ବ୍ୟବସାୟୀଙ୍କୁ ଉଚ୍ଛେଦ ଭୟ : ଦୋକାନ ଚିନ୍ତାରେ ଗଲା ଦୁଇ ଜୀବନ!

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜମି ମାଲିକଙ୍କ ସହ ପ୍ରଥମେ ଆଲୋଚନା କରି କ୍ଷତିପୂରଣ ଓ ଥଇଥାନ ପରେ ଜମି ଅଧିଗ୍ରହଣ କରାଯାଉ ବୋଲି ଏକାମ୍ର ମୁରବି ମଞ୍ଚ ଦାବି କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ୟାକେଜ୍ ଘୋଷଣା କରାଯିବା ସହ ଯୋଜନା ସମ୍ପର୍କରେ ଆଲୋଚନା କରି, ବିଜ୍ଞପ୍ତି ଜାରି କରି ଜମି ଅଧିଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି। ଏପରି ନକରି ସ୍ଥିତିବାନ ଜମି ମାଲିକଙ୍କୁ ଘର ଖାଲି କରିବାକୁ ପ୍ରଶାସନ ଡରାଉଛି। ଫଳରେ ତଳ ବଜାରରେ ପୂଜା ସାମଗ୍ରୀ ଦୋକାନ କରିଥିବା ବ୍ୟବସାୟୀ ବିଜୟ ସାହୁ(୪୭)ଙ୍କର ମୃତ୍ୟୁ ହୋଇଛି। ଉଚ୍ଛେଦ କଥା ଚିନ୍ତା କରି ୩ଦିନ ପୂର୍ବରୁ ହୃଦ୍‌ଘାତରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଏଏମ୍‌ଏସ୍‌ରେ ମୃତ୍ୟୁ ହୋଇଛି। ଉଚ୍ଛେଦ ଭୟରେ ତାଙ୍କର ହୃଦ୍‌ଘାତ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସେହିପରି ଉଚ୍ଛେଦ ଖବର ପାଇ ହୃଦ୍‌ଘାତରେ ଚିକିତ୍ସାର ଦୁଇ ଦିନ ପରେ ରଥଗଡ଼ା ଛକର ହୃଦାନନ୍ଦ ମହାପାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଅଭିଯୋଗ ସମ୍ପର୍କରେ ବିଜୟଙ୍କ ଦାଦା ବାବାଜୀ ସାହୁ କୁହନ୍ତି, ଦୋକାନ ଭାଙ୍ଗିଯିବା ଚିନ୍ତାରେ ବିଜୟଙ୍କ ହୃଦ୍‌ଘାତ ହୋଇଥିଲା। ଏହି ଦୋକାନର ରୋଜଗାରରେ ସେ ପରିବାର ପ୍ରତିପୋଷଣ କରେ। ସରକାର ପ୍ରଥମେ ଥଇଥାନ ନ କରି ଏପରି ଭାଙ୍ଗିବା ପାଇଁ କହିବାରୁ ଏହି ଦୁଃଖଦ ଘଟଣା ଘଟିଛି। ଏନେଇ ହୃଦାନନ୍ଦଙ୍କ ପୁଅ ଲିଙ୍ଗରାଜ ମହାପାତ୍ର କୁହନ୍ତି, ଆମର ଏହି ଦୋକାନ ବ୍ୟତୀତ ଅନ୍ୟ ରୋଜଗାର ନାହିଁ। ନନାଙ୍କର ଏହି ଚିନ୍ତାରୁ ହୃଦ୍‌ଘାତ ହୋଇଥିବା ବେଳେ ସେ ଚିକିତ୍ସିତ ହେଉଥିଲେ। ଏହି ଘଟଣା ପାଇଁ ସରକାରୀ ଦାୟୀ। ଏହି ଘଟଣା ପରେ ବ୍ୟବସାୟୀମାନେ ଗୁରୁବାର ଦୋକାନ ବନ୍ଦ ରଖି ବୈଠକ କରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏନେଇ ବିଏମ୍‌ସି ଅତିରିକ୍ତ କିମସନର୍‌ ଅବନୀ ପଟ୍ଟନାୟକ କୁହନ୍ତି, ଆମେ ଏପରି ଘୋଷଣା କରିନାହୁଁ।

ସମ୍ବନ୍ଧିତ ଖବର