ଛୁରି ଦେଖାଇ ୨ଛାତ୍ରୀଙ୍କୁ ଅପହରଣ

କଳ୍ପନାରୁ ଉଦ୍ଧାର କଲା ଚାଇଲ୍ଡଲାଇନ୍

ଭୁବନେଶ୍ବର: ବେକରେ ଛୁରି ଲଗାଇ ୨ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ବିଫଳ ହୋଇଛି। ନାବାଳିକାଙ୍କୁ ଭୟଭୀତ କରି ବସ୍‌ରେ ପୁରୀ ନେଉଥିବା ବେଳେ ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷ କଳ୍ପନା ନିକଟରୁ ନାବାଳିକା ଦ୍ବୟଙ୍କୁ ଉଦ୍ଧାର କରିଛନ୍ତି। ମାତ୍ର ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସିଯାଇଛନ୍ତି। ଉଦ୍ଧାର ୨ ନାବାଳିକାଙ୍କୁ ଅତିରିକ୍ତ ସିଡବ୍ଲୁସିରେ ହାଜର କରାଇବା ପରେ ତମାଣ୍ଡୋ ଥାନା ଅନ୍ତର୍ଗତ ଭିଜେଏସ୍‌ଏସ୍ ଓପନ ସେଲଟର୍‌ରେ ରଖାଯାଇଥିବା ସୂଚନା ଦିଆଯାଇଛି। ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପରିବାର ଲୋକେ ଆସିବା ପରେ ଅପହରଣ ପଛର ରହସ୍ୟ ପଦାକୁ ଆସିବ ଏବଂ ଥାନାରେ ଅଭିଯୋଗ ଦିଆଯିବ ବୋଲି ଚାଇଲ୍ଡଲାଇନ୍‌ର ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ, ୨ଜଣ ନାବାଳିକାଙ୍କୁ ୩ଜଣ ଯୁବକ ଭୁବନେଶ୍ବରରୁ ପୁରୀ ନେଉଥିବା ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କୁ ଫୋନ୍ ଆସିଥିଲା। ଆଶୁତୋଷ ବସ୍‌ (ଓଡି ୦୨ଏଫ୍ ୬୬୧୧)ରେ ସେମାନେ ଯାଉଥିବା ସୂଚନା ପାଇ ଶ୍ରୀ ସେନାପତି କଳ୍ପନା ଛକ ନିକଟରେ ଅପରାହ୍ନ ପ୍ରାୟ ୧ଟା ୨୦ରେ ବସ୍ ଅଟକାଇଥିଲେ। ନାବାଳିକା ଦ୍ବୟଙ୍କୁ ଉଦ୍ଧାର କରି ୩ଜଣ ଯୁବକଙ୍କୁ ଧରି ଚାଇଲ୍ଡଲାଇନ୍ ଟିମ୍ ପଚରାଉଚରା କରିଥିଲେ। ନାବାଳିକା ଦ୍ବୟ ଦେଇଥିବା ସୂଚନା ଅନୁସାରେ ସେମାନଙ୍କୁ ୩ ଦୁର୍ବୃତ୍ତ ଅପହରଣ କରି ଆଣିଛନ୍ତି। ସେମାନେ କଟକ ନୂଆବଜାରସ୍ଥିତ ଏକ ସ୍କୁଲ୍‌ରୁ ଘରକୁ ଫେରୁଥିବା ବେଳେ ତାଙ୍କ ବେକରେ ଛୁରି ଲଗାଇ ଅପହରଣ କରାଯାଇଥିଲା। ଅପରପକ୍ଷରେ ଧରାପଡ଼ିଯିବା ଭୟରେ ୩ ଦୁର୍ବୃତ୍ତ ଚାଇଲ୍ଡଲାଇନ୍ ସଦସ୍ୟଙ୍କୁ ଧକ୍କା ମାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଚାଇଲ୍ଡଲାଇନ୍ ସଦସ୍ୟ ଗଂଜାମ ମାଣିତରାର ରବୀନ୍ଦ୍ର ପ୍ରଧାନ ନାମକ ଜଣେ ଯୁବକର ଆଧାର କାର୍ଡ ଫଟୋ ଉଠାଇ ପୁଲିସକୁ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର