ମାଡ଼ପିଟ୍‌ ଅଭିଯୋଗରେ ୨ ଯୁବକ ଗିରଫ

ଝିଅ ଘରୁ ଚୋରି କରି ବାପା ଗିରଫ, ଅଫିସ୍‌ରେ ପଶି ଲୁଟିନେଲା ଲ୍ୟାପଟପ୍‌, ମୋବାଇଲ୍‌

ଭୁବନେଶ୍ୱର : ମାଡ଼ପିଟ୍‌ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ରସୁଲଗଡ଼ ଗୋପବନ୍ଧୁ ବସ୍ତିର କୁନା ବେହେରା(୨୫) ଓ ସୌମ୍ୟ ରଂଜନ ଦାସ(୨୭)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଗୁରୁବାର ଅପରାହ୍‌ଣରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଶବସତ୍କାର ପାଇଁ ଏ ଦୁହେଁ ସ୍ବର୍ଗଦ୍ବାର ଯାଇଥିଲେ। ଫେରିବା ସମୟରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ଓ ପରେ ମାଡ଼ପିଟ୍ ହୋଇଥି‌ଲ। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।

ଝିଅ ଘରୁ ଚୋରି କରି ବାପା ଗିରଫ
ଭୁବନେଶ୍ୱର : ଝିଅ ଘରୁ ଟଙ୍କା ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି। ସେ ହେଲେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର କୈଳାସ ରଣା(୫୫)। କିଛି ଦିନ ତଳେ କୈଳାସ ସ‌ାଲିଆସାହି ସ୍ଥିତ ତାରିଣୀନଗରରେ ଥିବା ଝିଅ ନିରୁପମା ମହାପାତ୍ରଙ୍କ ଘରକୁ ଆସିଥିଲେ। ଗତ ଅଗଷ୍ଟ ୨୪ ତାରିଖରେ ଘରେ କେହି ନ ଥିବାର ସୁଯୋଗରେ ସେ ତାଙ୍କ ଆଲମିରା ଭାଙ୍ଗି ୧.୭୨ଲକ୍ଷ ଟଙ୍କା ନେଇଯାଇଥିବା‌ ଅଭିଯୋଗ ହୋଇଥିଲା। ଗୁରୁବାର ରାତିରେ ପୁଲିସର ଏକ ଟିମ୍‌ ନୟାଗଡ଼ସ୍ଥିତ କୈଳାସଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ଅଫିସ୍‌ରେ ପଶି ଲୁଟିନେଲା ଲ୍ୟାପଟପ୍‌, ମୋବାଇଲ୍‌
ଭୁବନେଶ୍ବର : ବମିଖାଲ କେନାଲ ରୋଡ୍‌ସ୍ଥିତ ବାସୁଦେବନଗର ଅଞ୍ଚଳରେ ଥିବା ବ୍ଲୁ-ଷ୍ଟାର୍‌ ଅଫିସ୍‌ରୁ ଆଜି ସକାଳୁ ଚୋରି ହୋଇଛି। ଜଣେ ଦୁର୍ବୃତ୍ତ ଅଫିସ୍‌ ଭିତରୁ ଗୋଟିଏ ଲ୍ୟାପଟପ, ୨ଟି ମୋବାଇଲ୍‌ ଓ ୫ହଜାର ଟଙ୍କା ଚୋରି କରିନେଇଛି। ଏ ସଂପର୍କରେ ସଂସ୍ଥାର ମାଲିକ ମନୋଜ ସାମନ୍ତରାୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଚୋରି ବେଳର ସମସ୍ତ ଦୃଶ୍ୟ ଅଫିସ୍‌ରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଥିବାରୁ ଚୋରକୁ ଧରିବା ପୁଲିସ ପାଇଁ ସହଜ ହୋଇଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର