ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣା: ମିଳିଲା ପରିଚୟ ମିଳିଲାନି ଗାଡ଼ି

ଭୁବନେଶ୍ବର: ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଦୁର୍ଘଟଣାରେ ଦୁଇ ମୃତକଙ୍କ ପରିଚୟ ମଳିଛି। ସେମାନେ ହେଲେ ମେଣ୍ଢାଶାଳ ଅଞ୍ଚଳର ଅର୍ମାନ ଖାନ(୨୩) ଓ ନୟାଗଡ଼ ଜିଲ୍ଲା ପଣ୍ଡୁସର ଅଞ୍ଚଳର ପପୁନା ସୁଲୋ। ଉଭୟ ଏଠାରେ ସାଲିଆସାହି ଅଞ୍ଚଳରେ ରହୁଥିଲେ। ଅର୍ମାନ ସହିଦନଗର ସ୍ଥିତ ଏକ ପ୍ରିଣ୍ଟିଂ ପ୍ରେସ୍‌ରେ କାମ କରୁଥିଲେ। ଅନ୍ୟପଟେ ଘଟଣାର ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିର ସୁରାକ ପାଇନାହିଁ। ଯଦିଓ ସହରର ସବୁଆଡ଼େ ସିସିଟିଭି ଲଗାଯାଇଛି। ଆଉ ଏହାର ନିୟନ୍ତ୍ରଣ ବିଏସ୍‌ସିଏଲ୍‌ ନିକଟରେ ରହିଛି। ସିସିଟିଭି ଯାଞ୍ଚରୁ ଗାଡ଼ି ଧରାପଡ଼ିବା କଥା। କାରଣ ଯେଉଁଠାରେ ଦୁର୍ଘଟଣା ଘଟିଛି ତା’ର ପୂର୍ବସ୍ଥାନରେ ଲାଗିଥିବା କ୍ୟାମେରା ଏବଂ ଉକ୍ତ ସ୍ଥାନରୁ ସହର ଭିତର ଓ ସଂଲଗ୍ନ ରାସ୍ତାରେ ଲାଗିଥିବା ସିସିଟିଭିକୁ ଯାଞ୍ଚକଲେ ଘଟଣା ଜଣାପଡ଼ିବା କଥା। ପୁଲିସ ତନ୍ନତନ୍ନ କରି ସିସିଟିଭି ଯାଞ୍ଚ କରୁଥିଲେ ବି କିଛି ମିଳୁନାହିଁ। ତେବେ ସିସିଟିଭି କାମ କରୁଛି କି ନାହିଁ ତାହା ବଡ଼ ପ୍ରଶ୍ନ ଭାବେ ଉଭାହୋଇଛି। ହେଲେ ଦୁର୍ଘଟଣାସ୍ଥଳରୁ ମିଳିଥିବା କାର୍‌ର ଭଗ୍ନାଂଶରୁ ଏହା ଏକ ଟୟୋଟା ଇଟିଅସ୍‌ କାର୍‌ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଅର୍ମାନ ବନ୍ଧୁ ପପୁନାକୁ ନେଇ ନହରକଣ୍ଠାସ୍ଥିତ ମାମୁ ଘରକୁ ଯାଇଥିଲେ। ରାତି ପ୍ରାୟ ୮ଟା ସମୟରେ ଉଭୟ ମାମୁଘରୁ ସାଲିଆସାହି ଫେରୁଥିଲେ। ସେମାନେ ସତ୍‌ସଙ୍ଗବିହାର ଓଭରବ୍ରିଜ୍‌ ଉପରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍‌ଟି ଭାରସାମ୍ୟ ହରାଇ ବାଇକ୍‌କୁ ପଛକୁ ଧକ୍କା ଦେଇଥିଲା। ଉଭୟ ବାଇକ୍‌ ସହ କିଛି ଦୂରରେ ପଡ଼ିଥିବା ବେଳେ କାର୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ଉଭୟଙ୍କ ପରିଚୟ ମିଳିବା ପରେ ପୁଲିସ ସେମାନଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର