ଗୋଟିଏ ଜମିକୁ ଦୁଇ ଥର ବନ୍ଧକ ରଖି ୩୦ ଲକ୍ଷ ଋଣ

ଭୁବନେଶ୍ବର: ଜଣେ ଜମି ମାଲିକ ଚଞ୍ଚକତା କରି ଗୋଟିଏ ଜମିକୁ ଦୁଇ ଦୁଇଟି ବ୍ୟାଙ୍କରେ ବନ୍ଧକ ରଖି ୩୦ ଲକ୍ଷ ଟଙ୍କା ଋଣ ଉଠାଇବା ମାମଲାରେ ବଡ଼ଗଡ଼ ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଗୋଟିଏ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରୁ ୫ ଲକ୍ଷ ୮୦ ହଜାର ଟଙ୍କା ଋଣ ନେଇ ପରିଶୋଧ ନ କରିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଅଭିଯୋଗ କରିବା ପରେ ପୁଲିସ ଋଣ ଗ୍ରହୀତା, ଗ୍ୟାରେଣ୍ଟର ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଋଣଗ୍ରହୀତା ଚିନ୍ତାମଣିଶ୍ବର ଅଞ୍ଚଳର ପ୍ରଶାନ୍ତ ପ୍ରଧାନ, ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ରାମଚନ୍ଦ୍ର ପାହାଡ଼ସିଂ, ଅଜୟ ପାହାଡ଼ସିଂ ଓ ଦେବପ୍ରସାଦ ପାହାଡ଼ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପ୍ରଶାନ୍ତ ପ୍ରଧାନ ୨୦୧୬ ଜାନୁଆରିରେ ଲୁଇସ୍‌ ରୋଡ୍‌ସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ୫ଲକ୍ଷ ୮୦ହଜାର ଟଙ୍କା ଋଣ ନେଇଥିଲେ। ଏଥିରେ ଖୋର୍ଦ୍ଧା ବେଗୁନିଆର ରାମଚନ୍ଦ୍ର ପାହାଡ଼ସିଂ ଗ୍ୟାରେଣ୍ଟର୍‌ ପଡ଼ିଥିଲେ। ତାଙ୍କ ଜମିକୁ ବନ୍ଧକ ରଖାଯାଇଥିଲା। ଋଣ ସର୍ତ୍ତ ଅନୁସାରେ ପ୍ରଶାନ୍ତ ପରିଶୋଧ କରୁ ନଥିଲେ। ବହୁ ଦିନ ବିତିଯିବା ପରେ ବ୍ୟାଙ୍କ ପକ୍ଷରୁ ଅନୁସନ୍ଧାନ କରାଯିବାରୁ ଜଣାପଡ଼ିଥିଲା ଯେ ବନ୍ଧକ ଥିବା ଜମିକୁ ରାମଚନ୍ଦ୍ର ତାଙ୍କ ଦୁଇ ପୁଅ ଅଜୟ ଓ ଦେବପ୍ରସାଦଙ୍କୁ ପରବର୍ତ୍ତୀ ସମୟରେ ବିକ୍ରି କରି ଦେଇଥିଲେ। ସେମାନେ ଏହାକୁ ଅନ୍ୟ ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରେ ବନ୍ଧକ ରଖି ୨୫ ଲକ୍ଷ ଟଙ୍କା ଋଣ ଉଠାଇଥିଲେ।

ସମ୍ବନ୍ଧିତ ଖବର