ଭୁବନେଶ୍ବର: ଐତିହ୍ୟପୂର୍ଣ୍ଣ ଅବକ୍ଷୟମୁଖୀ କପିଳେଶ୍ବର ମନ୍ଦିରର ଭାଗ୍ୟ ବଦଳିବ। ଅବହେଳିତ ‌ହୋଇ ପଡ଼ିଥିବା ଏହି ପ୍ରାଚୀନ ଶୈବପୀଠର ଭଲ ଭାବେ ରକ୍ଷଣାବେକ୍ଷଣ ହେବ। ପୁଣି ପୂର୍ବ ପରି ମୁଖ୍ୟମନ୍ଦିରଠାରୁ ଆରମ୍ଭ କରି ବେଢା ଭିତରେ ଥିବା ସମସ୍ତ ମନ୍ଦିର, ପ୍ରାଚୀର ଓ ମଣିକର୍ଣ୍ଣିକା ପୁଷ୍କରିଣୀ ହସିଉଠିବ। ନାନା ବାଦ ବିବ‌ାଦ ପରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ କପିଳେଶ୍ବର ମନ୍ଦିରକୁ ‘ରାଷ୍ଟ୍ରୀୟ ମହତ୍ତ୍ବ ସ୍ମାରକୀ’ ଘୋଷଣା କରିବା ପରେ ଠିକ୍‌ ଏମିତି କିଛି ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଘୋଷଣାକୁ ଦୁଇ ବର୍ଷ ପରେ ମଧ୍ୟ ସେଭଳି କିଛି ଆଖିଦୃଶିଆ କାମ କରିନାହିଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)। ଏହି ମନ୍ଦିରର ବିକାଶ ପାଇଁ ଆସିଥିବା ୪୬ ଲକ୍ଷ ଟଙ୍କାରେ ଅଳ୍ପ କିଛି କାମ ହୋଇଛି। କିନ୍ତୁ ଏବେ ବି ସାମାନ୍ୟ ବର୍ଷା ହେଲେ ମନ୍ଦିରରୁ ପାଣିଗଳୁଛି। 
ରକ୍ଷଣାବେକ୍ଷଣ ଅଭାବରୁ ପଞ୍ଚଦଶ ଶତାବ୍ଦୀର ଏହି ମନ୍ଦିରଟି ବର୍ଷବର୍ଷ ଧରି ଅସୁରକ୍ଷିତ ହୋଇ ରହିଛି। କପିଳେଶ୍ବର ମନ୍ଦିର ସମେତ ବେଢ଼ାରେ ଥିବା ପ୍ରଥମ ଓ ଦ୍ବିତୀୟ କପିଳେଶ୍ବର, ମୁଖ୍ୟ ଠାକୁରାଣୀ ଚତୁର୍ଭୁଜା ଦୁର୍ଗା, ମା’ ପାର୍ବତୀ ଓ ଅନ୍ୟ ସମସ୍ତ ମନ୍ଦିରରେ ‘ଷ୍ଟୋନ୍‌-କ୍ୟାନ୍‌ସର୍‌’ ହୋଇସାରିଛି। ଫଳରେ ମନ୍ଦିରରେ ଖୋଦେଇ ହୋଇଥିବା ବିରଳ କାରୁକାର୍ଯ୍ୟ ସବୁ ଲିଭି ଗଲାଣି। ବର୍ଷ ବର୍ଷ ଧରି ଖରା ଓ ବର୍ଷାରେ ମନ୍ଦିର ଫିକା ପଡ଼ିଗଲାଣି। ମନ୍ଦିରରେ ହାତ ଲଗାଇଲେ ପଥର ଝଡ଼ିପଡ଼ୁଛି। ସାମାନ୍ୟ ବର୍ଷାହେଲେ ଜଗମୋହନ, ଭଣ୍ଡାରଗୃହ, ନାଟମଣ୍ଡପ, ରୋଷଘର (ଅଛିଣ୍ଡା ପାହାଚ) ସମେତ ଗର୍ଭଗୃହରେ ପାଣି ଗଳୁଛି। ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ମଣିକର୍ଣ୍ଣିକା ପୁଷ୍କରିଣୀ ଅବହେଳିତ ହୋଇ ପଡ଼ିଛି। ଦୁଇ ବର୍ଷ ତଳେ ମଧ୍ୟ ଏଭଳି ସମସ୍ୟା ଲାଗି ରହିଥିଲା। ଏହାକୁ ନେଇ ରାଜ୍ୟ ସରକାର ତଥା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଥିଲା।  କପିଳେଶ୍ବର ମନ୍ଦିରକୁ ନେଇ ରାଜନୀତି ଜୋର ଧରିଥିଲା। ଏହା ଭିତରେ ସଂଖ୍ୟାଧିକ ସେବାୟତ କପିଳେଶ୍ବର ମନ୍ଦିରକୁ ଏଏସ୍‌ଆଇ ହାତକୁ ଟେକି ଦେବାକୁ ଦାବି ଉଠାଇଥିଲେ। ଏହାପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କପିଳେଶ୍ବର ମନ୍ଦିର ଦାୟିତ୍ବ ଏଏସ୍‌ଆଇ ନେଉ ବୋଲି ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ୨୦୨୩ ମସିହା ମେ ମାସ ୫ତାରିଖରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଏସ୍‌ଆଇ ମଧ୍ୟ ପ୍ରାୟ ସବୁ ମନ୍ଦିର ଓ ପାଚେରିରେ ଉଠିଥିବା ବର, ଅଶ୍ବତ୍‌ଥ ଗଛକୁ ସଫା କରିଥିଲା।  କିନ୍ତୁ ତା’ ପରଠୁ ଏଏସ୍‌ଆଇ ଶୋଇପଡ଼ିଥିଲା। ପ୍ରାୟ  ଦେଢ ବର୍ଷ ପରେ ଏଏସ୍‌ଆଇର ନିଦ ଭାଙ୍ଗିଲା। ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୪୬ ଲକ୍ଷ ଟଙ୍କ‌ା ବ୍ୟୟବରାଦ ହେଲା। ୨୦୨୪ ମସିହା ଡିସେମ୍ବରରେ ସ୍ଥାନୀୟ ସାଂସଦ ଓ ବିଧାୟକ ଶୁଭ ଦେଲେ।  ଆଉ ୩ ମାସ ପରେ ଏହି ମନ୍ଦିରର ଉନ୍ନତୀକରଣ ପାଇଁ ଆଉ ୧ କୋଟି ଟଙ୍କାର ଅନୁଦାନ ଆସିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଲା। ସାମନ୍ତରାପୁରଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ ବୋଲି ଆଶ୍ବାସନା ଦିଆଗଲା। କିନ୍ତୁ ସବୁ କିଛି ପ୍ରତିଶ୍ରୁତିରେ ରହିଯାଇଛି। ଏନେଇ ମନ୍ଦିର ସେବାୟତ ଅରବିନ୍ଦ ମଲିଆ କହିଛନ୍ତି, ପୂର୍ବ ସରକାର ମନ୍ଦିର ପାଇଁ କିଛି କଲେ ନାହିଁ। ଆଶା ଥିଲା ଏଏସ୍‌ଆଇ ହାତକୁ ଗଲେ ମନ୍ଦିରର ଠିକ୍‌ ରକ୍ଷଣାବେକ୍ଷଣ ହେବ। କିନ୍ତୁ ତାହା ହେଉନାହିଁ। ୨ ବର୍ଷ ଭିତରେ ମାତ୍ର ୪୬ ଲକ୍ଷ ଟଙ୍କା ଆସିଲା। ସେ ଟଙ୍କାକୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ ନାହିଁ। ଏଏସ୍‌ଆଇ ମନ୍ଦିରରେ କେବଳ ୩ଟି କବାଟ ଲଗାଇଛି। ମନ୍ଦିର ବେଢ଼ାରେ ଭଲ ପଥର କାଢ଼ି ଆବଶ୍ୟକ ନଥିବା କିଛି ନିମ୍ନ ମାନର ପଥର ପକା ଯାଇଛି। କିନ୍ତୁ ମନ୍ଦିରର ପ୍ରକୃତ କାମ କରାଯାଉନାହିଁ। ସେହିପରି ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲିଆ କହିଛନ୍ତି, ଏଏସ୍‌ଆଇକୁ ଯିବା ପୂର୍ବରୁ ରାଜ୍ୟ ସରକାର କିଛି କିଛି କାମ କରୁଥିଲେ।  ରାଜ୍ୟ ସରକାରଙ୍କ ତୁଳନାରେ କେନ୍ଦ୍ର ସରକାର ଅଧିକ ଟଙ୍କା ଦେଇ ମନ୍ଦିରର ଉନ୍ନତୀକରଣ କରିବା କଥା। କିନ୍ତୁ ମାତ୍ର ୪୬ ଲକ୍ଷ ଟଙ୍କାରେ ଅଳ୍ପ କିଛି କାମ କରି ଏଏସ୍‌ଆଇ ଚୁପ୍‌ ବସିଛି। ଏନେଇ ଏଏସ୍‌ଆଇ ଭୁବନେଶ୍ବର ସର୍କଲର ଅଧୀକ୍ଷକ ନନ୍ଦ କିଶୋର ସ୍ବାଇଁ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଆସିଥିବା ଟଙ୍କା ହିସାବରେ କାମ ହୋଇଛି। ଆଗକୁ ମନ୍ଦିର ପାଣିଗଳିବା ବନ୍ଦ ହେବା କାମ ହେବ।