କାର୍‌ ସୋ’ରୁମ୍‌ ପରିଚାଳକଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଜେଲ୍‌ ଗଲେ ୨ ଯୁବକ

ଧଉଳି : ଉତ୍ତରା ଫାଣ୍ଡି ଗୁଡ଼ିଆପୋଖରୀସ୍ଥିତ ଏକ କାର୍‌ ସୋରୁମ୍‌ ପରିଚାଳକଙ୍କୁ ୫ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖାରବେଳନଗର ଥାନା ୟୁନିଟ୍‌-୪ ଏମ୍‌ଏଲ୍‌ଏ କଲୋନି ଅଞ୍ଚଳର ସୁମନ କୁମାର ବାରିକ(୨୯) ଓ ପିପିଲି ଥାନା ମଧୁପୁର ଗ୍ରାମର ରାକେଶ କୁମାର ଜେନା (୨୩)। କୋର୍ଟରେ ଉଭୟଙ୍କ ଜାମିନ ନାଂମଜୁର ହେବାରୁ ନିମାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଅଭିଯୁକ୍ତଦ୍ବୟ ଗତ ଜୁନ୍‌ ୫ ତାରିଖ ସନ୍ଧ୍ୟାରେ ଉକ୍ତ କାର୍‌ ସୋରୁମ୍‌ରେ ପଶି ପରିଚାଳକଙ୍କୁ ଗାଳିମନ୍ଦ କରି ଖୋଜିଥିଲେ। ସୁରକ୍ଷାକର୍ମୀ ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ପରେ କ୍ୟାସ୍‌ କାଉଣ୍ଟରକୁ ଯାଇ ପରିଚାଳକ ବିଷ୍ଣୁ ଦାଶଙ୍କୁ ମାରଣାସ୍ତ୍ର ଦେଖାଇ ୫ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସହକାରୀ ପରିଚାଳକ ରାମଶିଷ ବାହିନୀପତି ଏ ସଂପର୍କରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର