ପୁଣି ବନ୍ଧା ହେଲେ ୨ ୱେବ୍ ସାମ୍ବାଦିକ: ସୁଧ ଟଙ୍କା ଆଦାୟ କରିବାରେ ଦଲାଲି କରୁଥିଲେ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ଦଲାଲି କରିବା। ଜଣେ ମହିଳାଙ୍କ ସୁଧ ଟଙ୍କା ଆଦାୟ କରିବାକୁ ଯାଇ ଘରେ ପଶି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଟଙ୍କା ପାଇଁ ଟଣାଓଟରା କରି ତାଙ୍କୁ ଧମକ ଦେବା ଅଭିଯୋଗରେ ମଞ୍ଚେଶ୍ବର ପୁଲିସ ଆଜି ଦୁଇଜଣ ୱେବ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ରଘୁନାଥପୁରର ପ୍ରଶାନ୍ତ କୁମାର ରାଉତ ଓରଫ ଟିପୁ(୪୦) ଓ ଖୋର୍ଦ୍ଧା ଓରବରସିଂହର ଚନ୍ଦ୍ରକାନ୍ତ ଦଳେଇ ଓରଫ କୁନା(୨୬। ମୁଖ୍ୟ ଅଭିଯୁକ୍ତ ଟିପୁ ପରିବର୍ତ୍ତନ ୱେବ ପୋର୍ଟାଲ୍‌ରେ ସାମ୍ବାଦିକ ଭାବେ କାମ କରୁଥିବା ବେଳେ କୁନା କ୍ୟାମେରାମ୍ୟାନ ଭାବେ ତା’କୁ ସହଯୋଗ କରୁଥିଲା।

ମିଳିଥିବା ସୂଚନା ମୁତାବକ, ସ୍ମିତାଞ୍ଜଳି ବିଶ୍ବାଳଙ୍କ ଭାଇ ରଶ୍ମିରଂଜନ ପାତ୍ର ବର୍ଷେ ପୂର୍ବେ ପଡ଼ୋଶୀ ମନୋରମା ମହାନ୍ତିଙ୍କ ପାଖରୁ ଲକ୍ଷେ ଟଙ୍କା ସୁଧରେ ଆଣିଥିଲେ। ଟଙ୍କା ନେବାର କିଛି ଦିନ ଭିତରେ ରଶ୍ମି କରୋନାରେ ପ୍ରାଣ ହରାଇଥିଲେ। ମୃତ୍ୟୁ ପୂର୍ବରୁ ରଶ୍ମି ସମସ୍ତ ସୁଧ ସହ ମୂଳ ପ୍ରାୟ ଲକ୍ଷେ ୩୦ହଜାର ଟଙ୍କା ସ୍ମିତାଙ୍କ ଉପସ୍ଥିତିରେ ମନୋରମାଙ୍କୁ ଦେଇଥିଲେ ମଧ୍ୟ ମନୋରମା ସୁଧ ଟଙ୍କା ନେବାକୁ ଆସି ଅନେକ ସମୟରେ ସ୍ମିତାଙ୍କ ସହ ଝଗଡ଼ା କରୁଥିଲେ। ଗତ ୧ ତାରିଖରେ ମନୋରମା ଘରେ ପଶି ସ୍ମିତାଙ୍କ ପୁଅ ଓ ଝିଅକୁ ଗାଳିଗୁଲଜ କରିଥିବା ବେଳେ ଗତ ୨ ତାରିଖ ଦିନ ପ୍ରଶାନ୍ତ ଓ ତାଙ୍କ ସହଯୋଗୀ ଚନ୍ଦ୍ରକାନ୍ତ ତାଙ୍କୁ ଧମକଚମକ ଦେବା ସହ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଏପରିକି ଟଙ୍କା ନ ଦେଲେ ଫଟୋ ଉଠାଇ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପରିବେଷଣ କରିବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ବଚସା ହେବା ପରେ ଦୁଇ ୱେବ ସାମ୍ବାଦିକ ତାଙ୍କୁ ଟଣାଘୋଷରା କରିଥିବା ସ୍ମିତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଦୁଇ ନକଲି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ୱେବ କାର୍ଯ୍ୟାଳୟ, ଆଇକାର୍ଡକୁ ସିଲ୍ କରାଯାଇ କମ୍ପ୍ୟୁଟର ଜବତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର