ଦୁଇ ବିଶ୍ବବିଦ୍ୟାଳୟର ଜଣେ କୁଳପତି, କାମ ଚାପ ବଢ଼ୁଛି

ଉତ୍କଳରେ ସ୍ଥିର ହୋଇପାରୁନି ସମ୍ମାନସୂଚକ ଡକ୍ଟରେଟ୍‌, ଓୟୁଏଟି ସମାବର୍ତନ ଉତ୍ସବ ବିଳମ୍ବ ହେବ

ଭୁବନେଶ୍ବର: ରାଜ୍ୟର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟ; ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଓ ଉତ୍କଳ ବିଶ୍ବବିଦ୍ୟାଳୟ। ଗୋଟିଏ ସାଧାରଣ ଶିକ୍ଷା କ୍ଷେତ୍ରରେ ପୁରାତନ ହୋଇଥିବା ବେଳେ ଅନ୍ୟଟି କୃଷି କ୍ଷେତ୍ରରେ ପ୍ରତିଷ୍ଠିତ। ଦେଶର ଏହି ଦୁଇ ନାମକରା ଶିକ୍ଷାନୁଷ୍ଠାନରେ ଏବେ ଅଚଳାବସ୍ଥା ଦେଖାଦେଇଛି। କୌଣସି କାମ ଠିକ୍‌ ଭାବେ ହୋଇପାରୁନି। କୁଳପତିଙ୍କ ଟେବୁଲ୍‌ ଉପରେ ଦୁଇରୁ ତିନି ଦିନ ଧରି ଫାଇଲ୍‌ ପଡ଼ି ରହୁଛି। କୁଳପତିଙ୍କ ଦସ୍ତଖତ ମରା ଯାଉ ନଥିବାରୁ ଫାଇଲ୍‌ ଆଗକୁ ବଢ଼ିପାରୁନି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଓୟୁଏଟିର ଦାୟିତ୍ବ ଦିଆଯାଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। କାମ ଚାପ ଏବେ ଏତେ ବଢ଼ୁଛି ଯେ କୁଳପତି କେଉଁ ବିଶ୍ବବିଦ୍ୟାଳୟକୁ କେତେବେଳେ ଯିବେ, ତାହା ବି ସ୍ଥିର କରିପାରୁ ନାହାନ୍ତି। କର୍ମଚାରୀମାନେ ବି ତାଙ୍କ ବାଟକୁ ଚାହିଁ ରହୁଛନ୍ତି। ମାର୍ଚ୍ଚ ୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ। ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହାନ୍ତି ମୁଖ୍ୟ ଅତିଥି। କେ‌ତେଜଣଙ୍କୁ ମିଳିବ ସମ୍ମାନସୂଚକ ଡକ୍ଟରେଟ୍‌? କେଉଁମାନେ ପାଇବେ? ତାହା ବି ସ୍ଥିର ହୋଇନି। ଏପରିକି ସିଣ୍ଡିକେଟ୍‌ ବୈଠକ ବି ବସିନି। ଆଉ ୧୦ଦିନ ବାକିଥିବା ବେଳେ ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। କୁଳପତି ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ ଉତ୍ସବର ମୁଖ୍ୟଅତିଥି ପାଇଁ ଏକାଧିକ ବ୍ୟକ୍ତି ସହମତି ପ୍ରକାଶ କରିଛନ୍ତି। କିନ୍ତୁ କେହି ଚୂଡ଼ାନ୍ତ ମୋହର ମାରି ନାହାନ୍ତି। ‌ତେଣୁ ନିଷ୍ପତ୍ତି ହୋଇପାରୁନି। ଦୁଇରୁ ତିନି ଦିନ ଭିତରେ ମୁଖ୍ୟ ଅତିଥି ଓ ସମ୍ମାନସୂଚକ ଡକ୍ଟରେଟ୍‌ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ସ୍ଥିର ହେବ। ୨୦୧୭-୧୮ ଶିକ୍ଷା ବର୍ଷ ଲାଗି ଏହି ସମାବର୍ତନ ଉତ୍ସବ ‌ହେବ। ତେଣୁ ଏହା ପୂର୍ବରୁ ୨୦୧୬-୧୭ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌, ମେଡାଲ, ଆୱାର୍ଡ ପ୍ରଦାନ ଲାଗି ଆସନ୍ତା ୨୫ ତାରିଖରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଏଥିପାଇଁ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କଠାରୁ ଅନୁମତି ନିଆଯାଇଥିବା ସେ କହିଛନ୍ତି।

ସେପଟେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ବି ସମାନ ଅବସ୍ଥା। ବିଗତ କିଛି ବର୍ଷକୁ ଦେଖିଲେ ମାର୍ଚ୍ଚ ମାସରେ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। କୁଳପତି ପଦକୁ ନେଇ ବିବାଦ ଜାରି ରହିଥିବାରୁ ସମାବର୍ତନ ଉତ୍ସବ ଚଳିତ ମାସରେ ହେବାର ସମ୍ଭାବନା ହିଁ ନାହିଁ। ସ୍ଥାୟୀ କୁଳପତି ନ ଥିବାରୁ ଏଠାରେ ସବୁ କିଛି ଅଚଳ ହୋଇଛି। ଗତକାଲି ଉତ୍କଳ ବିଶ୍ବବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ତାଲିମ କେନ୍ଦ୍ର ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ବିଶ୍ବବିଦ୍ୟାଳୟ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ‌ହୋଇଥିଲା। କୁଳପତି ପ୍ରଫେସର ପଟ୍ଟନାୟକ ଏଥିରେ ସାମିଲ ହେବେ ବୋଲି କୁହାଯାଇଥିଲା। କିନ୍ତୁ ସେ ଅନୁପସ୍ଥିତ ଥିଲେ। ଓୟୁଏଟି ଅଧୀନ କୃଷି କଲେଜର ବାର୍ଷିକ ଉତ୍ସବରେ କୁଳପତି ପ୍ରଫେସର ପଟ୍ଟନାୟକ ରହିବେ ବୋଲି ନିମନ୍ତ୍ରଣ ପତ୍ରରେ ଛପା ଯାଇଥିଲା। ହେଲେ ସେ ଆସି ନଥିଲେ। ଏପରିକି ଗତ କିଛି ଦିନ ହେଲା ଦୁଇ ବିଶ୍ବବିଦ୍ୟାଳୟର ବିଭିନ୍ନ ଉତ୍ସବରେ କୁଳପତିଙ୍କ ଅନୁପସ୍ଥିତିକୁ ନେଇ ଛାତ୍ରଛାତ୍ରୀ, ପ୍ରଫେସରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟର କୃଷି ସହ ଓୟୁଏଟି ଜଡ଼ିତ ରହୁଥିବାରୁ ଏହାର ସ୍ଥାୟୀ କୁଳପତି ରହିବାର ଆବଶ୍ୟକତା ରହିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଏଠାକାର ଛାତ୍ରଛାତ୍ରୀ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଓୟୁଏଟିର ସ୍ଥାୟୀ କୁଳପତି ଚୟନ ଲାଗି ସୋମବାର ସର୍ଚ୍ଚ କମିଟିର ବୈଠକ ଅନୁଷ୍ଠିତ ବସିବ। କୃଷି ଭବନ ପରିସରରେ ଏହି ବୈଠକ ହେବାର ସମ୍ଭାବନା ରହିଛି। କୁଳପତି ପ୍ରଫେସର ପଟ୍ଟନାୟକ କହିଛନ୍ତି ‌ଯେ ଉଭୟ ବିଶ୍ବବିଦ୍ୟାଳୟ ଦାୟିତ୍ବ ଥିବାରୁ ଟିକିଏ ଚାପ ରହିଛି। ତଥାପି କାମ କିପରି ନିୟମିତ ଓ ନିର୍ଧାରିତ ସମୟରେ ସରିବ ସେଥିପ୍ରତି ଗୁରୁତ୍ବ ଦେଉଛି। କୌଣସି ବି ବିଶ୍ବବିଦ୍ୟାଳୟ ଫାଇଲ୍‌ ୨ ଦିନରୁ ଅଧିକ ପଡ଼ି ରହୁନି।

ସମ୍ବନ୍ଧିତ ଖବର