ପାଚେରି ଭାଙ୍ଗି ନନ୍ଦନକାନନରେ ପଶିଲେ ୨ ବଣୁଆ ହାତୀ

ଘଉଡ଼ାଇବା ପାଇଁ କର୍ମଚାରୀ ନୟାନ୍ତ

ବାରଙ୍ଗ : ଶୁକ୍ରବାର ପାଚେରି ଭାଙ୍ଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିବା ୨ ବଣୁଆ ହାତୀଙ୍କ ଘଉଡ଼ାଇବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନାକେଦମ୍‌ ହୋଇଛନ୍ତି। ବଣବୁଦା ଭିତରେ ଛପି ରହି ହାତୀ ଦୁଇଟି କର୍ମଚାରୀଙ୍କ ସହ ଲୁଚକାଳି ଖେଳିଥି‌ଲେ। ଶେଷରେ ରାତିରେ ଚନ୍ଦକା ବନ ବିଭାଗ ସହାୟତାରେ ହାତୀ ଦୁଇଟିକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦିଆଯାଇଥିବା ଜଣାଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦନକାନନ ସଫାରି ପଛପାଖ ହମିରା ଟାଙ୍ଗୀ ପଟରୁ ପାଚେରି ଭାଙ୍ଗି ଚନ୍ଦକା ଅଭୟାରଣ୍ୟର ୨ବଣୁଆ (ଗୋଟିଏ ବୟସ୍କ ମାଇ ଓ ଛୁଆ) ହାତୀ ପଶି ଆସିଥି‌ଲେ। ଆଜି ସକାଳେ ହାତୀ ସଫାରିକୁ କାମ କରିବାକୁ ଯାଇଥିବା ମାହୁନ୍ତମାନେ ହାତୀଶାଳ ପଛକୁ ଲାଗିଥିବା ଜଙ୍ଗଲରେ ହାତୀ ଦୁଇଟିଙ୍କୁ ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ହାତୀ ଘଉଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ନନ୍ଦନକାନନ କର୍ମଚାରୀମାନେ ନାନା ଉପାୟରେ ହାତୀ ଦୁଇଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ହେଁ ସେମାନେ ପରିସର ଛାଡ଼ି ଯାଇନଥିଲେ। ପାଖରେ ଥିବା ବୁଦା ଭିତରେ ଲୁଚି ଯାଇଥିଲେ। ତେଣୁ ସଂଧ୍ୟା ପର୍ଯ୍ୟନ୍ତ ହାତୀ ଘଉଡ଼ା ଅଭିଯାନ ସ୍ଥଗିତ ରଖାଯାଇଥିଲା। ତେବେ ସେମାନେ ଯେପରି ପ୍ରାଣୀ ଉଦ୍ୟାନର ଅନ୍ୟ ଜୀବଜନ୍ତୁଙ୍କ ଖୁଆଡ଼, ପର୍ଯ୍ୟଟକଙ୍କ ଗମନାଗମନ ପରିସରକୁ ପ୍ରଦେଶ କରି କ୍ଷୟକ୍ଷତି ନ କରନ୍ତି, ସେଥିଲାଗି ନନ୍ଦନକାନନ କର୍ମଚାରୀ ତୀକ୍ଷ୍ଣ ନଜର ରଖିଥିଲେ। ତେବେ ରାତି ହେବାରୁ ଚନ୍ଦକା ବନବିଭାଗ ସହାୟତାରେ ହାତୀ ଦୁଇଟିଙ୍କୁ ଜଙ୍ଗଲକୁ ଫେରାଇ ନେବା ଲାଗି ଚେଷ୍ଟା କରାଯାଇଥିଲା। ବନ କର୍ମଚାରୀମାନେ ବାଣ ଫୁଟାଇ ହାତୀମାନଙ୍କ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର