ନିଟ୍‌ ରେଜଲ୍ଟକୁ ଦୁଇ ସପ୍ତାହ ବିତିଲାଣି: କାଉନ୍‌ସେଲିଂ ପ୍ରକ୍ରିୟା କେବେ?

ଚିନ୍ତାରେ ଦେଶର ୮ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ

ଶିକ୍ଷାବିତ୍‌ଙ୍କ ମତ ମୁଖ୍ୟମନ୍ତ୍ରୀ ହସ୍ତ‌କ୍ଷେପ କରନ୍ତୁ
ଓଡ଼ିଶାରେ ଓଜେଇଇ କରିବ କାଉନସେଲିଂ
୧୫୦୦ରୁ ଅଧିକ ସିଟ୍‌ରେ ହେବ ନାମଲେଖା

ଭୁବନେଶ୍ବର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ କେବେ ନାମଲେଖା ହେବ? କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାରେ ବିଳମ୍ବ କାହିଁକି ହେଉଛି? ନ୍ୟାସନାଲ ଏଜିଲିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ସ୍ନାତକ(ୟୁଜି) ରେଜଲ୍ଟ ପ୍ରକାଶକୁ ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଶରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇପାରୁନାହିଁ। କେବେ ହେବ, ସେନେଇ ବି ମେଡିକାଲ କାଉନସେଲିଂ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ପାଖରେ କୌଣସି ଉତ୍ତର ନାହିଁ। ଯେଉଁଥିପାଇଁ ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଦେଶର ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବେ ଚିନ୍ତାରେ। କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇ ପାରୁ ନ ଥିବାରୁ ସେମାନେ ବି ଅନ୍ୟ କୌଣସି ପାଠ୍ୟକ୍ରମକୁ ଆପଣାଇ ପାରୁନାହାନ୍ତି। ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀଙ୍କ ଅବସ୍ଥା ବି ଏବେ ସମାନ ସ୍ଥିତି ଦେଇ ଗତି କରୁଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦେଶର ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। କରୋନା ଯୋଗୁଁ ଶିକ୍ଷାବର୍ଷ ପ୍ରଭାବିତ ହୋଇଥିବାରୁ ୨ରୁ ୩ ମାସ ବିଳମ୍ବରେ ନାମଲେଖା‌ ଓ କାଉନସେଲିଂ ପ୍ରକ୍ରିୟା ଚାଲିଛି। ମାତ୍ର ମେଡିକାଲ ପରି ଏକ ସମ୍ବେଦନଶୀଳ ପାଠ୍ୟକ୍ରମରେ ନାମଲେଖା ବିଳମ୍ବ ହେବାକୁ ନେଇ ଶିକ୍ଷାବିତ୍‌ମାନେ ବି ଚିନ୍ତା ପ୍ରକଟ କରିଛନ୍ତି। ଏହାଦ୍ବାରା ପିଲାଙ୍କ ଭବିଷ୍ୟତ ପ୍ରଭାବିତ ହେବ। ଅନେକ ମେଧାବୀଙ୍କ ଗୋଟିଏ ବର୍ଷ ନଷ୍ଟ ହେବାର ସମ୍ଭାବନା ବି ରହିଛି। ତେଣୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ୨୦୨୦ରେ କରୋନା ଉପରମୁହାଁ ଥିବା ବେଳେ ବି ନିର୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ ସହ କାଉନସେଲିଂ ଅନୁଷ୍ଠିତ ହୋଇଥିଲା। ମାତ୍ର ଏଥର ସବୁ କିଛି ଅହେତୁକ ବିଳମ୍ବ ହେବାରୁ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ରହିଛନ୍ତି। ସର୍ବଭାରତୀୟସ୍ତରରେ କାଉନସେଲିଂ ବିଳମ୍ବ ହେଉଥିବାରୁ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ପ୍ରତିଥର ପରି ଏଥର ମଧ୍ୟ ଡିଏମ୍‌ଇଟି ସୁପାରିସ ଆଧାରରେ ଓଜେଇଇ କାଉନସେଲିଂ କରିବ ବୋଲି ନିଷ୍ପତ୍ତି ହୋଇଛି। ହେଲେ କେବେ କାଉନସେଲିଂ ଆରମ୍ଭ ହେବ ଏବଂ କେଉଁ ମେଡିକାଲ କଲେଜର କେତେ ସିଟ୍‌ରେ ନାମଲେଖା କରାଯିବ, ସେନେଇ କେହି ବି ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏଥର ବି ରାଜ୍ୟର ୧୧ଟି ମେଡିକାଲ କଲେଜର ୧୫୧୩ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ହେବ। ଯେଉଁଥିରେ ୮ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜ ରହିଛି। ମୋଟ ସିଟ୍‌ ମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍‌ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରିବ। ବାକି ସିଟ୍‌ ଲାଗି ସର୍ବଭାରତୀୟସ୍ତରରେ କାଉନସେଲିଂ କରାଯିବ। ‌ତେବେ ଅଲ୍‌ ଇଣ୍ଡିଆ କୋଟା(ଏଆଇକ୍ୟୁ)ରୁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଫେରିବା ପରେ ସେଥିପାଇଁ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ କାଉନସେଲିଂ ହେବ। ଗତବର୍ଷ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜର ୨୫୦ ଲେଖାଏଁ ସିଟ୍‌ରେ ନାମଲେଖା ହୋଇଥିବା ବେଳେ ଭିଏସ୍‌ଏସ୍‌ ମେଡିକାଲ କଲେଜ ବୁର୍ଲାର ୨୦୦, ବାରିପଦା ଓ କୋରାପୁଟ ମେଡିକାଲ କଲେଜର ୧୨୫ ଲେଖାଏଁ, ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜର ୧୦୦ ଏମ୍‌ବିବିଏସ୍‌ ଲେଖାଏଁ ସିଟ୍‌ରେ ନାମଲେଖା ହୋଇଥିଲା। ଭୁବନେଶ୍ବର ଓ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ୧୦୦ଟି ଲେଖାଏଁ ଏମ୍‌ବିବିଏସ୍‌ ରହିଥିଲା। ଏହାବ୍ୟତୀତ ଏସ୍‌ସିବିର ୬୩ ଓ ଭୁବନେଶ୍ବର ହାଇଟେକ୍‌ର ୧୦୦ରୁ ଡେଣ୍ଟାଲ ସିଟ୍‌ରେ ନାମଲେଖା ହୋଇଥିଲା। ଏଥର ମଧ୍ୟ ସମାନ ସିଟ୍‌ରେ ନାମଲେଖା ହେବ। ‌ଯଦି ପୁରୀ ମେଡିକାଲ କଲେଜ ପାଇଁ ନାମଲେଖା ହୁଏ, ତେବେ ସଂଖ୍ୟା ଆହୁରି ବଢ଼ିବ।

ସମ୍ବନ୍ଧିତ ଖବର