ବିଦ୍ୟୁତ୍ ଯନ୍ତ୍ରାଂଶ ଚୋରି ବେଳେ ଧରାପଡ଼ିଲେ ଦୁଇ ଯୁବକ: ଥାନାରେ ଅଟକ, ଯନ୍ତ୍ରାଂଶ ଓ ଅଟୋ ଜବତ

ଭୁବନେଶ୍ବର: ବରମୁଣ୍ଡା ହାଉସିଂ ବୋର୍ଡ ଅଞ୍ଚଳରୁ ଆଜି ଦୁଇଜଣ ଯୁବକ ଟ୍ରାନ୍‌ସଫର୍ମରରୁ କିଟ୍‌କାଟ୍ ଫ୍ୟୁଜ୍ ବା କଟ୍‌ଆଉଟ୍ ଚୋରି କରୁଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ଧରିଛନ୍ତି। ଏହା ପରେ ଉଭୟଙ୍କୁ ନେଇ ଭରତପୁର ଥାନରେ ଜିମା ଦେଇଛନ୍ତି। ଭରତପୁର ପୁଲିସ ଯୁବକଙ୍କ ଦ୍ବୟଙ୍କୁ ଅଟକ ରଖିବା ସହ ସେମାନେ ଚୋରି ପାଇଁ ବ୍ୟବହୃତ ଅଟୋ(ଓଡି୦୨ଏଲ୍୭୨୫୩) ଓ ଚୋରି କଟ ଆଉଟ୍ ଜବତ କରିଛି। ଅଟକ ଯୁବକ ଦ୍ବୟ ହେଉଛନ୍ତି, ବରମୁଣ୍ଡା ପାଇକ ସାହିର ଜିତେନ୍ଦ୍ର କୁମାର ସୁବୁଦ୍ଧି ଓ ଦେବେନ୍ଦ୍ର ଜେନା।

ମିଳିଥିବା ସୂଚନା ମୁତାବକ, ଆଜି ବରମୁଣ୍ଡା ଇଲେକ୍ଟ୍ରିକାଲ ସେକ୍ସନର କର୍ମଚାରୀ କାମ ସାରି କାର୍ଯ୍ୟାଳୟକୁ ଫେରୁଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକ ପାଖରେ ଦୁଇ ଜଣ ଯୁବକ ଅଟୋରେ କଟ ଆଉଟ୍ ନେଇ ଯାଉଥିବା ଦେଖିଥିଲେ। ସନ୍ଦେହ ହେବାରୁ ଗାଡ଼ିଟିକୁ ଅନୁସରଣ କରି ବିଦ୍ୟୁତ୍ କର୍ମଚାରୀ ଯାଇଥିଲେ। ଏହା ପରେ ଜଗନ୍ନାଥ ବିହାରସ୍ଥିତ ସବ୍‌ ଷ୍ଟେସନରୁ କଟଆଉଟ୍ ଚୋରି କରୁଥିବା ବେଳେ ଧରିଥିଲେ। ତେବେ ପୂର୍ବରୁ ନୂଆପଲ୍ଲୀ, ବରମୁଣ୍ଡା, ରେଣ୍ଟାଲ୍ କଲୋନି, ଜାଭିୟର୍ ଛକ, କଳିଙ୍ଗ ନଗର ଆଦି ପ୍ରମୁଖ ସ୍ଥାନରୁ ଶତାଧିକ କଟ୍‌ଆଉଟ୍ ଚୋରି ହୋଇଥିବା ଟାଟା ପାଵାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ଥାନାରେ ମାମଲା ଦେଇଥିବା ବେଳେ ଗତ ୧୨ ତାରିଖ ଦିନ ଏହି ଦୁଇଜଣ ରେଣ୍ଟାଲ୍ କଲୋନିରୁ ଚୋରି କରୁଥିବାର ସିସିଟିଭି ଫୁଟେଜ୍ ମଧ୍ୟ ରହିଛି। ଏନେଇ ବିଦ୍ୟୁତ୍ କର୍ମଚାରୀ ଥାନାରେ ଅଭିଯୋଗ କରିବା ପରେ ଭରତପୁର ପୁଲିସ୍ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର