ପିଲା ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼

ଚନ୍ଦ୍ରଶେଖରପୁର : ଡମଣା ତାରିଣୀ ବସ୍ତିରେ ବସ୍ତିବାସିନ୍ଦା ଦୁଇ ଜଣ ଯୁବକଙ୍କୁ ପିଲା ଚୋରି ସ‌ନ୍ଦେହରେ ନିସ୍ତୁକ ମାଡ଼ମାରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଯୁବକ ଦୁହେଁ ଅଣଓଡ଼ିଆ ବୋଲି ଜଣାପଡ଼ିଛି। ଥାନାରେ ଅଭିଯୋଗ ନହେବାରୁ ସଂଧ୍ୟାରେ ସେମାନଙ୍କୁ ତାଗିଦ କରି ପୁଲିସ ଛାଡ଼ିଦେଇଛି। ଆଜି ସକାଳେ ଦୁଇ ଯୁବକ ବସ୍ତିରେ ବୁଲାବୁଲି କରି କିଛି ପିଲାଙ୍କୁ ଚକଲେଟ୍ ଦେଉଥିଲେ। ପରେ ସେହି ବସ୍ତିର ଏକ ପିଲାକୁ କାଖେଇ ଗେଲ କରୁଥିବା ବେଳେ ସେମାନଙ୍କୁ ସ୍ଥାନୀୟ ମହିଳାମାନେ କାବୁକରି ପଚରାଉଚରା କରିଥିଲେ। ମାତ୍ର ସେମା‌ନେ କୌଣସି ସନ୍ତୋଷଜନକ ଉ‌ତ୍ତର ଦେଇନପାରି ଓଲଟା ଯୁକ୍ତି କରିବାରୁ ବସ୍ତିବାସିନ୍ଦା ସେମାନଙ୍କୁ ଧରି ନିସ୍ତୁକ ପିଟିଥିଲେ। ଅପରପକ୍ଷରେ ଉକ୍ତ ଯୁବକମାନେ ବସ୍ତିରେ ବିଭିନ୍ନ ଜିନିଷପତ୍ର ବିକ୍ରକରିବା ଆଳରେ ଆସି ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ସେହିଭଳି କିଛି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ପିଲାଙ୍କୁ ସେମାନେ ନିଶା ଚକଲେଟ୍ ଦେଇ ନେଇ ଯାଉଛନ୍ତି। ମାତ୍ର ଏପରି ଘଟଣାର କୌଣସି ପ୍ରକାର ପ୍ରମାଣ ନଥିଲେ ବି ସ୍ଥାନୀୟ ଅଞ୍ଚଳରୁ ଗୋଟିଏ ଛୋଟପିଲା ନିଖୋଜ ହୋଇଥିବାରୁ ବସ୍ତିବାସିନ୍ଦା ସନ୍ଦିଗ୍ଧମାନଙ୍କୁ ଦେଖିଲା ମାତ୍ରେ ସେମାନଙ୍କୁ ପିଲାଚୋର ବୋଲି ଭାବୁଛନ୍ତି। ଅନ୍ୟପକ୍ଷରେ ଡମଣା ଓ ଏହାର ଆଖପାଖ ଅଞ୍ଚଳରେ ବେଶ୍‌ କିଛିଦିନ ହେବ ଅନେକ ଯାଯାବର ଆସି ରହୁଥିବାରୁ ସେମାନେ ଉକ୍ତ ଅଞ୍ଚଳରେ ଚୋରି କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର