ ମେଳ ଖାଉଛି ବୋଲି ପୁଲିସ ସୂଚନା ଦେଇଛି।

ଧରା ପକାଇଦେଲା ସିସିଟିଭି କ୍ୟାମେରା
ବିନୋଦିନୀଙ୍କ ୨ ପୁଅକୁ ଖୋଜି ଖୋଜି ପୁଲିସ କ୍ୟାପିଟାଲ ହସ୍ପିଟାଲ ବାଇକ୍‌ ଷ୍ଟାଣ୍ଡରେ ପହଞ୍ଚିଥିଲା ଓ ଷ୍ଟାଣ୍ଡର କର୍ମଚାରୀ ରାମଠାରୁ ବଡ଼ ପୁଅ ବାବଦରେ ତଥ୍ୟ ସଂଗ୍ରହ କରିଥିଲା। କାରଣ ରାମ ଫୋନ୍‌ରୁ ବଡ଼ ପୁଅ ଆଲାମ୍‌ଙ୍କୁ ଫୋନ୍ କରିଥିଲା। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ବଡ଼ ପୁଅକୁ ପୁଲିସ ଟିମ୍‌ ଚିହ୍ନଟ କରିଥିଲା। ସେ ଜିନ୍ସ ଓ ଟି ସାର୍ଟ ସହ ନାଲି ରଙ୍ଗର ଟୋପି ପିନ୍ଧିଥିଲା ଓ ମୁହଁରେ ରୁମାଲ୍ ବାନ୍ଧିଥିଲା। ସେମାନେ ସାଙ୍ଗରେ ଧରି ଆସିଥିବା ନୀଳ ରଙ୍ଗର ହିରୋ ମାଷ୍ଟେରୋ ଗାଡ଼ି(ଓଡି୦୨-୯୩୫୪) ଆଗରେ ରାଜା ଓ ସୋନୁ ବୋଲି ଲେଖାଥିବା ଦେଖିବାକୁ ମିଳିଥିଲା। ତେଣୁ ଗାଡ଼ିକୁ ଦେଖି ସେମାନଙ୍କୁ ଠାବ କରିବା ପାଇଁ ପୁଲିସ ଭୁବନେଶ୍ବର ରେଳ ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇଥିଲା। ତେବେ ସେମାନଙ୍କୁ ରେଳ ଷ୍ଟେସନ ନିକଟରୁ ପୁଲିସ ଧରିଥିଲା। ବିନୋଦିନୀଙ୍କୁ ହତ୍ୟା କରିବା ପରେ ୨ ଭାଇ କୁଆଡ଼େ ଫେରାର୍ ହେବେ ବୋଲି ବୁଝିପାରିନଥିଲେ। ହୁଏତ ସେମାନେ ରେଳ ଷ୍ଟେସନରେ ଗାଡ଼ି ରଖି ରାଉରକେଲାରେ ରହୁଥିବା ସେମାନଙ୍କ ବାପାଙ୍କ ପାଖକୁ ଚାଲିଯିବାକୁ ଇଚ୍ଛା କରିଥିଲେ।

କୁକୁରକୁ ସାଙ୍ଗରେ ନେଇଥିଲେ
ବିନୋଦିନୀଙ୍କୁ ହତ୍ୟା କରିବା ପରେ ଦୁଇ ଭାଇ ସାଙ୍ଗରେ ଏକ ଲଗେଜ୍ ବ୍ୟାଗ୍ ଓ ପୋଷା କୁକୁରକୁ ନେଇ ପଳାଇଥିଲେ। ପୁଲିସ ସେମାନଙ୍କୁ ଧରିବା ପରେ ଲଗେଜ୍ ସହ କୁକୁରକୁ ଉଦ୍ଧାର କରିଥି‌ଲା। ସେମାନେ ଫେରାର୍ ହେବା ପରେ ପୋଷା କୁକୁରଟି ଅନାଥ ହୋଇଯିବ ବୋଲି ସେମାନେ ତାକୁ ସାଙ୍ଗରେ ନେଇଥିଲେ ବୋଲି ପୁଲିସକୁ କହିଥିଲେ।

ମାମୁ କିଏ: ପଡ଼ୋଶୀଙ୍କ ସୂଚନା ଅନୁସାରେ ଆପାର୍ଟମେଣ୍ଟରେ ବିନୋଦିନୀଙ୍କ ଦୁଇ ମାସର ରହଣି ଭିତରେ ଜଣେ ଯୁବକ ନିୟମିତ ତାଙ୍କ ପାଖକୁ ଆସୁଥିଲେ। ଦୁଇ ପୁଅ ତାଙ୍କୁ ମାମୁ ବୋଲି ଡାକୁଥିଲେ। କିନ୍ତୁ ବିଳମ୍ବିତ ରାତିରେ ସେହି ମାମୁଙ୍କ ସହ ବିନୋଦିନୀ ଘରକୁ ଫେରୁଥିଲେ ଓ ପୂରା ନିଶାରେ ଚୁର୍‌ ହୋଇ ରହୁଥିଲେ। ମଦ ପିଇ ବିନୋଦିନୀ ଦୁଇ ପୁଅଙ୍କୁ ଅବହେଳା କରୁଥିଲେ ଓ ମାର୍‌ପିଟ କରୁଥିଲେ ବୋଲି କୁହାଯାଉଛି। ପୁଲିସ ନିକଟରେ ଦୁଇ ପୁଅ ମଧ୍ୟ ଏହି ବୟାନ ଦେଇଛନ୍ତି। ତେଣୁ ପୁରୁଣା ଭୁବନେଶ୍ବର ଅଞ୍ଚଳର ଏହି ମାମୁଙ୍କ ଠିକଣା ଖୋଜୁଛି ପୁଲିସ।

ସମ୍ବନ୍ଧିତ ଖବର